
ଜଗନ୍ନାଥପ୍ରସାଦ- ୦୪/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): କୋମଳମତି ଶିଶୁଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ ପାଞ୍ଚ ବର୍ଷରୁ କମ ବୟସ ର ଶିଶୁଙ୍କ ପାଇଁ ଗାଁ ଗାଁ ରେ ଖୋଲାଯାଇଛି ଅଙ୍ଗନବାଡି କେନ୍ଦ୍ର । ହେଲେ ଏମିତି ଅଙ୍ଗନବାଡି କେନ୍ଦ୍ର ରହିଛି ଯେଉଁଠିକି ପଂହଁଚିବାକୁ ରାସ୍ତା ନାହିଁ । ଅନ୍ୟ ଦିନରେ ଯେନତେନ ପ୍ରକାରେଣ ସେଠାରେ ପଂହଁଚି ହୋଇଯାଏ କିନ୍ତୁ ବର୍ଷାଦିନ ଆସିଲେ ଅବସ୍ଥା ବାର ବାଜୁଛି । ଦେଖନ୍ତୁ ଏହି ଚିତ୍ର କୁ ଅଭିଭାବକ, ପ୍ରସୁତି ଓ ଗର୍ଭବତୀ ମାନେ ପୁଷ୍ଟିକର ଖାଦ୍ୟ , ଅଣ୍ଡା, ଛତୁଆ ଭଳି ଖାଦ୍ୟ ଏହି କେନ୍ଦ୍ର କୁ ଯାଇ ଆଣିଥାନ୍ତି । ପ୍ରତିଦିନ କୋମଳ ମତି ଛାତ୍ରଛାତ୍ରୀ ଙ୍କୁ ଅଭିଭାବକ ଓ ଅଙ୍ଗନବାଡି କର୍ମୀ ଟେକିଟେକି ଏହି ରାସ୍ତା ଦେଇ ବିପଦ ପୂର୍ଣ୍ଣଭାବେ ଯା ଆସ କରିଥାନ୍ତି ।
ଦୀର୍ଘ ବର୍ଷ ହେଲା ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ପଞ୍ଚାୟତ କଲ୍ୟାଣପୁର ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ରହିଛି । ଅନେକ ବର୍ଷ ହେଲା ଗାଁ କୋଠଘରେ ଅଙ୍ଗନବାଡି କେନ୍ଦ୍ର ଚାଲିଥିଲା । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ସ୍ଥାନ ଚିହ୍ନଟ କରି ଅଙ୍ଗନବାଡି କେନ୍ଦ୍ର ପାଇଁ ନୂତନ ଗୃହ ନିର୍ମାଣ କରାଗଲା । ହେଲେ ରାସ୍ତା ଵ୍ୟଵସ୍ଥା କରାଯାଇନାହିଁ । ଅନ୍ୟ ଦିନରେ ଏଠାକୁ ପଂହଁଚି ହେଉଛି ହେଲେ ବର୍ଷାଦିନ କାରଣରୁ ଖାଲୁଆ ରାସ୍ତାରେ କାଦୁଅ ଓ ବର୍ଷାଜଳ ଜମି ରହିଛି ଏହି ରାସ୍ତା ଦେଇ ବାଧ୍ୟ ହୋଇ କୋମଳମତି ଛାତ୍ରଛାତ୍ରୀ ଙ୍କୁ ନେଇ କର୍ମୀ ପିଲାଙ୍କୁ ଏହି କେନ୍ଦ୍ର ରେ ପଂହଁଚି କ୍ଳାସ କରିଥାନ୍ତି । ରାସ୍ତା ନିର୍ମାଣ ପ୍ରତି ପ୍ରଶାସନ ତୁରନ୍ତ ଵ୍ୟଵସ୍ଥା କରନ୍ତୁ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।