
ଭଞ୍ଜନଗର, ୨୨/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଆଜି ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ସ୍ଥାନୀୟ ଜବାହର ଉଚ୍ଚ ବିଦ୍ୟାଳୟ ଠାରେ ୭୬ ତମ ବନମହୋତ୍ସବ ପାଳନ ହୋଇଯାଇଛି। ବୃକ୍ଷର ଉପକାରିତା ସମ୍ପର୍କରେ ଜନସଚେତନତା ସୃଷ୍ଟି, ପରିବେଶ ସୁରକ୍ଷା ଓ ପ୍ରକୃତି ସଂରକ୍ଷଣ ତଥା ଏକ ପେଡ ମାକେ ନାମ କାର୍ଯ୍ୟକ୍ରମ ସଂପାଦନ ପାଇଁ ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ପ୍ରକାରେ ଏବଂ ବଡକୋଦଣ୍ଡା କ୍ଲଷ୍ଟର ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ପ୍ରେରଣା ଓ ଆହ୍ଵାନ କ୍ରମେ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମନୋରଞ୍ଜନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ପବିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କାର୍ଯ୍ୟାଳୟ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ମହାନ୍ତି ମୂଖ୍ୟ ଅତିଥି ରୂପେ ଯୋଗଦେଇ ବୃକ୍ଷର ଉପକାରିତା ଓ ଆବଶ୍ୟକତା ଉପରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ, ଏସିଏଫ ବିମଳ ପ୍ରଧାନ, ମୁଜାଗଡ ରେଞ୍ଜ ଅଫିସର ଶ୍ରୀ ବିମ୍ବାଧର ସାହୁ, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥ୍ୱୀରାଜ ପ୍ରଧାନ, ବଡକୋଦଣ୍ଡା ସରପଞ୍ଚ ରେଶମା ପ୍ରଧାନ, ସରପଞ୍ଚ ପ୍ରତିନିଧି ତଥା ଯୁବ ସମାଜସେବୀ ହୃଷୀକେଶ ପ୍ରଧାନ, ସିଆରସିସି ଦ୍ଵିତୀକୃଷ୍ଣ ଲେଙ୍କା, ଜବାହର ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ସମ୍ବାଦ ସାହିତ୍ୟ ଘରର ସଂପାଦକ ସନ୍ତୋଷ କୁମାର ଜେନା, ପୂର୍ବତନ ଏବିଇଓ ତଥା ଓଡ଼ିଶା ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ଉପଦେଷ୍ଟା ଜଗବନ୍ଧୁ ଜେନା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଯେନା ସଭା ମଞ୍ଚ ସଂଯୋଜନା କରିବା ସହିତ ବିଭିନ୍ନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ ଓ ପରିବେଶ ପ୍ରତି ଆକୃଷ୍ଟ କରିଥିଲେ। ସମସ୍ତ ଅତିଥି ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କୁ ବୃକ୍ଷ ସମ୍ପର୍କରେ ନିଜ ନିଜ ମତାମତ ଉପସ୍ଥାପନା କରିବା ସହ ବିଦ୍ୟାଳୟ ପ୍ରାଙ୍ଗଣରେ ସମସ୍ତଙ୍କ ଗହଣରେ ବୃକ୍ଷ ଚାରା ରୋପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ବନବିଭାଗ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ବୃକ୍ଷ ଚାରା ବଣ୍ଟନ କରାଯାଇଥିଲା। ସିଆରସିସି ଦ୍ଵିତୀକୃଷ୍ଣ ଲେଙ୍କା ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସିଆରସିସି ତଥା ପ୍ରକୃତି ବନ୍ଧୁ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ରଚିତ ବୃକ୍ଷ ଉପରେ ଆଧାରିତ କବିତା “ଗଛଟିଏ ମୋତେ କରିଦିଅ ପ୍ରଭୁ” କୁ ପୂର୍ବତନ ସିଆରସିସି ଶ୍ରୀ ମୋହନ ସାହୁ ସଂଗୀତର ରୂପ ଦେଇଥିଲେ ଓ ଶିକ୍ଷୟିତ୍ରୀ ରାଜଶ୍ରୀ ପଟ୍ଟନାୟକଙ୍କ ନିର୍ଦେଶନାରେ ବୃକ୍ଷ ଉପରେ ଆଧାରିତ ନାଟକ ସମସ୍ତଙ୍କୁ ବିମୋହିତ କରିଥିଲା। ଏହି ନାଟକରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଯଥା: ଶୁଭମ୍ ଗୌଡ଼, ରୁଦ୍ରାକ୍ଷୀ ଗୌଡ଼, ବର୍ଷାରାଣୀ ସାହୁ ଓ ତୁଳସୀରାଣୀ ପୋଲେଇ ଅଭିନୟ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚକୋଟୀର ଅଭିନୟ ସମସ୍ତଙ୍କୁ ବିମୁଗ୍ଧ କରିଥିଲା। ବିଦ୍ୟାଳୟ ତରଫରୁ ସମସ୍ତ କଳା ପ୍ରଦର୍ଶନ କାରୀଙ୍କୁ ପ୍ରଶଂସା ପତ୍ର, ଉପଢୌକନ, ଫୁଲତୋଡ଼ା ଓ ପ୍ରାଇଜ ଦେଇ ସମ୍ମାନିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କାର୍ଯ୍ୟାଳୟ ତରଫରୁ ବନପାଳକ ଦେବରାଜ ମଲିକ, ଯୋଗେଶ୍ଵର ମୁଣ୍ଡା, ପୁରୁଷୋତ୍ତମ ପ୍ରଧାନ, ମନୋଜ କୁମାର ସ୍ବାଇଁ ଓ ରାହୁଲ ବେହେରା ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ରଶ୍ମିତା ଖଣ୍ଡୁଆଳ ମଞ୍ଚ ପରିଚାଳନା କାର୍ଯ୍ୟରେ ସହଯୋଗ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ନୀଳାଞ୍ଚଳ ପ୍ରଧାନ, ସାଜନ ସ୍ୱାଇଁ, ଶରତ ଚନ୍ଦ୍ର ବେହେରା, ବିଶ୍ୱଜିତ୍ ଗୌଡ଼, ମୋହନ ସାହୁ, ରାଜ ଲକ୍ଷ୍ମୀ ସାହୁ, ରାଜଶ୍ରୀ ପଟ୍ଟନାୟକ, ଗୀତାଞ୍ଜଳି ମଲ୍ଲିକ, ପୁଷ୍ପାଞ୍ଜଳି ସ୍ୱାଇଁ, ପୁଷ୍ପାଞ୍ଜଳି ନାୟକ, ବାଳ କୃଷ୍ଣ ପାତ୍ର, ସମସ୍ତ ଛାତ୍ରଛାତ୍ରୀ, ପାଚିକା ସହାୟିକା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ।