ପୁରୀ : ଆଡ଼ପ ମଣ୍ଡପରେ ପୁଲିସ କର୍ମଚାରୀଙ୍କ ଗୁଣ୍ଡାଗିରି : ବ୍ୟାଚ୍‌ କାଢ଼ି କରୁଛନ୍ତି ଡ୍ୟୁଟି, ଅନ୍ୟାୟର ପ୍ରତିବାଦ କଲେ ଧମକ

ପୁରୀ, (ବଳରାମ ତ୍ରିପାଠି,ଓଡ଼ିଶା ଟୁଡେ): ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ କିଛି ପୁଲିସ କର୍ମଚାରୀ ଗୁଣ୍ଡାଙ୍କ ଭଳି ବ୍ୟବହାର କରୁଛନ୍ତି । ସାଧାରଣ ଶ୍ରଦ୍ଧାଳୁଙ୍କୁ ସମ୍ମାନହାନୀ ହେବା ଭଳି ବ୍ୟବହାର କରୁଛନ୍ତି । ସାଧାରଣ ଶ୍ରଦ୍ଧାଳୁଙ୍କୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଥିବା ଦର୍ଶନ ସୁବିଧା ଠେଲାପେଲାରେ ଭିତରେ ହେଉଛି । ହେଲେ ପୁଲିସ କର୍ମଚାରୀମାନେ ସେମାନଙ୍କ ଚିହ୍ନଜଣା ଲୋକଙ୍କୁ ଘଳିଆ ବାଟରେ ଠାକୁରଙ୍କ ରତ୍ନବେଦି ନିକଟକୁ ନେଇ ଦର୍ଶନ ସୁବିଧା ଦେଉଛନ୍ତି । ଏହାକୁ ସାଧାରଣ ଭକ୍ତ ବିରୋଧ କଲେ ବାଡ଼ ଜଗୁଥିବା ପୁଲିସ କର୍ମଚାରୀମାନେ ଗୁଣ୍ଡାଙ୍କ ଭଳି ଅଚରଣ ଦେଖାଉଛନ୍ତି । ଅସମ୍ମାନ ପ୍ରଦର୍ଶନ କରୁଥିବା କର୍ମଚାରୀମାନେ ସେମାନଙ୍କ ଛାତିରେ ଥିବା ନେମ୍‌ପ୍ଲେଟ୍‌ କାଢ଼ି ଡ୍ୟୁଟି କରୁଛନ୍ତି । ଯିଏ ପିନ୍ଧିଛି ତାଙ୍କ ନାମ ପଢ଼ିଲେ ସେମାନେ ମଧ୍ୟ କାଢ଼ି ପକେଟରେ ପୂରାଇ ଦେଉଛନ୍ତି । ପାରମାଣିକ ଦର୍ଶନ ଟିକଟ କାଉଣ୍ଟର ପାଖରେ ଏହି ଘଳିଆ ବାଟ କରାଯାଇଛି । ସେବାୟତ ଓ ତାଙ୍କ ପରିବାରଙ୍କ ନିମନ୍ତେ ରହିଥିବା ଦର୍ଶନ ସୁବିଧା ବାଟରେ ପୁଲିସ ପ୍ରଶାସନିକ ଅଧିକାରୀମାନେ ଏହି ଘଳିଆ ବାଟର ସୁବିଧା କରିଛନ୍ତି । ଯାହାକୁ ନେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅନେକ ଭକ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି । ଶ୍ରୀଗୁଣ୍ଡିଚା ମଣ୍ଡପ ସିଂହଦ୍ୱାର ଆଗରେ ହୋଇଥିବା ପୁଲିସ କଣ୍ଟ୍ରୋଲ ରୁମ୍‌ରେ ବସିଥିବା ବିଭାଗୀୟ ଉଚ୍ଚ ଅଧିକାରୀମାନଙ୍କୁ ଏନେଇ ଅଭିଯୋଗ ହୋଇଛି । ଉକ୍ତ ଘଳିଆ ସ୍ଥାନରେ କୌଣସି ମାଜିଷ୍ଟ୍ରେଟ କିମ୍ବା ବଡ଼ ପଦାଧିକାରୀ ରହୁନାହାନ୍ତି । ଘଳିଆ ବାଟରେ ବାହାର ପୁଲିସ ମୁତୟନ ହୋଇଛନ୍ତି । ସେମାନେ ଗୁଣ୍ଡାଙ୍କ ଭଳି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *