ଆୟୁର୍ବେଦ ପଛରେ ପଡ଼ିଯିବାର କାରଣ କଣ ?

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଆୟୁର୍ବେଦ ହେଉଛି ସର୍ବପୁରାତନ ଚିକିତ୍ସା ପଦ୍ଧତି, ଯାହାର ପ୍ରଚଳନ ପ୍ରାୟ ପାଞ୍ଚହଜାର ବର୍ଷ ପୂର୍ବରୁ ଭାରତରେ ହୋଇଛି ବୋଲି ପ୍ରମାଣ ମିଳେ। ମାତ୍ର ପ୍ରାୟ ଦୁଇଶହ ବର୍ଷ ଭିତରେ ଗଢ଼ି ଉଠିଥିବା ଆଧୁନିକ ଚିକିତ୍ସା ବିଜ୍ଞାନ ଏହା ଭିତରେ ଏତେ ପ୍ରଭୂତ ଉନ୍ନତି କରିଛି ଯେ ପୃଥିବୀର ପ୍ରାୟ ସବୁଦେଶରେ ତା’ର ରାଜୁତି। ଗୋଦାବରୀଶ ମହାପାତ୍ରଙ୍କର ଏକ କାଳଜୟୀ ଗପର କିଛି ଉଦ୍ଧୃତାଂଶ ଏଠାରେ ପ୍ରଯୁଜ୍ୟ – ‘ସମସ୍ତେ କହନ୍ତି ଡାକ୍ତରଖାନା ପାଖରେ ବରଗଛଟି ଅଛି, ମାତ୍ର ଆଦିବାସୀ ଶୁକ୍ରୁଜାନୀ କହେ ବରଗଛ ପାଖରେ ଡାକ୍ତରଖାନାଟି ଅଛ। ତା’ ମତରେ ପାଞ୍ଚଶହ ବର୍ଷର ବରଗଛ ଥାଉଁ ଥାଉଁ ସେ ଇତିହାସ ସୃଷ୍ଟି ନକରି ପାଞ୍ଚ ବର୍ଷର ଡାକ୍ତରଖାନା କ’ଣ ସେଇ ଜାଗା ନେଇପାରିବ?’ ବାସ୍ତବରେ ତଥାକଥିତ ସଭ୍ୟ ଲୋକଙ୍କ ବିଚାର ହେଲା ଡାକ୍ତରଖାନା ମୁଖ୍ୟ ଆଉ ବରଗଛ ଗୌଣ। ଠିକ୍‌‌ ସେଇୟା ଘଟିଛି ଆୟୁର୍ବେଦ କ୍ଷେତ୍ରରେ।ଆୟୁର୍ବେଦର ଇତିହାସ ସୁଦୀର୍ଘ ତାହା କେହି ମନା କରିପାରିବେ ନାହିଁ। ମାତ୍ର ଦୁଃଖର କଥା ହେଲା ଏଇ ଦୁଇପ୍ରକାର ଚିକିତ୍ସା ବିଜ୍ଞାନର ଲକ୍ଷ୍ୟ ଅଲଗା। ଆୟୁର୍ବେଦ ମଣିଷର ସାଧାରଣ ସ୍ୱାସ୍ଥ୍ୟ କିପରି କିପରି ଠିକ୍‌‌ ରହିବ ଏବଂ ସେ କିପରି ରୋଗମୁକ୍ତ ନିରାମୟ ଜୀବନଯାପନ କରିପାରିବ, ତାହା ଲକ୍ଷ୍ୟ ରଖିଥାଏ। ଆଧୁନିକ ଚିକିତ୍ସା ବିଜ୍ଞାନ ଗବେଷଣାଲବ୍ଧ ଜ୍ଞାନ ଲାଭ କରି ତ୍ୱରିତ ଆରାମ ଦେବାର ବ୍ୟବସ୍ଥା କରେ। ଅବଶ୍ୟ ଏହା ସତ ଯେ ଆୟୁର୍ବେଦ ଔଷଧି ପ୍ରୟୋଗରେ କିଛି ପାର୍ଶ୍ବ ପ୍ରତିକ୍ରିୟା ରୋଗୀ ଅନୁଭବ କରେନାହିଁ। ମାତ୍ର ଏହା ତ୍ୱରିତ ଆରୋଗ୍ୟ କରିବାର କ୍ଷମତା ରଖେନାହିଁ। ଆୟୁର୍ବେଦରେ ଏକ ସୁସ୍ଥ ଓ ସାମଗ୍ରିକ ଭାବରେ ନିରାମୟ ଜୀବନର ସୂତ୍ର ରହିଛି। ମାତ୍ର ଆଧୁନିକ ପିଢ଼ିର ଲୋକମାନେ କୌଣସି ବାଧାବନ୍ଧନ ମାନିବାକୁ ପ୍ରସ୍ତୁତ ନୁହନ୍ତି ।

ଏହାର ଫଳଶ୍ରୁତି ହୋଇଛି ଯେ ଆଧୁନିକ ଚିକିତ୍ସା ବିଜ୍ଞାନ ଆଗରେ ଫିକା ପଡ଼ିଯାଇଛି ଆୟୁର୍ବେଦ।ଆଧୁନିକ ଔଷଧକୁ ହିନ୍ଦୀରେ କୁହାଯାଏ ‘ଦବାଇ’। କେହି ଜଣେ ଅନୁସନ୍ଧିତ୍ସୁ କହୁଥିଲେ ଏହା ସେମିତି ଗୋଟିଏ ରୋଗକୁ ଦବେଇ ଦେଇ ଆଉ ଗୋଟିଏ ନୂଆ ରୋଗ ସୃଷ୍ଟି କରିବାକୁ ଉଦ୍ୟତ। ଆଧୁନିକ ଯୁଗର ନିୟାମକ ହେଲା ବିଜ୍ଞାନ। ବିଜ୍ଞାନର ଭିତ୍ତି ହେଲା ପ୍ରମାଣ, ଯାହା ସାର୍ବଜନୀନ। ମାତ୍ର ଆଧୁନିକ ବିଜ୍ଞାନର ଏଇ ତତ୍ତ୍ୱରେ ଆୟୁର୍ବେଦ ସବୁକ୍ଷେତ୍ରରେ ସଫଳ ହୋଇପାରେ ନାହିଁ, ଯାହାଫଳରେ ପୃଥିବୀର ଅତି ଉନ୍ନତ ଦେଶମାନେ ଆୟୁର୍ବେଦକୁ ଗ୍ରହଣ କରିପାରି ନାହାନ୍ତି। ଯଦିଓ କିଛି ଆଧୁନିକ ଦେଶ ଆୟୁର୍ବେଦକୁ କିଛିପ୍ରକାରେ ଗ୍ରହଣ କରିଛନ୍ତି, ତାହା ଔଷଧ ରୂପରେ ନୁହେଁ ବରଂ ଅତିରିକ୍ତ ଖାଦ୍ୟ ଭାବରେ। ଆମେରିକା ପରି ୪୦କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ମାତ୍ର ଅଢ଼େଇ ଲକ୍ଷ ଲୋକ ଆୟୁର୍ବେଦିକ ଔଷଧ ବ୍ୟବହାର କରନ୍ତି ବୋଲି ଏକ ପରିସଂଖ୍ୟାନରୁ ଜଣାପଡ଼ିଛି। ମାତ୍ର କିଛି ପୁରାତନ ରୋଗ ଏବଂ ଗଣ୍ଠିବ୍ୟଥା ପରି କେତେକ ନିର୍ଦ୍ଦିଷ୍ଟ ରୋଗରେ ଆୟୁର୍ବେଦିକ ଔଷଧ ଖୁବ୍‌‌ ଫଳପ୍ରଦ ବୋଲି ବିଚାର କରାଯାଏ।୧୯୯୦ ଦଶକର କଥା। ସେତେବେଳର ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଆସିଥିଲେ ଆୟୁର୍ବେଦିକ ଡାକ୍ତରଙ୍କର ଏକ ପ୍ରତିନିଧି ଦଳ। ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଦାବି କହିବା ପୂର୍ବରୁ ତାଙ୍କୁ ପ୍ରଭାବିତ କରିବା ପାଇଁ କହିଲେ, ‘ଆପଣ ସବୁବେଳେ ସ୍ୱାଭିମାନ କଥା କହୁଛନ୍ତି। ଆମେମାନେ ମଧ୍ୟ ଶତପ୍ରତିଶତ ତାହା ପାଳନ କରିବାକୁ ଚାହୁଁ। କିନ୍ତୁ ଆମେ ଏଲୋପାଥିକ ଡାକ୍ତରଙ୍କ ପରି ଦ୍ୱିତୀୟ ଶ୍ରେଣୀ ଗେଜେଟେଡ୍‌‌ ପାହ୍ୟା ପାଇନାହୁଁ (ତାହା ଥିଲା ସେତେବେଳର ସ୍ଥିତି)। ତେଣୁ ଆମର ସ୍ୱାଭିମାନ ସ୍ୱାଭାବିକ ଭାବରେ ବ୍ୟାହତ ହେଉଛି। ଏହା ଫଳରେ ଆମେ ଉଚ୍ଚସ୍ତର ସେବା ଦେବା ପାଇଁ ଆବଶ୍ୟକ ପ୍ରେରଣା ପାଇ ପାରୁନାହୁଁ।’ ମୁଖ୍ୟମନ୍ତ୍ରୀ କହିଲେ, ‘ସେମାନେ ମୋ ଛାତିରେ ଅପରେସନ କରି କ’ଣ ଗୋଟାଏ ମେସିନ୍‌‌ ଲଗେଇ ଦେଇଛନ୍ତି, ମୋର ନିଃଶ୍ୱାସ ପ୍ରଶ୍ୱାସ ସେଇଥିଲେ ଚାଲିଛି। ତମେ ସେମିତି କରିପାରିବ?’ ଗୋଟାଏ ନିଃଶବ୍ଦତା ଛାଇଗଲା ଚାରିଆଡ଼େ। ମୁଖ୍ୟମନ୍ତ୍ରୀ କହିଲେ, ‘ତମେ ଖାଲି ମୋଦକ ତିଆରି କଲେ କ’ଣ ଚଳିବ? ଶଲ୍ୟ ଚିକିତ୍ସାରେ କିଛି କାମ କରି ଦେଖାଅ, ତା’ପରେ ଆସିବ।’ ସର୍ଜରୀ କ୍ଷେତ୍ରରେ ପ୍ରଭୂତ ଉନ୍ନତି କରିଛି ଏଲୋପାଥିକ ଚିକିତ୍ସା ବ୍ୟବସ୍ଥା ।

ଏହା ଫଳରେ ବହୁ ଦୁରାରୋଗ୍ୟ ବ୍ୟାଧିର ଉପଶମ କରାଯାଇପାରୁଛି ଏବଂ ଏହା ଲୋକଙ୍କର ପ୍ରିୟ ହେବା ପଛର ଏକ ବିଶେଷ କାରଣ।ଆୟୁର୍ବେଦ ପଛରେ ପଡ଼ିଯିବାର ଆଉ ଏକ ପ୍ରମୁଖ କାରଣ ହେଲା ଆୟୁର୍ବେଦିକ ଔଷଧ ପ୍ରସ୍ତୁତିରେ ଗୁଣାତ୍ମକମାନ ଠିକ୍‌‌ ରଖିବା ପାଇଁ ସେମିତି କଡ଼ାକଡ଼ି ବ୍ୟବସ୍ଥା ନାହିଁ। ଏହା ଫଳରେ ନ୍ୟୂନମାନର ବହୁ ଔଷଧ ବଜାରକୁ ଆସୁଛି ଏବଂ ଗ୍ରାହକ ବା ରୋଗୀମାନଙ୍କର ବିରାଗ ଭାଜନ ହେଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମେଧାବୀ ଛାତ୍ରଛାତ୍ରୀମାନେ ଆଧୁନିକ ଚିକିତ୍ସା ବିଜ୍ଞାନ ସାଥୀରେ। ସେମାନେ ସବୁଦିନ ଗବେଷଣାରେ ଲାଗିଛନ୍ତି। ଉନ୍ନତ ଗବେଷଣା ବିନା କୌଣସି ଜ୍ଞାନ ଉତ୍କର୍ଷ ସ୍ତରରେ ପହଞ୍ଚି ପାରେ ନାହିଁ। ତାହା ହିଁ ହୋଇଛି ଅବଶ୍ୟମ୍ଭାବୀ ପରିସ୍ଥିତି।ଗୁରୁକୁଳରେ ସବୁଠାରୁ ମେଧାବୀ ଥିଲେ ଚରକ। ବିଦ୍ୟା ଶିକ୍ଷା ଅନ୍ତେ ଗୁରୁ ଶିଷ୍ୟମାନଙ୍କ ପରୀକ୍ଷା ନେବା ପାଇଁ କହିଲେ, ସମସ୍ତେ ଅଲଗା ଅଲଗା ଯିବ ଏବଂ ଅନୁଧ୍ୟାନ ପୂର୍ବକ ଗୋଟିଏ ଗଛର ପତ୍ର ନେଇ ଆସିବ, ଯାହାର କୌଣସି ଔଷଧୀୟ ଗୁଣ ନଥିବ। କିଛି ସମୟ ପରେ କେବଳ ଚରକଙ୍କୁ ଛାଡ଼ି ସମସ୍ତ ଶିଷ୍ୟ ପତ୍ରଟିଏ ଲେଖାଏଁ ଧରି ଆଶ୍ରମକୁ ଫେରିଲେ। ସନ୍ଧ୍ୟା ଆଗତପ୍ରାୟ। ଚରକଙ୍କୁ ଖୋଜିବାକୁ ବଣ ଭିତରକୁ ଯାଇ ଗୁରୁ ଦେଖିଲେ ଚରକ ପରୀକ୍ଷା ନିରୀକ୍ଷାରେ ଲାଗିଛନ୍ତି। ଗୁରୁଙ୍କୁ ଦେଖି ରଚକ କହିଲେ, ‘ମହାତ୍ମା ମୁଁ ଆଜି ଦିନର ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଛି। କାରଣ ଏପର୍ଯ୍ୟନ୍ତ ମୁଁ କୌଣସି ବୃକ୍ଷର ସନ୍ଧାନ ପାଇଲି ନାହିଁ, ଯାହାର ଔଷଧୀୟ ଗୁଣ ନାହିଁ।’ ସେଇ ପରୀକ୍ଷାରେ କେବଳ ଚରକ ହିଁ କୃତକାର୍ଯ୍ୟ ହୋଇଥିଲେ। ବହୁ ବର୍ଷପୂର୍ବରୁ ହୋଇଥିବା ସେଇ ପରୀକ୍ଷା ସୂଚେଇଦିଏ ଯେ ସବୁ ବୃକ୍ଷରେ କିଛିନା କିଛି ଔଷଧୀୟ ଗୁଣ ରହିଛି। ଏହାକୁ ଖୋଜି ବାହାର କରି ଉପଯୁକ୍ତ ପ୍ରୟୋଗ କରିବା ଆବଶ୍ୟକ। ଅଧିକ ମେଧାବୀ ଏ ବିଷୟରେ ଆଗ୍ରହୀ ହେଲେ ଏବଂ ସରକାରଙ୍କର ଶୁଭଦୃଷ୍ଟି ରହିଲେ ଏହି ପାରମ୍ପରିକ ଜ୍ଞାନଭିତ୍ତିକ ଚିକିତ୍ସା ପଦ୍ଧତି ଲୋକପ୍ରିୟ ହୋଇପାରିବ । ଡ. ନିରଞ୍ଜନ ସାହୁ(ପୂର୍ବତନ ପ୍ରଶାସନିକ ଅଧିକାରୀ)ଭୁବନେଶ୍ୱର, ମୋ: ୯୪୩୮୪୮୨୯୧୧

Leave a Reply

Your email address will not be published. Required fields are marked *