
ପୁରୀ (ବଳରାମ ତ୍ରିପାଠି ଓଡିଶା ଟୁଡେ) : ରଥରେ ସ୍ଥାପନ ହେଉଥିବା ପାର୍ଶ୍ଵ ଦେବାଦେବୀ ପାଣିରେ ଭିଜୁଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟ ୨ୟ ମହଲାରେ ପାର୍ଶ୍ଵ ଦେବାଦେବୀଙ୍କୁ ରଖାଯାଇଛି। ନିକଟରେ ଘର ତିଆରି ଚାଲିଛି। ସେହିଠାରୁ ପାଣି ଭାସି ଆସି ପାର୍ଶ୍ଵଦେବଦେବୀଙ୍କୁ ଭିଜାଉଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ପଡ଼ୁନାହିଁ । ରଥତ୍ରୟରେ ୯ ମୂର୍ତ୍ତି ଲେଖାଁଏ ୨୭ ପାର୍ଶ୍ଵ ଦେବଦେବୀ ଅଧିଷ୍ଠିତ ହୁଅନ୍ତି। ମହାପ୍ରଭୁଙ୍କ ନବକଳେବର ବର୍ଷ ରୂପକାରଙ୍କ ଦ୍ବାରା ନୂତନ ଭାବେ ତିଆରି ହୁଅନ୍ତି ପାର୍ଶ୍ଵଦେବାଦେବୀ। ପ୍ରତି ବର୍ଷ ରଥକୁ ଯିବା ପୂର୍ବରୁ ପୁନଃ ରଙ୍ଗ କରାଯାଇ ରଥରେଲାଗି ହୋଇଥାନ୍ତି। ତେବେ ପାଣିରେ ଭିଳିଲେ ପ୍ରତିମୂର୍ତ୍ତି ଶୀଘ୍ର ନଷ୍ଟ ହେବାର ଆଶଙ୍କା ରହୁଛି । ମହାପ୍ରଭୁଙ୍କୁ ଧାରଣ କରିବା ପୂର୍ବରୁ ପାର୍ଶ୍ଵ ଦେବାଦେବୀ ରଥରେ ସ୍ଥାପିତ ହୋଇଥାନ୍ତି। ଏମାନେ ରଥ ସାଜ ଉପକରଣ ନୁହଁନ୍ତି। ବରଂ ଶାସ୍ତ୍ର ତଥା ଧର୍ମାନୁମୋଦିତ ଦେବଦେବୀ। କେଉଁ ରଥରେ କେଉଁ ଦେବଦେବୀ ସ୍ଥାନ ପାଇବେ ତାହା ବିଧି ନିର୍ଦ୍ଦିଷ୍ଟ। ପୂର୍ବରୁ ପାର୍ଶ୍ଵଦେବଦେବୀଙ୍କୁ ଅବହେଳା ନେଇ ରୂପକାରମାନେ ଉଦ୍ବେଗ ପ୍ରକାଶ କରିଥିଲେ। ଏବେ ପୁଣି ପ୍ରସ୍ତୁତି ପୂର୍ବରୁ ପାର୍ଶ୍ଵଦେବଦେବୀଙ୍କୁ ଏଭଳି ସ୍ଥିତିରେ ଦେଖି ପ୍ରତ୍ୟକ୍ଷଦର୍ଶୀ କ୍ଷୋଭ ପ୍ରକାଶ କରିଛନ୍ତି ।