
ଢେଙ୍କାନାଳ: କେନାଲକୁ ଓଲଟିଲା ବସ୍ । ଭାରସାମ୍ୟ ହରାଇ କେନାଳକୁ ଓଲଟିଲା ଏକ ଘରୋଇ ଯାତ୍ରୀବାହୀ ବସ, 15ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା । ଏପରି ଏକ ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର, ତୁମୁସିଂହାର କନ୍ତି ଓ ପୁଟସାହି କେନାଳ ରାସ୍ତାରେ । ସମସ୍ତ ଆହାତଙ୍କୁ ସ୍ଥାନୀୟ ଆଁଅଣା ବେରଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।କେନାଲକୁ ଖସିଲା ବସ:ପ୍ରାୟ 70 ଯାତ୍ରୀଙ୍କୁ ନେଇ ଢେଙ୍କାନାଳ ପରଜଙ୍ଗରୁ ରାଜଧାନୀ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ଏକ ଘରୋଇ ବସ । ତୁମୁସିଂହାର କନ୍ତି ଓ ପୁଟସାହି କେନାଳ ରାସ୍ତାରେ ଯିବା ସମୟରେ ହଠାତ୍ ଭାରସାମ୍ୟ ହରାଇ ରେଙ୍ଗାଲି ଶାଖା କେନାଲ ଭିତରକୁ ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।ଏହାପରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଯାତ୍ରୀଙ୍କୁ ବସ ଭିତରୁ ସୁରକ୍ଷିତ ଉଦ୍ଧାର ଆରମ୍ଭ କରିଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ଆଁଅଣା ବେରଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏହି ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ କାହାର ପ୍ରାଣହାନୀ ହୋଇନାହିଁ ।
ଏପରି କହିଲେ ସ୍ଥାନୀୟ ବାସିନ୍ଦା:ବସ୍ ଦୁର୍ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ସୁଶାନ୍ତ ନାୟକ କହିଛନ୍ତି,” ଜଗନ୍ନାଥ ନାମକ ଏକ ଯାତ୍ରୀବାହୀ ବସ୍ ତୁମୁସିଂହାର କନ୍ତି ଓ ପୁଟସାହି କେନାଳ ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗୋଟିଏ ଧାନ ତଳି ନେଇଯାଉଥିବା ଅନ୍ୟ ଏକ ଗାଡ଼ିକୁ ରାସ୍ତା ଦେବା ସମୟରେ ଭାରସାମ୍ୟ ହରାଇ ବସଟି କେନାଳକୁ ଓଲଟି ପଡ଼ିଥିଲା । ବସ୍ ଭିତରେ 70ରୁ ଅଧିକ ଯାତ୍ରୀ ରହିଥିବା ବେଳେ 15ରୁ ଅଧିକ ଆହାତ ହୋଇଛନ୍ତି । ଆମେ ସମସ୍ତ ଆହାତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରିଛୁ । ଆହତ ଯାତ୍ରୀମାନେ ପରଜଙ୍ଗ ଓ ଭୁବନେଶ୍ୱର ।” ସେପଟେ କେନାଳ ହୁଡ଼ାରେ ବସ ଚଳାଚଳ କରିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ ।