ଭଞ୍ଜନଗର : ୩ ବନଖଣ୍ଡ ବୁଲି ଦେଖିଲେ କେନ୍ଦ୍ରୀୟ ଟିମ୍

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ବିଭିନ୍ନ କ୍ଷେତ୍ରରେ ପୁରସ୍କାର ଦେବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ବିଭାଗକୁ ଉତ୍ସାହିତ କରୁଛନ୍ତି । ଏହା ଦ୍ବାରା ପୁରସ୍କାର ପାଇବା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ଆଗ୍ରହ ବଢ଼ିବା ସହ କାମ ମଧ୍ୟ ଭଲ ହେବ। ଏହିଭଳି ଚଳିତ ବର୍ଷ ଜଳ ସଂରକ୍ଷଣ ଏବଂ ବନୀକରଣ ପାଇଁ କେନ୍ଦ୍ର ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ଦେଶର ଶ୍ରେଷ୍ଠ ୩ଟି ସଂସ୍ଥା ବା ବିଭାଗକୁ ପୁରସ୍କାର ପ୍ରଦାନ କରାଯିବ। ଏଥିପାଇଁ ବିଭିନ୍ନ ରାଜ୍ୟରୁ ୫୩ଟି ଆବେଦନ ଆସିଥିଲା। ଉକ୍ତ ଆବେଦନଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯାଞ୍ଚ କରାଯିବା ପରେ ସେଥିରୁ ୪୧ଟି ଆବେଦନ ପ୍ରଥମ ପର୍ଯ୍ୟାୟରେ କଟିଯାଇଥିଲା। ବର୍ତ୍ତମାନ ବଳକା ୧୨ଟି ସଂସ୍ଥାକୁ ଚୟନ କରାଯାଉଛି ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ପ୍ରଦାନ ପାଇଁ। ସେଥିମଧ୍ୟରୁ ଓଡ଼ିଶାରୁ ଏକ ମାତ୍ର ବିଭାଗ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଉକ୍ତ ୧୨ ଜଣ ତାଲିକାରେ ଅଛି। ତେଣୁ କେନ୍ଦ୍ର ସରକାରଙ୍କ ଜଳସମ୍ପଦ ବିଭାଗର ଦୁଇଜଣ ବରିଷ୍ଠ ବୈଜ୍ଞାନିକ ବି ବଳବନ୍ତରାୟ, ରାଜକିଶୋର ମହାନ୍ତି ଇତିମଧ୍ୟରେ ବ୍ରହ୍ମପୁର ଆର୍‌ସିସିଏଫ୍‌ଙ୍କ ଅଧୀନରେ ଆସୁଥିବା ବ୍ରହ୍ମପୁରର ବନଖଣ୍ଡ, ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ଏବଂ ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବୁଧବାର ଫେରିଯାଇଛନ୍ତି।ଉକ୍ତ ଟିମ୍‌ ବନ ବିଭାଗ ପକ୍ଷରୁ ଜଙ୍ଗଲରେ ହୋଇଥିବା ଜଳ ସଂରକ୍ଷଣ ଏବଂ ବନୀକରଣ ପ୍ରକଳ୍ପଗୁଡ଼ିକ ବୁଲି ଦେଖିଥିଲେ। ଏହାପରେ ଟିମ୍‌ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ସମସ୍ତ ୧୨ଟି ବିଭାଗର ରିପୋର୍ଟକୁ ଏକାଠି କରାଯିବା ପରେ ୩ଟି ବିଭାଗକୁ ପୁରସ୍କାର ପ୍ରଦାନ କରାଯିବ। ରାଷ୍ଟ୍ରପତି ଏକ ସ୍ବତନ୍ତ୍ର ଉତ୍ସବରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ପ୍ରଦାନ କରିବେ। ୧୨ ଜଣିଆ ତାଲିକାରେ ବ୍ରହ୍ମପୁର ଆର୍‌ସିସିଏଫ୍‌ କାର୍ଯ୍ୟାଳୟ ଥିବା ଯୋଗୁ ବନ ବିଭାଗ କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଛି। କେନ୍ଦ୍ର ସରକାରଙ୍କ ଆସିଥିବା ଟିମ୍‌କୁ ଆର୍‌ସିସିଏଫ୍‌ ବିଶ୍ୱନାଥ ନୀଲାନଭରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଏବଂ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି କକ୍କର ବିଭିନ୍ନ ପ୍ରକଳ୍ପ ନେଇ ବୁଲାଇ ଦେଖାଇଥିଲେ ।

Leave a Reply

Your email address will not be published. Required fields are marked *