
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ରାଜ୍ୟରେ ବଜ୍ରପାତ ମୃତ୍ୟୁ ଘଟଣା ଦିନକୁ ଦିନ ବଢୁଥିବା ବେଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡରେ ମଧ୍ୟ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏହାକୁ ନିୟନ୍ତ୍ରଣ ପାଇଁ ବନବିଭାଗ ଗୁରୁତ୍ବାରୋପ କରିଛି। ବଜ୍ରପାତ ନିୟନ୍ତ୍ରଣ ପାଇଁ ଜିଲ୍ଲାର ଘୁମୁସର ବନଖଣ୍ଡରେ ବ୍ୟାପକ ତାଳଗଛ ଲଗାଇବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଜିଲ୍ଲାର ଉତ୍ତର ଓ ଦକ୍ଷିଣ ବନଖଣ୍ଡର ସଂରକ୍ଷିତ ଜଙ୍ଗଲ ସୀମାରେ ଗତବର୍ଷ ୧ ଲକ୍ଷ ୩୧ ହଜାର ଚାରାରୋପଣ କରାଯାଇଥିବା ବେଳେ ଚଳିତ ବର୍ଷ ଆଉ ୧ ଲକ୍ଷ ୫୦ ହଜାର ତାଳଗଛ ରୋପଣ କରାଯିବା ଲକ୍ଷ୍ୟ ରଖାଯାଇଛି। ଜିଲ୍ଲା ଏବଂ ଜିଲ୍ଲା ବାହାରରୁ ଉନ୍ନତମାନର ତାଳ ମଞ୍ଜି ସଂଗ୍ରହ କରାଯାଇ ଚାରା ରୋପଣ କରାଯିବ ବୋଲି ଉତ୍ତର ଘୁମୁସର ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତି କହିଛନ୍ତି।ତାଳଗଛ ଏକ ଔଷଧୀୟ ବୃକ୍ଷ ସହିତ ଏହାର ଫଳକୁ ପାରମ୍ପରିକ ଖାଦ୍ୟ ଭାବେ ବ୍ୟବହାର କରାଯାଇଥାଏ। ତେଣୁ ପୂର୍ବକାଳରେ ଲୋକେ ଏହି ଗଛକୁ ରୋପଣ କରୁଥିଲେ । ଲୋକଙ୍କ ଜୀବନଜୀବିକା ସହିତ ତାଳଗଛ ଯୋଡି ହୋଇଥିଲା । ମାତ୍ର ଆଜିର ପିଢ଼ି ଏହାର ଗୁରୁତ୍ବକୁ ସଠିକ୍ ଭାବେ ମୂଲ୍ୟାଙ୍କନ କରିପାରୁ ନାହାନ୍ତି । ଏହା ବ୍ୟତିତ ତାଳଗଛର ଆଉ ଏକ ମହତ୍ତ୍ଵ ହେଲା ବଜ୍ରପାତକୁ ନିୟନ୍ତ୍ରଣ କରିବା। ସରକାର ମଧ୍ୟ ଏହା ସପକ୍ଷରେ ରହି ରାଜ୍ୟର ପ୍ରତ୍ୟେକ ବନାଞ୍ଚଳରେ ତାଳଗଛ ରୋପଣ ପାଇଁ ଗୁରୁତ୍ୱାରୋପ କରିଛନ୍ତି। ବନବିଭାଗ ପକ୍ଷରୁ ବ୍ୟାପକ ତାଳଗଛ ଚାରା କରାଯାଇ ସଂରକ୍ଷିତ ଜଙ୍ଗଲର ସୀମରେ ରୋପଣ କରାଯିବ ।
ଏହା ସହିତ ଜାତୀୟ ରାଜପଥ,ରାଜ୍ୟ ରାଜପଥ,ବନଖଣ୍ଡର ପ୍ରମୁଖ ରାସ୍ତାକଡ଼ରେ ଲଗାଇବା ସହିତ ଚାଷୀଙ୍କ ବିଲବାଡି, କେନାଲ ଓ ଗାଁ ପୋଖରୀ ହିଡ଼ ରେ ଲଗାଇବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ। ବିଶେଷ କରି ବିଲବାଡି ଏବଂ ରାସ୍ତାଘାଟରେ ବଜ୍ରପାତ ଜନିତ ଦୁର୍ଘଟଣା ଅଧିକ ରହୁଥିବାରୁ ସେହିଭଳି ଉପଯୁକ୍ତ ସ୍ଥାନ ନିରୂପଣ କରାଯିବାକୁ ବନବିଭାଗ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି।ଗତବର୍ଷ ଘୁମୁସର ଉତ୍ତର ବନଖଣ୍ଡରେ ୬୪ ହଜାର ଗଛ ଲଗାଯାଇଥିଲା। ସେଥିମଧ୍ୟରୁ କିଛି ଗଛ ମରି ଯାଇଥିବାରୁ ଚଳିତବର୍ଷ ସେହିସ୍ଥାନରେ ତାଳ ଚାରା ରୋପଣ କରାଯିବ। ଚଳିତବର୍ଷ ଉତ୍ତର ବନଖଣ୍ଡର ୫ଟି ବନାଞ୍ଚଳରେ ଆଉ ୭୦ ହଜାର ତାଳ ଚାରା ଲଗାଯିବ। ସେହିପରି ଦକ୍ଷିଣ ଘୁମୁସର ବନଖଣ୍ଡରେ ଗତ ବର୍ଷ ୬୭ ହଜାର ଚାରା ଲଗାଯାଇଥିବା ବେଳେ ଚଳିତବର୍ଷ ଏହି ବନଖଣ୍ଡର ୫ଟି ବନାଞ୍ଚଳରେ ୮୦ ହଜାର ତାଳ ଚାରା ଲଗାଯିବ। ଏ ସମ୍ପର୍କରେ ଦକ୍ଷିଣ ଘୁମୁସର ଡିଏଫ୍ଓ ବିନୋଦ ଆଚାର୍ଯ୍ୟ ଙ୍କୁ ଯୋଗାଯୋଗ କରିବାରୁ ତାଳଗଛ ବଜ୍ରପାତକୁ ଅନେକାଂଶରେ ନିୟନ୍ତ୍ରଣ କରିଥାଏ। ତେଣୁ ଯେଉଁ ସବୁ ସ୍ଥାନରେ ତାଳଗଛ ରହିଛି ସେଠାରେ ବଜ୍ରପାତ କ୍ଷୟକ୍ଷତି କମ୍ ରହିଥାଏ। ଅନେକ ତାଳଗଛ ବଜ୍ରପାତରୁ ଧନଜୀବନକୁ ରକ୍ଷା କରିଥାଏ। ତେଣୁ ବହୁଳ ଭାବରେ ତାଳଗଛ ଲଗାଇବାକୁ ବନବିଭାଗ ଗୁରୁତ୍ୱାରୋପ କରି ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରିଛି ବୋଲି ଡିଏଫ୍ଓ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।