ପୁଣି ଲଜ୍ଜା: ଜଗତସିଂହପୁରରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ

ଜଗତସିଂହପୁର: ରାଜ୍ୟରେ ଗତ କିଛି ଦିନ ଧରି ଦୁଷ୍କର୍ମ ଅଭିଯୋଗ ବଢ଼ିବାରେ ଲାଗିଛି । ଗୋପାଳପୁର, ସମ୍ବଲପୁର, ଭୁବନେଶ୍ବର ଏବଂ ଯାଜପୁର ପରେ ଜଗତସିଂହପୁର ଜିଲ୍ଲାରେ ଦୁଷ୍କର୍ମ ଅଭିଯୋଗ । ଏକ ଜନ୍ମଦିନ ଉତ୍ସବରେ(Birth Day) ସାମିଲ ହେବାକୁ ଯାଇଥିବା ବେଳେ ଜଣେ ଯୁବତୀ ଗଣଦୁଷ୍କର୍ମ ଶିକାର ହୋଇଥିବା ଜଗତସିଂହପୁର ସଦର ଥାନାରେ ଅଭିଯୋଗ ହୋଇଛି । ପୀଡିତାଙ୍କ ବାପାଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଜଗତସିଂହପୁର ସଦର ଥାନା ଅଧିକାରୀ ପ୍ରଭାଶ ଚନ୍ଦ୍ର ସାହୁ କହିଛନ୍ତି, ” ଗତକାଲି ସନ୍ଧ୍ୟାରେ ଥାନାରେ ଅଭିଯୋଗ ହୋଇଥିଲା । ପୀଡିତାଙ୍କ ବାପା କହିଛନ୍ତି ତାଙ୍କ ଝିଅ ଏକ ଜନ୍ମଦିନ ଭୋଜିରେ ଯୋଗଦେବାକୁ ଯିବା ସମୟରେ ଗାଁ ପାଖରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କ ଝିଅକୁ ଅପହରଣ କରିନେଇ ଗଣଦୁଷ୍କର୍ମ କରିଥିଲେ । ଏ ସଂକ୍ରାନ୍ତରେ ସଦର ଥାନାରେ କେସ ନମ୍ବର 537/25ରେ ମାମଲା ରୁଜୁ କରାଯାଇଛି । ପୀଡିତାଙ୍କ ଚିକିତ୍ସା ହସ୍ପିଟାଲରେ ଚାଲିଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଘଟଣାର ତଦନ୍ତ ଚାଲିଛି ।” ଘଟଣାକୁ ନେଇ ଜଗତସିଂହପୁର ଏସପି ଭବାନୀ ଶଙ୍କର ଉଦଗାତା ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

ପୀଡିତାଙ୍କ ବାପା ଅଭିଯୋଗ କରିଛନ୍ତି ଯେ, “ଗତ ସୋମବାର ରାତିରେ ପୀଡିତା ଜଣଙ୍କ ପଡୋଶୀଙ୍କ ଘରକୁ ଜନ୍ମଦିନ ଉତ୍ସବରେ ସାମିଲ ହେବାକୁ ଯାଇଥିଲେ । ସେହି ଗ୍ରାମର ଦୁଇ ଜଣ ଯୁବକ ତାଙ୍କୁ ବାଟରୁ ଉଠାଇ ନେଇ ଏକ ନିଛାଟିଆ ସ୍ଥାନରେ ଗଣଦୁଷ୍କର୍ମ କରିଥିଲେ। ଫଳରେ ଛାତ୍ରୀ ଜଣଙ୍କ ଚେତା ହରାଇ ପଡ଼ିବା ପରେ ଦୁଷ୍କର୍ମକାରୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଝିଅର ଆସିବା ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିବା ବେଳେ ଘର ଠାରୁ 200 ମିଟର ଦୂରରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଝିଅକୁ ପଡ଼ିଥିବା ଦେଖିବାକୁ ପାଇ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।”

ପୀଡିତାଙ୍କ ବାପା ଜଗତସିଂହପୁର ଥାନାରେ ଏତଲା ଦେବା ପରେ ପୋଲିସ ତନାଘନା ଆରମ୍ଭ କରିଛି । ଆଜି ସକାଳୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣାକୁ ନେଇ ପୀଡିତାର ବାପା ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ।

ସ୍ଥାନୀୟ ସରପଞ୍ଚ ଏହି ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି ଯେ, ” ଆମ ପଞ୍ଚାତୟତରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଖବର ମୋ ପାଖକୁ ଆସିଛି । ଏହା ଅତ୍ୟନ୍ତ ଦୁଃଖର ବିଷୟ । ଓଡ଼ିଶାରେ ବାରମ୍ବାର ଏପରି ଘଟଣା ଘଟୁଛି । ମୋର ଦାବି ପୀଡିତାଙ୍କୁ ଖୁବଶୀଘ୍ର ନ୍ୟାୟ ମିଳୁ । “

Leave a Reply

Your email address will not be published. Required fields are marked *