
ପୁରୀ: ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥି, ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୨.୩୦ ଠାରୁ ସନ୍ଧ୍ୟା ୬.୩୦ ମିନିଟ ପର୍ଯ୍ୟନ୍ତ ଶ୍ରୀମନ୍ଦିରରରେ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।ଚିତାଲାଗି ଅମାବାସ୍ୟା ନୀତିରେ କଣ ହୁଏ?ଏହି ଅବସରରେ ଶ୍ରୀଜୀଉଙ୍କ ମସ୍ତକରେ ଲାଗି ହୋଇଥାଏ ରତ୍ନଖଚିତ ସୁବର୍ଣ୍ଣ ଚିତା। ଗତ ସ୍ନାନପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ମସ୍ତକରୁ ଏହି ଚିତାକୁ ସୁରକ୍ଷା ଦୃଷ୍ଟିରୁ ବାହାର କରିଦିଆଯାଇଥିଲା। ଆଜି ଦଇତାପତି ସେବକମାନେ ଭଣ୍ତାରମେକାପ ଓ ପାଟରା ବିଷୋୟୀ ସେବାୟତଙ୍କ ସହାୟତାରେ ଏହି ଚିତାକୁ ପୁଣି ଲାଗି କରାଯାଏ। ଶ୍ରୀମନ୍ଦିରରେ ପାଳିତ ଅନେକ ପର୍ବ ଓ ଉତ୍ସବ ପାଳନ ହେଉଥିବା ବେଳେ ଚିତାଲାଗି ଅମାବାସ୍ୟା ମଣ୍ଡପ ନୀତି ଶେଷ ହେବା ପରେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରକୁ ବିଜେ କରିଥାନ୍ତି। ଏହାପରେ ଶ୍ରୀଜିଉମାନଙ୍କ ଝୋବା ମଇଲମ ହୋଇ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥାଏ। ଏହି ଦିନ ସାଗର ବିଜେ କରିଥିବା ଅମାବାସ୍ୟା ଠାକୁର ଶ୍ରୀମନ୍ଦିରକୁ ବାହୁଡା ବିଜେ କରିବା ପରେ ପତି ମହାପାତ୍ର, ବାଡ଼ଗ୍ରାହୀ ଦଇତା ମାନେ ରତ୍ନସିଂହାସନାଧିଷ୍ଠିତ ଶ୍ରୀଜିଉଙ୍କର ଚିତାଲାଗି କାର୍ଯ୍ୟ କରିଥାନ୍ତି । ତିନୋଟି ସ୍ବର୍ଣ୍ଣ ଚିତା ଶ୍ରୀଜୀଉମାନଙ୍କ କପାଳର ଶୀର୍ଷ ଭାଗରେ ଓଷୁଅରେ ପାଟ ଡୋର ସାହାଯ୍ୟରେ ଏହାକୁ ଦୃଢ଼ ଭାବରେ ବନ୍ଧା ଯାଇଥାଏ।
ସୁଚନା ଅନୁଯାଇ,ଏହି ରତ୍ନଖଚିତ ସ୍ବର୍ଣ୍ଣ ଚିତାକୁ ପୂର୍ବରୁ ଅର୍ଥାତ ସ୍ନାନପୂର୍ଣ୍ଣିମା ଦିନ ରାତ୍ରିରେ ଶ୍ରୀଜିଉମାନଙ୍କ ଶ୍ରୀକପାଳ ଦେଶରୁ ଓଲାଗି କରାଯାଇଥାଏ। ଏହି ଚିତାକୁ ଭଣ୍ଡାରରୁ ଅଣାଯାଇ ଶ୍ରୀମନ୍ଦିର ପରିସରରେ ଦେଉଳକରଣ, ତଢ଼ାଉ କରଣ , ଶ୍ରୀମନ୍ଦିର ପ୍ରଶାସନର ପଦାଧିକାରୀ ଉପସ୍ଥିତିରେ ବଣିଆ ସେବକ ଦ୍ୱାରା ସଫା କରାଯାଇଥାଏ ଓ ପୁନଃ ସଂସ୍ଥାପିତ ହୋଇଥାଏ। ଚିତାଲାଗି ନୀତି ଗୋପନୀୟ ହୋଇଥିବାରୁ ଏହି ସମୟରେ ଭକ୍ତଙ୍କୁ ଭିତରକାଠ ମଧ୍ୟକୁ ପ୍ରବେଶ କରିବାକୁ ବାରଣ କରାଯାଇଥାଏ।
ବଳଭଦ୍ରଙ୍କ ସ୍ୱର୍ଣ୍ଣ ଚିତା ମଝିରେ ମର୍କତ ପଥର :ବଡ଼ ଠାକୁର ଶ୍ରୀ ବଳଭଦ୍ରଙ୍କ ସ୍ୱର୍ଣ୍ଣ ଚିତା ମଝିରେ ଏକ ବଡ଼ ମର୍କତ ପଥର ରହିଛି । ଏହାର ଚାରି ପାର୍ଶ୍ୱରେ ପାଞ୍ଚୋଟି ବେଢ଼ରେ ଛୋଟ ଛୋଟ ମାଣିକ୍ୟ , ହୀରା , ପାନ୍ନା ଏବଂ ନୀଳ ପଥର ଖଚିତ ହୋଇଛି।ଶ୍ରୀଜଗନ୍ନାଥଙ୍କ ସ୍ଵର୍ଣ୍ଣଚିତା ମଝିରେ ହୀରା:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଵର୍ଣ୍ଣଚିତା ମଝିରେ ହୀରା ରହିଛି । ଚିତାର ସାତୋଟି ବେଢ଼ ରେ ମାଣିକ୍ୟ , ହୀରା , ପାନ୍ନା ଏବଂ ଓପଲ ଖଞ୍ଜା ଯାଇଛି। ଶେଷ ଅର୍ଥାତ ସପ୍ତମ ବେଢ଼ରେ ଶୀର୍ଷରେ ବା ଚିତାର ଶୀର୍ଷରେ ପାନପତ୍ର ଅକୃତିର ଏକ ହୀରା ପଥର ରହିଛି । ଏହାକୁ ବ୍ରହ୍ମଜ୍ୟୋତି ହୀରା କୁହାଯାଏ।ସୁଭଦ୍ରାଙ୍କ ଚିତା ମଝିରେ ମାଣିକ୍ୟ:ଦେବୀ ସୁଭଦ୍ରାଙ୍କ ଚିତା ମଝିରେ ଏକ ବଡ଼ ମାଣିକ୍ୟ ପଥର ରହିଛି । ଚିତାର ତିନୋଟି ବେଢ଼ରେ ପାନ୍ନା , ମର୍କତ , ହୀରା ଓ ମାଣିକ୍ୟ ରହିଛି।ଏହି ତିନୋଟି ରତ୍ନଖଚିତ ସୁବର୍ଣ୍ଣ ଚିତାଗୁଡିକୁ ମର୍କତ ଚିତା , ହୀରଚିତା ଏବଂ ପାନ୍ନା ଚିତା କୁହାଯାଇଥାଏ। ଚିତା ଲାଗି ନୀତି ସମ୍ପର୍ଣ୍ଣ ହେଲା ପରେ ମହାସ୍ନାନ ବଢ଼ି ଅନ୍ୟାନ୍ୟ ନୀତି ହୋଇଥାଏ। ଏହି ତୀଥିରେ କେତେକ ନିଯୋଗ ମାନଙ୍କ ପକ୍ଷରୁ ଆଳତି ଭୋଗ ମଧ୍ୟ ହୋଇଥାଏ। ଏଥିରେ ଛେନା ତାଡ଼ିଆ, ଫାଳ ସୋଲା ପ୍ରଭୃତି ଭୋଗ ହୋଇଥାଏ।କଣ କୁହେ ଇତିହାସ?ଇତିହାସ ପୃଷ୍ଠାରୁ ଜଣାଯାଏ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁବର୍ଣ୍ଣପୁରରେ ପାତଳୀ କରି ରଖାଯାଇଥିଲା । ଆଦି ଶଙ୍କରାଚାର୍ଯ୍ୟଙ୍କ ତତ୍ତ୍ବାବଧାନରେ ଯଯାତି କେଶରୀ ଶ୍ରୀଜିଉମାନଙ୍କୁ ସେଠାରୁ ଆଣି ଶ୍ରୀମନ୍ଦିରରେ ରତ୍ନବେଦୀରେ ପଟାଅଭିଷେକ କରାଇଥିଲେ ଏବଂ ଏହି ରତ୍ନଖଚିତ ସୁବର୍ଣ୍ଣ ଚିତା ଲାଗି କରାଇଥିଲେ । ସେହିଦିନ ଠାରୁ ଓଡ଼ିଶାର ପୁରପଲ୍ଲୀ ଶ୍ରାବଣ ମାସ ଅମାବାସ୍ୟା ଚିତା ଲାଗି ଅମାବାସ୍ୟା ନାମରେ ପରିଚିତ ହୋଇଛି। ଏହି ଦିନ ପ୍ରତିହାରୀ ନିଯୋଗମାନଙ୍କ ପକ୍ଷରୁ ଆଳତି ଭୋଗ ହୋଇଥାଏ। ଚିତାଲାଗି ଅମାବାସ୍ୟାର ଏହି ପବିତ୍ର ଦିନରେ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଘରେ ଚିତୋଉ ପୀଠା ହେବାର ପରମ୍ପରା ମଧ୍ୟ ରହିଛି।