କଂଗ୍ରେସରେ ମିଶିଲେ ସୋରଡ଼ା ବିଜେଡିନେତା, କହିଲେ ଏମିତି…

ଭଞ୍ଜନଗର ୦୪/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ବିଜେଡି କ୍ଷମତାରୁ ଯିବା ପରେ ଗଞ୍ଜାମ ଜିଲାରେ ଦିନକୁ ଦିନ ବିଜେଡି ସ୍ଥିତି ଦୁର୍ବଳ ହେଉଛି। ପୂର୍ବଭଳି ଆଉ ବିଜେଡି ପ୍ରତି ନେତା, କର୍ମୀଙ୍କ ଆଗ୍ରହ ନାହିଁ। ତେଣୁ ସେମାନେ ଦଳରୁ ମୁହଁ ଫେରାଇ ଅନ୍ୟ ଦଳକୁ ଚାଲିଯାଉଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆସନ୍ତା ସପ୍ତାହରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହାପୂର୍ବରୁ ଦଳକୁ ସୁଦୃଢ଼ କରିବା ପାଇଁ କଂଗ୍ରେସ ନେତାମାନେ ଚେଷ୍ଟା ଚଳାଇଛନ୍ତି। ତେଣୁ ଶୁକ୍ରବାର ଅପରାହ୍ନରେ ପିସିସି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ହୋଇଥିଲା। ଏଥିରେ ରଜ୍ୟର ବିଭିନ୍ନ ଅଞ୍ଚଲରୁ ଅନ୍ୟ ଦଳର ନେତା ଓ କର୍ମୀମାନେ ଦଳତ୍ୟାଗ କରି କଂଗ୍ରେସରେ ମିଶିଥିଲେ। ପିସିସି ସଭାପତି ଭକ୍ତ ଚରଣ ଦାସ ନୂତନ ନେତା ଓ କର୍ମୀଙ୍କୁ ସ୍ବାଗତ କରିଥିଲେ। ଏହିଭଳି ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ଅନେକ ବିଜେଡି ସମର୍ଥିତ ସରପଞ୍ଚ ଏବଂ ସମିତିସଭ୍ୟ ଏବଂ ସେମାନଙ୍କ ସମର୍ଥକ ଦଳ ତ୍ୟାଗ କରି କଂଗ୍ରେସରେ ଯୋଗ ଦେଇଛନ୍ତି। ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ନେତୃତ୍ୱକୁ ସମର୍ଥନ ଜଣାଇ ସେମାନେ କଂଗ୍ରେସରେ ମିଶିଥିବା ଜଣାପଡ଼ିଛି।ଆଜି ମିଶିଥିବା ନେତାଙ୍କ ମଧ୍ୟରେ ଅଛନ୍ତି ବେଲଗୁଣ୍ଠା ବ୍ଲକର ଦେବେନ୍ଦ୍ର ଗୌଡ଼, ନିକୁଞ୍ଜ ବିହାରୀ ଖଣ୍ଡୁଆଲ, ନେଟେଙ୍ଗା ସରପଞ୍ଚ ସୁପ୍ରଭା ଗୌଡ଼, ସମିତିସଭ୍ୟ ରାଜୀବ ଲୋଚନ ନାୟକ, ନାଏବ ସରପଞ୍ଚ, ବାବୁଲା ଲେଙ୍କା, ରାଜା ପାତ୍ର, ଚନ୍ଦନ ପଣ୍ଡା ଏବଂ ସୋରଡ଼ା ବ୍ଲକ ର କିଛି ସରପଞ୍ଚ,ସମିତିସଭ୍ୟ ପ୍ରମୁଖ। ଏହି ସମୟରେ ସୋରଡ଼ା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ହରେକୃଷ୍ଣ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *