
ଜଗନ୍ନାଥ ପ୍ରସାଦ ୩୦/୦୭( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତରେ ପ୍ରସ୍ତାବିତ ବିସ୍ପୋରକ ବିସ୍ପୋଟକ କାରଖାନା ସ୍ଥାପନ ସକାଶେ ବେସରକାରୀ ଜମି ଅଧିଗ୍ରହଣ ନିମନ୍ତେ ଏକ ଜନଶୁଣାଣୀ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିଲା। ବିସ୍ପୋରକ ବିସ୍ପୋଟକ କାରଖାନା ଏହି ପଞ୍ଚାୟତର ଘାଟିପଲ୍ଲୀ ଓ ଲଣ୍ଡେଇ ହିଲ ମୌଜାରେ କରାଗଲେ ଆଖପାଖରେ ଥିବା ୧୦ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳ ବିଷାକ୍ତ ହେବା ସହ ପରିବେଶ ପ୍ରଦୂଷଣ, ଜଳାଭାବ ଓ ଜୀବନ ଜୀବିକା ପ୍ରତି ବିପଦ ଆଶଙ୍କା କରି ଅଞ୍ଚଳର ବହୁ ପୁରୁଷ ଓ ମହିଳା ଏହାକୁ ଘୋର ବିରୋଧ କରିଥିଲେ।ଗଞ୍ଜାମ ଜିଲ୍ଲାର ବହୁ ଜନସାଧାରଣ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଥିବା ବେଳେ ଏଠାରେ ଅନ୍ୟ କୌଣସି ଜନ ମଙ୍ଗଳ କାରଖାନା ସ୍ଥାପନ କରା ଗଲେ ନିଜ ନିଜର ଜମି ଯୋଗାଇ ଦେବାକୁ ବହୁ ପଟ୍ଟାଧାରୀ ବ୍ୟକ୍ତି ମତ ଦେଇଥିଲେ।କିଛି ଲୋକ ବିସ୍ଫୋରକ କାରଖାନା ଦ୍ୱାରା ଅଞ୍ଚଳର ଉନ୍ନତି ହେବ ବୋଲି ମଧ୍ୟ ପ୍ରତିକ୍ରିୟା ଦେଇଥିଲେ।ତେଣୁ କମିଟିର ରିପୋର୍ଟ ଆଧାରରେ ସରକାର ଏହାକୁ ବିଚାର କରିବେ ବୋଲି ଜଣାପଡ଼ିଛି। ଏଥିରେ ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଓ ବିଭାଗୀୟ ପରିଚାଳକ ଙ୍କ ସମେତ ବ୍ଲକ ବିଡ଼ିଓ ଏବଂ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଞ୍ଜନଗର ଏସଡ଼ିପିଓ ଡ଼. ଦୀପକ କୁମାର ମିଶ୍ର ଏବଂ ପୁରୁଷୋତ୍ତମ ପୁର ଏସଡ଼ିପିଓ ସୁଜିତ କୁମାର ନାୟକ,ତାର ସିଂ ଥାନା ଆଇଆଇସି ଶୁଭଲଷ୍ମୀ ପୂଜାରୀ, ବେଲଗୁଣ୍ଠା ଆଇଆଇସି ରେବତୀ ଶବର,ଜଗନ୍ନାଥ ପ୍ରସାଦ ଆଇଆଇସି ପ୍ରମୋଦ କୁମାର ଲେଙ୍କା, ବୁଗୁଡ଼ା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କ ସମେତ ତିନି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।