ମ୍ୟାଲେରିଆ ସଂକ୍ରମଣରେ ଦେଶରେ ଶୀର୍ଷରେ ଓଡ଼ିଶା; ସୁଧୁରୁନି ଦକ୍ଷିଣ ଓଡ଼ିଶାରେ ସ୍ଥିତି, ଫୋକସରେ 7ଟି ଜିଲ୍ଲା

ଭୁବନେଶ୍ୱର: “ଓଡ଼ିଶାରେ ମ୍ୟାଲେରିଆ ସ୍ଥିତି ଭଲ ନାହିଁ । ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଛି । ଦେଶରେ ଓଡ଼ିଶା ଏକ ମ୍ୟାଲେରିଆ ପ୍ରବଣ ରାଜ୍ୟ । ‘ଦମନ’ କାର୍ଯ୍ୟକ୍ରମ ଜାରି ରହିବା ସହ ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାରେ LLIN ମଶାରୀ ବଣ୍ଟନ ହେଉଛି । ହେଲେ ଲୋକ ନୂଆ ବଦଳରେ ପୁରୁଣା ମଶାରୀ ବ୍ୟବହାର କରୁଛନ୍ତି । କେଉଁ ରାଜ୍ୟ ସହ ପ୍ରତିଯୋଗିତା ନାହିଁ । ସବୁ ରାଜ୍ୟର ଭୌଗଳିକ ସ୍ଥିତି ଭିନ୍ନ । ବର୍ଷା ଦିନରେ ମଶାଙ୍କ ବଂଶ ବୃଦ୍ଧି ହୁଏ । ବର୍ତମାନ 7ଟି ଜିଲ୍ଲା ମ୍ୟାଲେରିଆ ପ୍ରବଣ ଅଛନ୍ତି । ମ୍ୟାଲେରିଆରେ ବୃଦ୍ଧିରେ ଝାଡ଼ଖଣ୍ଡ ଓ ଛତିଶଗଡ ପରି ମ୍ୟାଲେରିଆ ପ୍ରବଣ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା,” ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।

କେଉଁ ଜିଲ୍ଲାରେ କେତେ ମ୍ୟାଲେରିଆ-ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୬୭୨୩୩ ଜଣ ମ୍ୟାଲେରିଆରେ ପୀଡିତ ହେଲେଣି । ରାୟଗଡାରେ ସର୍ବାଧିକ ୩୧୭୪୫ ମ୍ୟାଲେରିଆ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁରରେ ୨୮୧୩୪, କନ୍ଧମାଳରେ ୨୨୧୦୫, ନୟାଗଡରେ ୧୨୪୬୦, କେନ୍ଦୁଝରରେ ୧୧୭୬୫ ଜଣ ମାମଲା ଚିହ୍ନଟ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଭାବରେ ସୋନପୁରରେ ୯୯୯୫, ଅନୁଗୁଳରେ ୯୩୮୪ଟି ମେଲେରିଆ ଚିହ୍ନଟ ହୋଇଥିବା ବେଳେ ମାତ୍ର ଜଣେ ମୃତ୍ୟୁବରଣ କରିଥିବା ରିପୋର୍ଟରେ ଦର୍ଶାଯାଇଛି ।ମାଲକାନଗିରିରେ ୬୩୨୩ ଜଣ ମେଲେରିଆ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି । କୋରାପୁଟରେ ୪୯୧୬, ବଲାଙ୍ଗୀରରେ ୪୬୨୭, ବାଲେଶ୍ୱରରେ ୩୩୨୯, ଗଂଜାମରେ ୩୧୫୨, ସମ୍ବଲପୁରରେ ୨୮୭୫, ଜଗତସିଂହପୁରରେ ୨୨୨୧, ଢେଙ୍କାନାଳରେ ୨୦୪୧, ପୁରୀରେ ୧୮୭୭, ଦେଓଗଡରେ ୧୬୬୪, ସୁନ୍ଦରଗଡରେ ୧୬୫୦, କେନ୍ଦ୍ରାପଡାରେ ୧୫୦୯, କଟକରେ ୧୪୩୦, ଯାଜପୁରରେ ୧୩୭୫, ବରଗଡରେ ୯୯୪, ଭଦ୍ରକରେ ୬୭୬, ମୟୂରଭଞ୍ଜରେ ୩୫୯, ଖୋର୍ଦ୍ଧାରେ ୨୨୭, ଗଜପତିରେ ୧୨୩, ଝାରସୁଗୁଡାରେ ୧୨୧, ଭୁବନେଶ୍ୱରରେ ୮୧, ନୂଆପଡାରେ ୬୫, କଳାହାଣ୍ଡିରେ ୯, ବୌଦ୍ଧରେ ୧ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟୁଛି । ତେବେ ରାଜ୍ୟରେ ସମୁଦାୟ ୧୬୭୨୩୩ ଜଣ ଚିହ୍ନଟ କରାଯାଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ଘଟୁଛି ।

କେଉଁ ଜିଲ୍ଲା ଉପରେ ବିଶେଷ ନଜର-“ରାଜ୍ୟରେ ୭ଟି ଜିଲ୍ଲା ରାୟଗଡ଼ା, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ଗଜପତି, ବୌଦ୍ଧ ଏବଂ ମାଲକାନଗିରି ସର୍ବାଧିକ ମେଲେରିଆ ପ୍ରବଣ ଭାବେ ଆଗରେ ରହିଛି। ସ୍ଥିତିରେ ସୁଧାର ଆଣିବା ପାଇଁ ତୃଣମୂଳସ୍ତରରୁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆଶାକର୍ମୀ ସଚେତନତା କରିବା ସହିତ ଔଷଧ ପ୍ରଦାନ କରାଯାଉଛି । ପାଖାପାଖି ୪୮ ହଜାରୁ ଅଧିକ ଆଶାକର୍ମୀ ଘରକୁ ଘର ବୁଲି ସଚେତନ କରିବା ସହିତ ‘ନିଧି ମଉସା ରଥ’ ମାଧ୍ୟମରେ ସଚେତନତା କରାଯାଉଛି । ଦୁର୍ଗମ ଅଞ୍ଚଳରେ ଦମନ କାର୍ଯ୍ୟକ୍ରମ ଜାରି ରହିଛି,” ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

Leave a Reply

Your email address will not be published. Required fields are marked *