
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଦକ୍ଷିଣ ଓଡ଼ିଶା ରେଳ ଏବଂ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବ୍ରହ୍ମପୁର ଫୁଲବାଣୀ ରେଳ ଲାଇନ୍ ଦାବୀ ନେଇ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଏବଂ ଶୋଭାଯାତ୍ରା କରାଯାଉଛି । ଏନେଇ ଏକ ସଚେତନତା ରଥ ମଧ୍ଯ ବାହାରିଛି। ଆସନ୍ତା ୧୩ ତାରିଖରେ ଉକ୍ତ ରଥ ଭଂଜନଗରରେ ପହଞ୍ଚିବ। ଏହି ଅବସରରେ ଭଞ୍ଜନଗର ର ବିଭିନ୍ନ ସଙ୍ଗଠନ ପକ୍ଷରୁ ରଥକୁ ସ୍ୱାଗତ କରାଯିବା ସହ ଏକ ସଭା ସହରରେ ହେବ। କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେଥିପାଇଁ ଭଞ୍ଜନଗର ବାର ଆସୋସିଏସନ୍ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଏକ ସଭା ହୋଇଥିଲା। ଏଥିରେ ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ର ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେନେଇ କହିଥିଲେ। ଏହି ଅବସରରେ ସମ୍ପାଦକ ଜ୍ୟୋତିରାଜ ପତି, ବରିଷ୍ଠ ଆଇନଜୀବି ସୋମନାଥ ନାୟକ, ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ସନ୍ତୋଷ କୁମାର ନାୟକ, ଧବଳେଶ୍ବର ମାଝୀ, ସୁଶାନ୍ତ ତ୍ରିପାଠୀ, ସନ୍ତୋଷ ପାଳ, ରଜତ ଦାସ, ଗିରିଜା ଶଙ୍କର ଭୂୟାଁ , ଚନ୍ଦ୍ରମଣି ମହାପାତ୍ର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇ ନିଜର ମତ ରଖିଥିଲେ। ଏଥିସହ ବୁଧବାର ପୁଣି ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ସଭାପତି ସୋମନାଥ ନାୟକଙ୍କ ଆହ୍ଵାନକ୍ରମେ ସହରର ବିଭିନ୍ନ ସଙ୍ଗଠନକୁ ଡକାଯାଇଛି ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିବା ପାଇଁ। ସୂଚନା ଯୋଗ୍ୟ ଯେ ଦେଶ ସ୍ବାଧୀନତା ହେବାର ୭୮ ବର୍ଷ ବିତିଗଲାଣି ତଥାପି କନ୍ଧମାଳ ଜିଲାବାସୀ ରେଳ ଲାଇନ ଜିଲାରେ ଦେଖିନାହାନ୍ତି। ସେହିଭଳି ବ୍ରିଟିଶ ଶାସନ ପୂର୍ବରୁ ଗଞ୍ଜାମ ଜିଲାରେ ଯେତିକି ରେଳ ଲାଇନ ବିଛା ହୋଇଥିଲା ସେତିକି ହିଁ ବର୍ତ୍ତମାନ ଅଛି। ଇଞ୍ଚେ ମଧ୍ୟ ଆଉ ବଢ଼ିନାହି। ଫଳରେ ଭଞ୍ଜନଗର ଉପଖଣ୍ଡବାସୀଙ୍କ ପାଇଁ ରେଳ ଲାଇନ ସ୍ବପ୍ନ ହୋଇ ରହିଯାଇଛି ।
ତେଣୁ ଆଗାମୀ ବଜେଟରେ ଉକ୍ତ ପ୍ରକଳ୍ପ ପାଇଁ କିଭଳି ଅର୍ଥ ଅନୁମୋଦନ ହେବ ସେଥିପାଇଁ ଆନ୍ଦୋଳନକୁ ଇତିମଧ୍ୟରେ ଜୋରଦାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅପରପକ୍ଷେକେନ୍ଦ୍ରରେ ସରକାର ପରେ ସରକାର ବଦଳୁଛି କିନ୍ତୁ ଉକ୍ତ ପ୍ରକଳ୍ପ ପ୍ରତି କୌଣସି ସରକାର ବିଶେଷ ଦୃଷ୍ଟି ଦେଉନାହାନ୍ତି। ଇତିମଧ୍ୟରେ କେନ୍ଦ୍ରରେ ଭାଜପା ସରକାର ଲଗାତର ୧୧ ବର୍ଷ ଶାସନ କଲାଣି କିନ୍ତୁ ଗୋପାଳପୁର ଭାୟା ଭଞ୍ଜନଗର , ଫୁଲବାଣୀ ହୋଇ ରେଢ଼ାଖୋଲ ଯିବାକୁ ଥିବା ରେଳ ଲାଇନ ଚୂଡ଼ାନ୍ତ ସର୍ଭେ ସରିବାକୁ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ହେଉଥିବା ଉକ୍ତ ପ୍ରକଳ୍ପ ପୂର୍ବ ସର୍ଭେରେ ଫୁଲବାଣୀ ସହରକୁ ଯୋଜନାବଦ୍ଧ ଭାବେ ବାଦ ଦିଆଯାଇଥିଲା। ଗତ ସାଧାରଣ ନିର୍ବାଚନରେ ଏହା ଏକ ରାଜନୈତିକ ଇସ୍ୟୁ ହୋଇଥିଲା। ନିର୍ବାଚନ ପରେ ଡବଲ ଇଞ୍ଜିନ ସରକାର ଶାସନ ଆରମ୍ଭ ପରେ ବର୍ତ୍ତମାନ ଫୁଲବାଣୀ ସହରକୁ ରେଳ ଲାଇନ ଯୋଡିବା ପାଇଁ ସର୍ଭେ ଚାଲିଛି। ତେଣୁ ବର୍ତ୍ତମାନ ଚକାପାଦ ଠାରୁ ଫୁଲବାଣୀ ହୋଇ ବଉଦ ପର୍ଯ୍ୟନ୍ତ ସର୍ଭେ ଚାଲିଛି। ପ୍ରତ୍ୟକ୍ଷ ଭାବେ ସର୍ଭେ ସରିବା ପରେ ଅନ୍ୟାନ୍ୟ ସର୍ଭେ ହେବ। ଏହାପରେ ଡିପିଆର ହେବ। ଏହିଭଳି ଅନେକ ପର୍ଯ୍ୟାୟ ଦେଇ ଯିବା ପରେ ବଜେଟ ରେ ଟଙ୍କା ଅନୁମୋଦନ ହେବ। ତେଣୁ ଆସନ୍ତା ୨୦୨୬-୨୭ ବଜେଟ୍ରେ ଏନେଇ ଅର୍ଥ ବ୍ୟବସ୍ଥା ହେବ ବୋଲି ଶାସକ ଗୋଷ୍ଠୀ ଆଶା ରଖିଛନ୍ତି। କିନ୍ତୁ ବିରୋଧୀ ଗୋଷ୍ଠୀ ଏହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ।
ଏହିଭଳି ପରିସ୍ଥିତିରେ କନ୍ଧମାଳ ଏମ୍ପି ସୁକାନ୍ତ ପାଣିଗ୍ରାହୀ ଗତ ୧୪ ତାରିଖରେ ପୂର୍ବତଟ ରେଳପଥର ସାଧାରଣ ପରିଚାଳକଙ୍କୁ ଭେଟି ଗୋପାଳପୁର ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ନେଇ ଆଲୋଚନା କରିଥିଲେ। ଇତିମଧ୍ୟରେ ଦକ୍ଷିଣ ଓଡ଼ିଶା ରେଳ ଏବଂ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଇତିମଧ୍ୟରେ ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାର ରେଳ ଲାଇନ ଯିବାକୁ ଥିବା ପ୍ରମୁଖ ସହର ଗୁଡ଼ିକରେ ପଥପ୍ରାନ୍ତ ସଭା କରିବା ପାଇଁ ନିଷ୍ପତ୍ତି ନେଇଛି। କିଭଳି ଉକ୍ତ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ ସେଥିପାଇଁ ସରକାରଙ୍କ ଉପରେ ଚାପ ପକାଇବା ଲକ୍ଷ୍ୟ ନେଇ ପଥପ୍ରାନ୍ତ ସଭା ହେବ।ଅପରପକ୍ଷେ ଠିକାଦାର ସଂସ୍ଥା ବର୍ତ୍ତମାନ ସର୍ଭେ କାମ ଚଳାଇଛନ୍ତି। ଏଥିପାଇଁ ୧ କୋଟି ୨୯ ଲକ୍ଷ ୩୫ ହଜାର ୯୭୭ ଟଙ୍କା ଚୁକ୍ତି ହୋଇଛି। କେଉଁ ରାସ୍ତା ଦେଇ ରେଳ ଲାଇନ ଯିବ ତାହାର ସର୍ଭେ ଠିକାଦାର ସଂସ୍ଥା କରିବା ସହ ଚୁଡାନ୍ତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବ । ଜମିର ପ୍ଲାନ ଏବଂ ଡିପିଆର ପ୍ରସ୍ତୁତ କରି ଓଡିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ (ଓରିଡେଲ)କୁ ରିପୋର୍ଟ ପ୍ରଦାନ କରିବେ ଠିକାଦାର ସଂସ୍ଥା। ଏହାପରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହ ଭାଗିତାରେ ଉକ୍ତ ପ୍ରକଳ୍ପ ହେବ । ତେଣୁ ଡି ପି ଆର୍ ସରିଲେ କେନ୍ଦ୍ର ଓ ରାଜ୍ୟ ବଜେଟରେ ଏଥିପାଇଁ ଅର୍ଥ ଅନୁମୋଦନ ହେବା ସମ୍ଭାବନା ରହିଛି। ୨୫୪ କିମି ଗୋପାଳପୁର ରେଢ଼ାଖୋଲ ଭାୟା ଫୁଲବାଣୀ ରେଳ ଲାଇନ ପ୍ରକଳ୍ପ ଯେତେ ବିଳମୱ ହେଉଛି ସେହି ଅନୁସାରେ ବ୍ୟୟ ଅଟକଳ ମଧ୍ୟ ବଢୁଛି। ତେଣୁ ଉକ୍ତ ପ୍ରକଳ୍ପ ପାଇଁ ଅର୍ଥ ଅନୁମୋଦନ କରି ଜମି ଅଧିଗ୍ରହଣ ଆରମ୍ଭ ପାଇଁ ଦାବି ହୋଇଛି। ଅପରପକ୍ଷେ ସୂଚନାକର୍ମୀ ବି ଶଙ୍କର ପାତ୍ର କହିଛନ୍ତି ଯେ, ଚକାପାଦ ଭାୟା ଫୁଲବାଣୀ ହୋଇ ବଉଦକୁ ଯୋଡ଼ିବା ପାଇଁ ସର୍ଭେ ଚାଲିଛି। ପୁର୍ବରୁ ବଳକା ଅଂଶ ସର୍ଭେ ସରିଛି। ବର୍ତ୍ତମାନ ଚାଲିଥିବା ସର୍ଭେ ସରିବା ପରେ ଡିପିଆର୍ ପ୍ରସ୍ତୁତ ହୋଇ ତୁରନ୍ତ ଅର୍ଥ ଅନୁମୋଦନ ହେବା ସମ୍ଭାବନା ରହିଛି ।