
ଭଞ୍ଜନଗର ୦୫/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧିନ ଭୁରୁଡୁପଲ୍ଲୀ ଗ୍ରାମରେ ଶନିବାର ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାର ସର୍ବସ୍ବାନ୍ତ ହୋଇ ପଡିଛନ୍ତି। ଗ୍ରାମର ଧୋବା ଗୁରୁ ଓ ମଙ୍ଗୁଳୁ ଗୁରୁ ଙ୍କ ଘରେ ଶନିବାର ମଧ୍ୟାହ୍ନ ରେ ନିଆଁ ଲାଗି ଚାରି ବଖରା ଘର ପୋଡି ପାଉଁଷ ହୋଇଯାଇଛି।କୌଣସି କାରଣରୁ ଘରେ ନିଆଁ ଲାଗି ଏତେ ଶିଘ୍ର ବ୍ୟାପିଥିଲା ଯେ କେହି କିଛି ଜାଣିବା ପୁର୍ବରୁ ସବୁ କିଛି ପୋଡି ପାଉଁଷ ହୋଇ ଯାଇଥିଲା। ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଲିଭିନଥିଲା। ପରେ ଭଞ୍ଜନଗର ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା ସେତେବେଳକୁ ଘରେ ଥିବା ଚାଉଳ, ଲୁଗାପଟା, ବାସନ କୁସନ ସମେତ ଅନ୍ୟାନ୍ୟ ଆସବାବପତ୍ର ସବୁ ପୋଡି ପାଉଁଷ ହୋଇ ଯାଇଥିଲା। ଅଗ୍ନିକାଣ୍ଡ ରେ ସବୁ କିଛି ନଷ୍ଟ ହେବା ପରେ ଦୁଇ ପରିବାର ଭାଙ୍ଗିପଡିଛନ୍ତି। କିଭଳି ନିଆଁ ଲାଗିଲା ତାହା ଜଣା ପଡିନାହିଁ। ପ୍ରଶାସନ ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।