ଜମ୍ମୁ କାଶ୍ମୀରରେ ଭୂସ୍ଖଳନ: SDM ଏବଂ ତାଙ୍କ ପୁଅଙ୍କ ମୃତ୍ୟୁ, ଲେଫ୍ଟନାଣ୍ଟ ଗଭର୍ଣ୍ଣର କଲେ ଦୁଃଖ ପ୍ରକାଶ

ଜମ୍ମୁ କାଶ୍ମୀରର ରିଆସି ଜିଲ୍ଲାରେ ଭୂସ୍ଖଳନ ଘଟିଛି । ପାହାଡ଼ରୁ ପଥର ଗାଡ଼ି ଉପରେ ପଡ଼ିବାରୁ ଜଣେ ସବ-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ (SDM) ରାଜିନ୍ଦର ସିଂହ ରାଣା ଏବଂ ତାଙ୍କ ପୁଅଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀ ଏବଂ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି ।ସୂଚନାନୁଯାୟୀ, ଗୁରୁବାର ରାତିରେ ସାଲୁଖ ଇଖତାର ନାଲା ଅଞ୍ଚଳରେ ଭୂସ୍ଖଳନ ଘଟଣା ଘଟିଥିଲା । ଯେତେବେଳେ ରାଜିନ୍ଦର ସିଂହ ରାଣା ତାଙ୍କ ପରିବାର ସହିତ ଧର୍ମାରିରୁ ତାଙ୍କ ଜନ୍ମଭୂମି ପାଟିଆନକୁ ଯାଉଥିଲେ । ସେହି ସମୟରେ ଭୂସ୍ଖଳନ ଯୋଗୁଁ ଏକ ବଡ଼ ପଥର ଗାଡ଼ି ଉପରେ ପଡିଥିଲା । ଯାହା ଫଳରେ ଘଟଣାସ୍ଥଳରେ SDM ଏବଂ ତାଙ୍କ ପୁଅଙ୍କ ମୃତ୍ୟୁ ହୋଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି ।ଏହାରି ମଧ୍ୟରେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା । କିନ୍ତୁ ପରେ ଗୁରୁତର ଆହତମାନଙ୍କୁ ରିଆସିର ଜିଲ୍ଲା ହସ୍ପିଟାଲକୁ ରେଫର କରାଯାଇଥିଲା । ପୂର୍ବରୁ ପୂର୍ବ ଲଦାଖରେ ଏକ ସେନା ଗାଡ଼ି ଉପରେ ପଥର ଖସି ପଡ଼ିବାରୁ ଦୁଇ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ।ଅନ୍ୟପଟେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା SDMଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ଏହା ସହିତ ସେ ସୋସିଆଲ ମିଡିଆ Xରେ ଲେଖିଛନ୍ତି ଯେ, ‘ରିଆସିର ଧର୍ମାରିରେ ହୋଇଥିବା ଭୂସ୍ଖଳନ ଘଟଣାରେ ମୁଁ ଗଭୀର ଦୁଃଖିତ । ଏହି ଦୁଃଖଦ ଘଟଣା ହୃଦୟ ବିଦାରକ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା । ମୁଁ ପ୍ରାର୍ଥନା କରୁଛି ଯେ ଏହି ଘଟଣାରେ ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ।’

Leave a Reply

Your email address will not be published. Required fields are marked *