
ପୁରୀ , (ବଳରାମ ତ୍ରିପାଠି ରିପୋର୍ଟ) : ପୁରୀ 2010 ମସିହା ଅପ୍ରେଲ 8 ତାରିଖରେ ଘଟିଥିବା ହତ୍ୟା ମାମଲାରେ ଫେରାର ଥିବା ଅଭିଯୁକ୍ତ ଟାଉନ ଥାନା ଦ୍ୱାରା ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ମେଣ୍ଢାପଡ଼ାର ପ୍ରକାଶ ପୃଷ୍ଟି 51 l ଅଭିଯୁକ୍ତର ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ପୁରୀ ଟାଉନ ଥାନା ଅନ୍ତର୍ଗତ ବିଏସଏନଏଲ କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣ ପାଇଁ ଶ୍ରମିକ ନିୟୋଜିତ ହୋଇଥିଲେ l ଏଥିରେ ଶ୍ରମିକ ଭାବେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଚାନ୍ଦପୁରର ଲଳିତା ସାମଲ, ପତରପଡ଼ାର ତ୍ରିନାଥ ସ୍ୱାଇଁ, ବାସୋଇର ରୁଚିରା ସାହୁ, ବାଙ୍କୁଆଳର ମିଲୁ ସାହୁ, ମେଣ୍ଢାପଡ଼ାର ପ୍ରକାଶ ପୃଷ୍ଟି ଏବଂ ପାଣିଗେଙ୍ଗୁଟିଆଲର ମୋଚିଆ ଭୋଇ ନିୟୋଜିତ ହୋଇଥିଲେ l ଠିକାଦାର ଜୟକୃଷ୍ଣ ବିଶ୍ୱାଳଙ୍କ ଦ୍ୱାରା BSNL ନୂତନ କୋଠା କ୍ୟାମ୍ପସ୍ ନିର୍ମାଣ କାର୍ଯ୍ୟରେ ଏକ ବରୱେଲ୍ ଖୋଳା କାର୍ଯ୍ୟରେ ନିୟୋଜିତ ଥିଲେ। ସେମାନେ ଏକ ଅସ୍ଥାୟୀ ଶ୍ରମିକ ଶିବିରରେ ରହୁଥିଲେ। ଗତ ୦୮.୦୪.୨୦୧୦ ସନ୍ଧ୍ୟାରେ କାମ ବନ୍ଦ ହେବା ପରେ ପ୍ରକାଶ ପୃଷ୍ଟି ଏବଂ ମୋଚିଆ ଭୋଇ ଷ୍ଟେସନ ବଜାର ଆଡକୁ ଯାଇଥିଲେ ଏବଂ ରାତି ପ୍ରାୟ ୧୧ଟା ସମୟରେ ନିଶାସକ୍ତ ଅବସ୍ଥାରେ କ୍ୟାମ୍ପକୁ ଫେରିଥିଲେ। ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା, ଅଭିଯୋଗକାରୀ ଏବଂ ଅନ୍ୟ ସହକର୍ମୀମାନେ ସେମାନଙ୍କୁ ବିବାଦରୁ ନିବୃତ୍ତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିଫଳ ହୋଇଥିଲେ। କିଛି ସମୟ ପରେ ପ୍ରକାଶ ପୃଷ୍ଟି ମୋଚିଆ ଭୋଇଙ୍କୁ ମୁଣ୍ଡକୁ ଲକ୍ଷ୍ୟ କରି ଅଧା କଣ୍ଟା କାଠ ପଟାରେ ଆକ୍ରମଣ କରିଥିଲେ। ଫଳରର ମୋଚିଆ ଭୋଇଙ୍କ ମୁଣ୍ଡରେ ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା ଏବଂ ସେ ଚେତାଶୂନ୍ୟ ହୋଇଯାଇଥିଲେ l ପ୍ରକାଶ ପୃଷ୍ଟି ଘଟଣାସ୍ଥଳରୁ ପଳାଇ ଯାଇଥିଲା lପରେ ଲଳିତ ସାମଲ ଏବଂ ଅନ୍ୟ ସହଯୋଗୀମାନେ ମୋଚିଆ ଭୋଇଙ୍କୁ ଚିକିତ୍ସା ପାଇଁ ମେଡିକାଲ ନେଇଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରଦିନ ଅର୍ଥାତ୍ ୦୯.୦୪.୨୦୧୦ ରେ ଲଳିତ ସାମଲ ଟାଉନ୍ ଥାନାରେ ଏତଲା ଦେଇଥିଲେ l ତତକାଳୀନ ଆଇଆଇସି ଏହାର ତଦନ୍ତ ନେଇଥିଲେ l 48/2010 ନମ୍ବର ମାମଲା ରୁଜୁ କରାଯାଇଥିଲା l ଘଟଣା ଦିନଠାରୁ ଅଭିଯୁକ୍ତ ପ୍ରକାଶ ଫେରାର ଥିଲା l ପରେ ଜନ୍ମସ୍ଥାନ ମେଣ୍ଢାପଡ଼ାରେ ପ୍ରକାଶ ଥିବା ଜାଣି ଟାଉନ ଥାନାରେ ସ୍ୱତନ୍ତ୍ର ଟିମ ଚଢ଼ାଉ କରି ପ୍ରକାଶକୁ ଗିରଫ କରିଥିଲେ l ଶନିବାର କୋର୍ଟ ଚାଲାଣ କରିଥିଲେ l