ଶୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା, ବବିତା ପାତ୍ର ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ଭୁବନେଶ୍ୱର/ବାଲେଶ୍ୱର: ମହିଳା ବିରୋଧୀ ହିଂସା ନେଇ ରାଜ୍ୟରେ ବେଶ୍ କିଛି ଦିନ ଧରି ରାଜରାସ୍ତାଠୁ ରାଜଧାନୀ, ଗାଁ ଗଳି କନ୍ଦିରୁ ସହର ବଜାର ସରଗରମ ରହିଥିଲା । ଏପଟେ ମହିଳା ସୁରକ୍ଷା ଦାବିରେ ଜୋର ଧରିଥିଲା ରାଜନୀତି । ସରକାରକୁ ଘେରିଥିଲେ ବିରୋଧୀ । ଏସବୁ ଭିତରେ ଆଜି ରାଜ୍ୟ ସରକାର ମହିଳା ବିରୋଧୀ ହିଂସା ଏବଂ ସୁରକ୍ଷା ଦିଗରେ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ପାଖାପିଖି 10 ମାସ ଧରି ଖାଲି ପଡିଥିବା ମହିଳା କମିଶନ ଅଧ୍ୟକ୍ଷା ପଦରେ ନିଯୁକ୍ତି କରିବା ସହିତ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ନିଯୁକ୍ତି ମଧ୍ୟ ଦେଇଛନ୍ତି । ଏପଟେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ପରେ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ଶୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା-ଶୋଭନା ମହାନ୍ତି ହେଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ନିଯୁକ୍ତି ନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାଲେଶ୍ୱର ରେମୁଣା କରଞ୍ଜିଆର ବାସିନ୍ଦା ହେଲେ ସୋଭନା ମହାନ୍ତି । ଆସନ୍ତା 3 ବର୍ଷ ପାଇଁ ସୋଭନା ମହାନ୍ତିଙ୍କୁ ମହିଳା କମିଶନ ଅଧ୍ୟକ୍ଷା ପଦବୀରେ ମିଳିଛି ନିଯୁକ୍ତି । ଅଗଷ୍ଟ 5 ତାରିଖ 2025ରୁ 3 ବର୍ଷ ପାଇଁ ତାଙ୍କୁ ନିଯୁକ୍ତି ମିଳିଛି । ମହିଳାମାନଙ୍କ ଅଧିକାର ଏବଂ ସ୍ୱାର୍ଥକୁ ସୁରକ୍ଷା ଏବଂ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରେ ରାଜ୍ୟ ମହିଳା ଆୟୋଗ । ଏହାସିହତ ଲିଙ୍ଗଗତ ସମାନତା, ସୁରକ୍ଷା ଏବଂ ସଶକ୍ତିକରଣ ସହିତ ଜଡିତ ସମସ୍ୟାଗୁଡ଼ିକୁ ସମାଧାନ କରିଥାଏ ମହିଳା କମିଶନ । ଏଥିସହିତ ମହିଳାଙ୍କ ସମ୍ପର୍କିତ ନୀତିଗତ ସୁପାରିଶ ଉପରେ କାର୍ଯ୍ୟକରେ ମହିଳା କମିଶନ

ପ୍ରତିଟି ମହିଳା କିପରି ସୁରକ୍ଷା ପାଇବେ, ସେ ଦିଗରେ କାମ କରିବି-ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଭାବେ ବାଲେଶ୍ୱରର ଶୋଭନା ମହାନ୍ତି ନିଯୁକ୍ତ ହୋଇଛନ୍ତି । ସୋଭନାଙ୍କ ନାମ ଘୋଷଣା ପରେ ତାଙ୍କ ବାସଭବନରେ ଶୁଭେଚ୍ଛୁ ମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ରେମୁଣା ନିର୍ବାଚନ ମଣ୍ଡଳୀର ଜଣେ ସକ୍ରିୟ କର୍ମୀ ଭାବେ ବେଶ ଜଣାଶୁଣା ସୋଭନା ଆଜି ରାଜ୍ୟର ଏହି ଗୁରୁଦାୟିତ୍ୱ ପାଇବା ପରେ ଆମେ ତାଙ୍କ ସହ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲୁ ।

ଏହି ଅବସରରେ ପ୍ରତିକ୍ରିୟାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି କହିଛନ୍ତି, ପ୍ରଥମେ ତ ସମାଜର ଅସହାୟ ଅବହେଳିତ ମହିଳାଙ୍କ ସୁରକ୍ଷା ଏବଂ ନ୍ୟାୟ ପାଇଁ କାମ କରିବି । ପ୍ରତିଟି ମହିଳା କିପରି ସୁରକ୍ଷା ପାଇବେ ତୃଣମୂଳ ସ୍ତରରେ ସେ ଦିଗରେ ଚେଷ୍ଟିତ ରହିବି । ସେମାନଙ୍କ ସମସ୍ୟାକୁ ସାମ୍ନାକୁ ଆଣିବି । ଯେଉଁ ଦାୟିତ୍ୱ ମିଳିଛି ଅଧ୍ୟକ୍ଷା ଭାବେ ମୁଁ ସର୍ବଦା ଚେଷ୍ଟା କରିବି ଯେପରି ମହିଳାମାନେ ଗୁହାରି କରି ବିଫଳ ନହେବେ । ମୋ ପାଖକୁ ଯେଉଁ ଅଭିଯୋଗ ଆସିବ ତାକୁ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ନିର୍ଣ୍ଣାୟକ ନିଷ୍ପତ୍ତି ନିଆଯିବ । ମହିଳାମାନଙ୍କୁ ସରକାରଙ୍କ ଯୋଜନା ମାଧ୍ୟମରେ ସଚେତନ କରାଯିବ । ତୃଣମୂଳସ୍ତରରେ ସରକାରଙ୍କ ବାର୍ତ୍ତାକୁ ପହଞ୍ଚାଯିବ । ଘରୋଇ ହିଂସାର ସମାଧାନ ସମୟରେ ତଥ୍ୟକୁ ଦେଖି ନ୍ୟାୟ ବ୍ୟବସ୍ଥା କରାଯିବ । ତେବେ ସମସ୍ତ ଭଉଣୀମାନେ, ଯେଉଁମାନେ ସମାଜରେ ଅସଦାଚରଣର ଶିକାର ହେଉଛନ୍ତି ତାଙ୍କ ପାଇଁ ଲଢେଇ କରିବି । ଘରୋଇ ହିଂସା ବୃଦ୍ଧି ହେଉଥିବା ବେଳେ ଉଚିତ ଭାବେ ତଦନ୍ତ କରି ନ୍ୟାୟ ପ୍ରଦାନ ଦିଗରେ ଚେଷ୍ଟା କରିବି ।”

ବବିତା ପାତ୍ର ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା-Odisha State Commission for Protection of Child Rights ବବିତା ପାତ୍ର ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଛନ୍ତି । ତାଙ୍କୁ ୩ ବର୍ଷ ପାଇଁ ଏହି ପଦବୀରେ ନିଯୁକ୍ତି ଦେଲେ ରାଜ୍ୟ ସରକାର । ସେହିପରି ଶିଶୁ ସୁରକ୍ଷା ଆୟୋଗରେ ସ୍ଥାନ ପାଇଲେ ଆଉ ୬ ସଦସ୍ୟ । ବ୍ରହ୍ମପୁର ମୟୂର ବିହାର ସୋମନାଥ ନଗର ବାସିନ୍ଦା ହେଲେ ବବିତା ପାତ୍ର । ସେ 3 ବର୍ଷ ପାଇଁ ନିଯୁକ୍ତି ପାଇଛନ୍ତି ହେଲେ 65 ବର୍ଷ ବୟସରେ ଏହି ପଦ ଛାଡିବେ । ସୁକେଶୀ ଓରାମ (ଚମ୍ପୁଆ, କେନ୍ଦୁଝର), କଳ୍ପନା ଲେଙ୍କା (ବାସନ୍ତୀ କଲୋନୀ, ରାଉରକେଲା ), ଚନ୍ଦନା ଦାସ (ବଡଗଡ ବ୍ରିଟ୍ କଲୋନୀ ଭୁବନେଶ୍ୱର ) ସଦସ୍ୟ ନିଯୁକ୍ତି ପାଇଛନ୍ତି । ଏହାସହିତ କସ୍ତୁରୀ ମିଶ୍ର (ବାପୁଜୀ ନଗର ଭୁବନେଶ୍ୱର ), ମନସ୍ମିତା ଖୁଣ୍ଟିଆ (ଚରମ୍ପା ଭଦ୍ରକ), ସୁଜାତା ନାୟକ (ବମିଖାଲ ଭୁବନେଶ୍ୱର ) ମଧ୍ୟ ସଦସ୍ୟ ନିଯୁକ୍ତ ହୋଇଛନ୍ତି

Leave a Reply

Your email address will not be published. Required fields are marked *