
ଭଞ୍ଜନଗର ୨୯/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅଧିନ ଗସମା ଜଙ୍ଗଲରୁ ରବିବାର ଏକ ନରକଙ୍କାଳ ଓ ଖପୁରିକୁ ପୋଲିସ ଜବତ କରିଛି।ମୃତକ ଜଣକ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ଭାଲୁଗୁଡା ଗ୍ରାମର ନିଖୋଜ ନାବାଳିକା ସଙ୍ଗୀତା(ଛଦ୍ମନାମ) ବୋଲି ଜଣା ପଡିଛି।ଘଟଣାସ୍ଥଳରୁ ମିଳିଥିବା କପଡ଼ାକୁ ଦେଖି ଏହି କଙ୍କାଳ ତାଙ୍କ ଝିଅର ବୋଲି ମୃତକଙ୍କ ବାପା ଚିହ୍ନଟକରିଥିଲେ। ଆଉ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ସେ ଅଭିଯୋଗ ଆଣିବା ପରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି। କିଭଳି ଓ କେଉଁ ପରିସ୍ଥିତିରେ ସେ ଏଠାକୁ ଆସିଲେ, ଏନେଇ ବିଭିନ୍ନ ତଥ୍ୟ ସଂଗ୍ରହ ଜାରି ରହିଥିବା ବେଳେ ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କାରେ ପୁଲିସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନି।ସୁଚନାନୁସାରେ,ଭାଲୁଗୁଡା ଗ୍ରାମର ଜଗନ୍ନାଥ ମଳିକ ବାହାରେ ରହି କାମ କରୁଥିବା ବେଳେ ଘରେ ତାଙ୍କର ପରିବାର ଲୋକେ ରହୁଥିଲେ। ଶନିବାର ଜଗନ୍ନାଥ ଘରକୁ ଆସିଥିଲେ। ହେଲେ ଘରେ ତାଙ୍କର ଝିଅ ନଥିଲେ। ବହୁ ଦିନ ତଳୁ ଝିଅ କୁଆଡେ ଯାଇଥିବା ଜାଣିବାକୁ ପାଇଥିଲେ। ବହ ଖୋଜା ଖୋଜି ପରେ ମଧ୍ୟ ତାଙ୍କ ଝିଅର ସନ୍ଧାନ ମିଳିନଥିଲା। ଶେଷରେ ଜଗନ୍ନାଥ ଭଞ୍ଜନଗର ଥାନାରେ ଝିଅ ନିଖୋଜ ଥିବା ନେଇ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ତେବେ ରବିବାର ଗଞ୍ଜାମ ଜିଲ୍ଲା ସୀମାନ୍ତ କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଗସମା ଜଙ୍ଗଲରୁ ନରକଙ୍କାଳ ଠାବ ହୋଇଥିଲା।ଚକାପାଦ ପୁଲିସ ନରକଙ୍କାଳ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏଫଏମଟିକୁ ପଠାଇଛି। କିଭଳି ଓ କେଉଁ ପରିସ୍ଥିତିରେ ନାବାଳିକା ଙ୍କ ମୃତ୍ୟୁ ଘଟିଲା ତାହା ଜଣା ପଡିନାହିଁ। ବ୍ୟବଚ୍ଛେଦ ଓ ଡିଏନଏ ରିପୋର୍ଟ ଆସିଲା ପରେ ମୃତ୍ୟୁ ର କାରଣ ଓ ମୃତକଙ୍କ ପରିଚୟ ଜଣା ପଡିବ ବୋଲି ଭଞ୍ଜନଗର ଏସଡିପିଓ ସୁଜିତ କୁମାର ନାୟକ କହିଛନ୍ତି। ଭଞ୍ଜନଗର ଥାନା ଅଧିକାରୀ ଜିବନାନନ୍ଦ ଜେନା ଙ୍କ ସମେତ ଚକାପାଦ ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ କରିଥିଲେ ।