ବେଲଗୁଣ୍ଠାରେ ପାଳିତ ହେଲା ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ; ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେଲେ ପ୍ରଭୁ ଦାରୁବ୍ରହ୍ମ

ବେଲଗୁଣ୍ଠା ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ବେଲଗୁଣ୍ଠାରେ ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ସମସ୍ତ ରୀତିନୀତି ,ଉତ୍ସାହ ,ଉଦ୍ଦୀପନାର ସହ ଏକ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ୫ ଘଣ୍ଟ ସମୟରେ ପ୍ରଭୁଙ୍କ ସମସ୍ତ ରୀତିନୀତି ପରେ ମଙ୍ଗଳା ଆଳତୀ ସମ୍ପନ୍ନ ହୋଇଥିଲା ପରେ  ସେବାୟତ ମାନଙ୍କ ଦ୍ୱାରା ସ୍ନାନ ମଣ୍ଡପକୁ ପ୍ରଭୁଙ୍କୁ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିଲା ।  ଅବକାଶ ନୀତି ଆରମ୍ଭ ହୋଇ ଶେଷ ହେବା ପରେ କଳସ ପୂଜା ସମ୍ପନ୍ନ ହୋଇଥିଲା । ପରେ ଚତୁର୍ଦ୍ଧାମୂର୍ତିଙ୍କୁ ୧୦୮ ଗରା ବା କଳସ ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ସ୍ନାନ ମଣ୍ଡପରେ  ଦେବସ୍ନାନ କାର୍ଯ୍ୟକ୍ରମ ସମ୍ପନ୍ନ ହେବା ପରେ ଦାରୁବ୍ରହ୍ମଙ୍କୁ ନୂତନ ବସ୍ତ୍ର ପରିଧାନ ଓ ଚନ୍ଦନ ଲେପନ କାର୍ଯ୍ୟକ୍ରମ ଶେଷ ହୋଇଥିଲା ଓ ପ୍ରଭୁ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ପରେ ପରେ ଅବକାଶ ଆଳତି, ବାଳ ଭୋଗ ପରେ ପ୍ରଭୁଙ୍କୁ ମଧ୍ୟାହ୍ନ ଭୋଗ ଲାଗି କରାଯାଇଥିଲା । ଅପରାହ୍ନରେ ଚିତ୍ରକରଙ୍କ ଦ୍ୱାରା ପ୍ରଦତ୍ତ ପଟ୍ଟଚିତ୍ରକୁ ଆଡ଼ପ ଘରକୁ ନେଇ ଯଥାରୀତି ପୂଜାର୍ଚ୍ଚନା ପରେ ଅଣସର ପିଣ୍ଡିରେ ଚତୁର୍ଦ୍ଧାମୂର୍ତିଙ୍କୁ ବିଜେ କରାଯାଇଥିଲା ଓ ପଟ୍ଟଚିତ୍ର ବୈଦ୍ୟ ନାରାୟଣ ବା ପଟ୍ଟ ଦିଅଁଙ୍କୁ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା । ଦେବସ୍ନାନ ପୂର୍ଣ୍ଣିମା ଠାରୁ ଜଗନ୍ନାଥଙ୍କୁ ଅନ୍ନ ଭୋଗ ନିଷେଧ କରାଯାଇଥିବା ବେଳେ ଅଣସର ନୀତି ଆରମ୍ଭ କରାଯାଇଥିବା ସେବାୟତ ପଣ୍ଡିତ ଶ୍ୟାମସୁନ୍ଦର ପଣ୍ଡା, ପଣ୍ଡିତ ରାମକୃଷ୍ଣ ପତି , ରାଧାମୋହନ ଦାସ, ମନ୍ଦିର ପୁରୋହିତ ପଣ୍ଡିତ ଦୁର୍ଗା ପ୍ରସାଦ ପତି ପ୍ରମୁଖ ସୂଚନା ଦେଇଛନ୍ତି । ସମସ୍ତ କାର୍ଯ୍ୟକ୍ରମରେ ସେବାୟତ ମାନେ ସହଯୋଗ କରିଥିଲେ । ସେହିପରି ବାଲିଡ଼ି ସାହି ସ୍ଥିତ ଶ୍ରୀଜଗନ୍ନାଥ ସ୍ୱାମୀଙ୍କ ମନ୍ଦିରରେ ମଧ୍ୟ ସମସ୍ତ ରୀତିନୀତି ଅନୁଯାୟୀ ଠାକୁରଙ୍କ ଦେବସ୍ନାନ ପୂର୍ଣ୍ଣିମା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିବା ଜଣାପଡିଛି । ମୁଖ୍ୟ ସେବାୟତ ପବିତ୍ର କୁମାର ପଣ୍ଡା ,ସନ୍ତୋଷ କୁମାର ପଣ୍ଡା ଓ ଅନ୍ୟାନ୍ୟ ସେବାୟତ ମାନେ ଦାରୁବ୍ରହ୍ମଙ୍କ ଦେବନୀତି ପାଳନରେ ସହଯୋଗ କରିଥିବା ଜଣାପଡିଛି । ଅନ୍ୟପଟେ ବଡ଼ଦାଣ୍ଡ ସ୍ଥିତ ଶ୍ରୀଜଗନ୍ନାଥ ସ୍ୱାମୀଙ୍କ ସେବାରେ ନିଖିଳ ଉତ୍କଳ ଖଡୁରା କଲ୍ୟାଣ ପରିଷଦ ବେଲଗୁଣ୍ଠା ଶାଖା ସହଯୋଗ କରିବା ସହ ସଭାପତି ଚିତ୍ତ ରଞ୍ଜନ ସାହୁଙ୍କ ନେତୃତ୍ୱରେ ପ୍ରଭୁଙ୍କ ନିକଟରେ ସମାଜର ସଦସ୍ୟ ମାନେ ଆରମ୍ଭ କରିଥିବା ଘଣ୍ଟ ବାଦ୍ୟ ପରିବେଷଣ ପରମ୍ପରାକୁ ଚଳିତ ବର୍ଷ ମଧ୍ୟ ଯଥାରୀତି ପାଳନ କରିଛନ୍ତି । ଏଭଳି ସହଯୋଗ ଓ ସାଧୁ ଉଦ୍ୟମକୁ ମନ୍ଦିର ପରିଚାଳନା ଟ୍ରଷ୍ଟ ତରଫରୁପ୍ରଶଂସା କରାଯାଇଛି । ବଡ଼ଦାଣ୍ଡ ଜଗନ୍ନାଥ ମହାପ୍ରଭୁ ମନ୍ଦିରରେ ଅନୁଷ୍ଟିତ ଦେବସ୍ନାନ ପୂର୍ଣ୍ଣିମା କାର୍ଯ୍ୟକ୍ରମ ରେ ଲିଟୁ କୁମାର ପତି,ବଳରାମ ପଣ୍ଡା, ପୁରୋହିତ ଦୂର୍ଗା ପ୍ରସାଦ ପତି, ଶୁଭକାନ୍ତ ପତି, ଗଜେନ୍ଦ୍ର ନାଥ ପତି, ଗୌରୀ ଶଙ୍କର ପତି, ହାଡ଼ିବନ୍ଧୁ ପତି, ଅର୍ଜୁନ ପଣ୍ଡା,ବୁବୁନୁ ପଣ୍ଡା, ଗୌରାଙ୍ଗ ସାହୁ,ମହେଶ୍ଵର ପତି, ସଦାଶିବ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିବା ବେଳେ ବାଲିଡି ଜଗନ୍ନାଥ ମନ୍ଦିର କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ପଣ୍ଡା, କାଳୀପ୍ରସାଦ ପଣ୍ଡା, ଚିତ୍ତ ରଞ୍ଜନ ପତି,ଶଙ୍କର୍ଷଣ ସାହୁ ପ୍ରମୁଖ ସହଯୋଗ କରିଥିଲେ । ସେହିଭଳି ବେଲଗୁଣ୍ଠା ବ୍ଲକର ପାଇଲିପଡ଼ା,ଗୋବରା ,ଟିକରପଡା ଆଦି ସ୍ଥାନରେ ମଧ୍ୟ ଉତ୍ସାହ , ଉଲ୍ଲାସର ସହ ଶ୍ରୀଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା କାର୍ଯ୍ୟକ୍ରମ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *