
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ବିଭାଗ ଅଧିକ୍ଷଣଯନ୍ତ୍ରୀ କାର୍ଯ୍ୟାଳୟ ଅଧୀନରେ ଥିବା ଅନେକ ନଦୀ, କେନାଲ ଲଟା ବୁଦାରେ ଭରି ରହିଛି। ଆଉ କେତକ ସ୍ଥାନରେ ମାଟିରେ ମଧ୍ୟ ନଦୀ, ନାଳ ପୋତି ହୋଇଗଲାଣି। ଚଳିତ ବର୍ଷ ମୌସୁମୀ ବର୍ଷା ଆଗୁଆ ଆସିଯାଇଥିବାରୁ ଚାଷୀମାନେ ମଧ୍ୟ ଚାଷ କାର୍ଯ୍ୟ ପ୍ରତି ପ୍ରସ୍ତୁତ ହୋଇଗଲେଣି। କିନ୍ତୁ ଜଳସମ୍ପଦ ବିଭାଗ ଏ କ୍ଷେତ୍ରରେ ବହୁତ ପଛୁଆ ଥିବା ଜଣାପଡ଼ିଛି। ଯେଉଁଠି ନଦୀ, ନାଳର ଆଡ଼ିବନ୍ଧର ମରାମତି ଆବଶ୍ୟକ ତାହା ବର୍ତ୍ତମାନ ସୁଧା ମରାମତି ଆରମ୍ଭ ହୋଇନାହିଁ। ମୌସୁମୀ ବର୍ଷା ଆଗମନ ପୁର୍ବରୁ ନଦୀ, ନାଳଗୁଡ଼ିକର ମରାମତି କରାଯିବା କଥା କିନ୍ତୁ ତାହା ବିଭିନ୍ନ କାରଣ ଯୋଗୁ କରାଯାଇ ପାରିନାହିଁ। ନଦୀ, ନାଳଗୁଡ଼ିକ ଲଟା ବୁଦାରେ ଭରି ହୋଇଯାଇଥିବା ବେଳେ ଅନ୍ୟପଟେ ଚାଷୀମାନେ ଆଗକୁ ଚାଷ କାର୍ଯ୍ୟ କରିବା ପାଇଁ ନଦୀ, ନାଳର ଠିକଣା ବର୍ତ୍ତମାନ ଖୋଜୁଛନ୍ତି। ଏହିଭଳି ପରିସ୍ଥିତିରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ନଦୀ, ନାଳଗୁଡ଼ିକର ମରାମତି ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ନଚେତ ନଦୀ ତଟବର୍ତ୍ତୀ ଗ୍ରାମବାସୀ ଆଗାମୀ ଦିନରେ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧୀକ୍ଷଣଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିନରେ ଋଷିକୂଲ୍ୟା ସିଷ୍ଟମରେ ୨୫୭.୦୩୬ କିମି କେନାଲ ଥିତ୍ବା ବେଳେ ୧୮୫୯୭.୦୫ ହେକ୍ଟର ଜମିକୁ ଜଳସେଚନ ସୁବିଧା ଅଛି ।
ଡ଼ହ ଜଳସେଚନ ପ୍ରକଳ୍ପ ଅଧୀନରେ ୧୧୮.୧୮୮ କିମି କେନାଲ ଥିତ୍ବା ବେଳେ ୬୫୮୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ଅଛି। ବାଘୁଆ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୧୪୮.୩୩୫ କିମି. କେନାଲ ଥିବା ବେଳେ ୮୩୬୭ ହେକ୍ଟର ଜମିକୁ ଜଳସେଚନ ସୁବିଧା ଅଛି। ଭଞ୍ଜନଗର, ଡ଼ହ,ସୋରଡ଼ା ଏବଂ ବାଘୁଆ ଜଳଭଣ୍ଡାର ଅଧିନରେ ସର୍ବମୋଟ ୫୨୩.୫୫୯ କିମି. କେନାଲ ଥିତ୍ବା ବେଳେ ୩୩୫୪୪.୫ ହେକ୍ଟର ଜମିକୁ ଜଳସେଚନ ସୁବିଧା ଅଛି। ଏଥିସହ ୧୧ଟି ପ୍ରମୁଖ ନଦୀର ୩୯୨.୩୧୭ କିମି ମୁଖ୍ୟ ନଦୀ ଆଡ଼ିବନ୍ଧ ଥିବାବେଳେ ମୁଖ୍ୟ ନଦୀକୁ ସଂଯୋଗ କରୁଥିବା ୨୩୯.୮୨୦ କିମି ଛୋଟ ନଦୀ ଆଡ଼ିବନ୍ଧ ଅଛି। ବର୍ତ୍ତମାନ ଉକ୍ତ ନାଳ ଓ ନଦୀ ଆଡ଼ିବନ୍ଧର ମରାମତି ପାଇଁ ୧୦୪ଟି ଟେଣ୍ଡର ଡକାହୋଇଛି। ବର୍ତ୍ତମାନ ସେଥିମଧ୍ୟରୁ ୫୨ଟି ଟେଣ୍ଡରର ଚୁକ୍ତି ଠିକାଦାରଙ୍କ ସହ ଦୁଇଦିନ ପୂର୍ବେ ସରିଛି। ବଳକା କାମର ଚୁକ୍ତି ସରିନାହିଁ। ସମସ୍ତ କାମ ୪ ମାସ ମଧ୍ୟରେ ସରିବା ଚୁକ୍ତିରେ ବ୍ୟବସ୍ଥା ଅଛି। କିନ୍ତୁ ବର୍ତ୍ତମାନ ମୌସୁମୀ ବର୍ଷା ଆସିଯାଇଥିବା ବେଳେ ନଦୀ, ନାଳ ଗୁଡ଼ିକରେ ଧିରେ ଧିରେ ପାଣି ଆସିଲାଣି। ବର୍ଷା ବଢ଼ିବା ପୂର୍ବରୁ ତାହାର ମରାମତି କରାନଗଲେ ପରିସ୍ଥିତି ଆଗକୁ ଜଟିଳ ହେବାର ସମ୍ଭାବନା ରହିଛି। ମାଧବରିଡ଼ା, ସୋରିଷମୁଳି, ଜାନିବିଲି ଆନିକଟ ହେଉଛି ଜଳସେଚନର ଏକ ପ୍ରମୁଖ ମାଧ୍ୟମ। କିନ୍ତୁ ମାଧବାରିଡ଼ା ଆନିକଟଟି ପୋତି ହେବାସହ ଲଟା ବୁଦାରେ ଭରିରହିଛି। ଲଟା ବୁଦା ସଫା କରିବା ପ୍ରତି ଧ୍ୟାନ ଦିଆଯାଉନାହିଁ। ଏଥିସହ ମନ୍ଦାର ଓ ମାଧବରିଡ଼ା ମଝିରେ ନଦୀର ଅନେକ ସ୍ଥାନ ଲଟା ବୁଦାରେ ଭରି ରହିଯାଇଥିତ୍ବା ଯୋଗୁ ନଦୀକୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି।ବର୍ଷାଦିନରେ ଉକ୍ତ ନଦୀ ତାର ଗତିପଥ ବଦଳାଇ ଦେଉଛି। ଆଜକୁ କିଛିବର୍ଷ ହେବ ଉକ୍ତ ଅଞ୍ଚଳରେ ନଦୀର ଗତିପଥ ବଦଳି ଯାଇଥିବା ଯୋଗୁ ଅନେକ ଚାଷୀଙ୍କ ଜମି ନଦୀରେ ଚାଲିଯାଇଛି। ଜଳସମ୍ପଦ ବିଭାଗ ପକ୍ଷରୁ ଏନେଇ କେଣସି ପଦକ୍ଷେପ ନିଆଯାଉନାହିଁ ।