
ଆସିକା ୦୯/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବର୍ଷେ କି ଦୁଇ ବର୍ଷ ନୁହଁ, ଗତ ୨୦ ବର୍ଷ ଧରି ଆସିକା ବ୍ଲକ୍ ବେଣାପାଟ ଗାଁର ଏକ ନଳକୂପରୁ ଅନବରତ ଉଷ୍ମ ଜଳ ବାହାରୁଛି। ନଳକୂପର ହ୍ୟାଣ୍ଡଲ୍ ନାହିଁ। ଅଥଚ କେହି ଯେମିତି ମୋଟର ଲଗାଇ ପାଣି ଉଠାଇଲା ଭଳି ବର୍ଷ ବର୍ଷ ଧରି ଏହି ନଳକୂପରୁ ବାହାରୁଛି ଗରମ ଜଳ। ସତେ ଯେମିତି ଏକ ଉଷ୍ମ ପ୍ରସବଣ। ଏହାର କାରଣ ସମ୍ପର୍କରେ ଗ୍ରାମର କେହି କହିପାରୁ ନାହାନ୍ତି। ଏଭଳି ଏକ ରୋଚକ ଦୃଶ୍ୟ ବେଣାପାଟ ଗାଁକୁ ଯାଉଥିବା ଲୋକଙ୍କୁ ଚକିତ କରୁଛି। ଗ୍ରାମରେ ନିର୍ମାଣାଧୀନ ଶିବ ମନ୍ଦିର ସମ୍ମୁଖରେ ରହିଛି ଏହି ନଳକୂପ। ଗ୍ରାମବାସୀ କହନ୍ତି ୨୦ ବର୍ଷ ପୂର୍ବେ ପଞ୍ଚାୟତ ପକ୍ଷରୁ ଏଠାରେ ଏକ ନଳକୂପ ଖୋଳାଯାଇଥିଲା। ତେବେ କିଛି ଗଭୀର ଖୋଳାଯିବା ମାତ୍ରେ ପାଣିର ଫୁଆରା ବାହାରିବା ଆରମ୍ଭ ହୋଇଥିଲା। ତେଣୁ ନଳକୂପ ଖୋଳିଥିବା କମ୍ପାନୀ ଆଉ ହ୍ୟାଣ୍ଡଲ ନ ଲଗାଇ ଚାଲିଯାଇଥିଲା। ସରୁ ଧାରରେ ଅନବରତ ବାହାରୁଥିବା ଏହି ପାଣିରେ ସଲଫର୍ ଅଂଶ ରହିଥିବାରୁ ଏହା ଉଷ୍ମ ରହୁଛି।
ଯେହେତୁ ଶିବ ମନ୍ଦିର ଆଗରେ ଏହି ଉଷ୍ମ ଝରଟି ରହିଛି ତେଣୁ ଏହାକୁ ଏକ ପର୍ଯ୍ୟଟନସ୍ଥଳ ଭାବେ ବିକଶିତ କରାଗଲେ ଏଠାକୁ ମଧ୍ୟ ବହୁ ପର୍ଯ୍ୟଟକ ଓ ଭକ୍ତ ଆସିଥାନ୍ତେ । ତପ୍ତପାଣି ଓ ଅଟ୍ରି ଭଳି ଏହି ସ୍ଥାନର ବିକାଶର ଆବଶ୍ୟକତା ରହିଛି। ଭଞ୍ଜନଗର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ମୁନା କୁଲାଣ୍ଡିଆ କହିଛନ୍ତି ଯେ- ଏହା ପ୍ରଥମ କରି ଜାଣିବାକୁ ପାଇଛି। ଏନେଇ ଆସିକା ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରି କଣ କରାଯାଇପାରିବ ତାହା ନିଷ୍ପତ୍ତି ନେବୁ।