କୁଲାଡ଼ ବାହୁଡା଼ ଯାତ୍ରା : ଡାହୁକଙ୍କ ଅଶ୍ଳୀଳ ଡାକକୁ ନେଇ ଅସନ୍ତୋଷ

ଭଞ୍ଜନଗର ୦୫/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲାର ଐତିହାସିକ ପ୍ରସିଦ୍ଧ କୁଲାଡ ବାହୁଡା଼ ଯାତ୍ରା ଶନିବାର ଶାନ୍ତିଶୃଙ୍ଖଳାର ସହ ସରିଛି। କିନ୍ତୁ ବାହୁଡା଼ ଯାତ୍ରା ଚାଲିଥିବା ସମୟରେ କିଛି ସମୟ ପାଇଁ ରଥ ଚକ ଆଉ ବଡ ଦାଣ୍ଡରେ ଗଡ଼ି ନ ଥିଲା। ଫଳରେ ଅନ୍ୟ ଜଣେ ଅସ୍ଥାୟୀ ଡାହୁକ ରଥ ଉପରୁ ନିମନ୍ତ୍ରଣ ପାଇ ରଥକୁ ଚଢ଼ି ଅଶ୍ଳୀଳ ଡାକ ପକାଇଥିଲେ। ଏହାକୁ ନେଇ ସେଠାରେ ଉପସ୍ଥିତ ଥିବା ବିଶ୍ବହିନ୍ଦୁ ପରିଷଦ ନେତା ମୁରଲୀ ପଣ୍ଡା ସମେତ ଆଉ କିଛି ଲୋକ ତୁରନ୍ତ ଆପତ୍ତି ଉଠାଇଥିଲେ। ପରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଏଭଳି ଡାକ ନ ଡ଼ାକିବା ପାଇଁ କହିଥିଲେ। ଦୁଇ ଥର ଅଶ୍ଳୀଳ ଡାକ ପରେ ତାହା ବନ୍ଦ ହୋଇଯାଇଥିଲା । ପରେ ରଥ ଟଣା ସ୍ବଭାବିକ ହୋଇଥିଲା। ଜଗନ୍ନାଥ ମନ୍ଦିର ସମ୍ମୁଖରେ ରଥ ଲାଗିବା ପରେ ସେଠାରେ ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଳନରେ ସହଯୋଗ କରୁଥିବା ଅଧିକାରୀ, ସେବକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ଭାରପ୍ରାପ୍ତ ତହସିଲଦାର ଅବିନାଶ ମାହାର ମଧ୍ୟ ଆଉ କିଛି ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବାରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି, ଏଏସପି ରଞ୍ଜନ କୁମାର ଦେ, ଏସଡିପିଓ ଡ ଦୀପକ ମିଶ୍ର, ଥାନା ଅଧିକାରୀ ଜିବନାନନ୍ଦ ଜେନା, ବିଡ଼ିଓ ଭାରତୀ ଦେବୀ, ଏ ବି ଡି ଓ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ଗ୍ରାମବାସୀ, ଦମକଳ ବାହିନୀ ସମେତ ପ୍ରମୁଖ ସହଯୋଗ କରିଥିଲେ। ଏଥିସହ ଭଞ୍ଜନଗର, ଭେଜିପୁଟ, ବଦକୋଦଣ୍ଡା ପ୍ରମୁଖ ସ୍ଥାନରେ ଶନିବାର ବାହୁଡ଼ା ଯାତ୍ରା ପାଳିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *