ଭଞ୍ଜନଗର: ନବମ ଶ୍ରେଣୀର ନାବାଳକକୁ ସର୍ବ ସମ୍ମୁଖରେ ମାଡ଼ ଘଟଣା; ସୋସିଆଲ ମିଡିଆରେ ଭାଇରାଲ ଭିଡିଓ, ମାନବିକତାର ପକ୍ଷ ରଖୁଛନ୍ତି ବୁଦ୍ଧିଜୀବୀ

ଭଞ୍ଜନଗର, ୧୦/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ). ଗତ ୨ତାରିଖରେ ଭଞ୍ଜନଗର ସହରର ଜନଗହଳି ପୂର୍ଣ୍ଣ ଅଞ୍ଚଳ ହାଇସ୍କୁଲ ଛକ ସ୍ଥିତ ସାବିତ୍ରୀ ମହିଳା ମହାବିଦ୍ୟାଳୟ ସାମ୍ନାରେ ସର୍ବସମ୍ମୁଖରେ ଜଣେ ଛାତ୍ରୀ ନିର୍ଧୁମ ଭାବେ ଜଣେ ନବମ ଶ୍ରେଣୀ ନାବାଳକକୁ ବାଡେଇ ଚାଲିଥିଲେ। ଦିନ ପ୍ରାୟ ୧୧ଟା ପାଖାପାଖି ହେବ । ଏହି ରାସ୍ତାରେ ବହୁଲୋକ ଓ ଛାତ୍ରଛାତ୍ରୀ ଯାତାୟାତ କରୁଥିଲେ ମଧ୍ୟ କେହି ଏହି ଘଟଣାରେ ହସ୍ତକ୍ଷେପ କରି ନଥିଲେ। ଆହୁରି ଅନେକ ସେଠାରେ ଠିଆ ହୋଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଏଭଳି ଏକ ଘଟଣାକୁ ଦେଖି ନିରବ ଦ୍ରଷ୍ଟା ସାଜି ଏହି ହାଇଡ୍ରାମାର ମଜା ଉଠାଇଥିଲେ।ଦୁଃଖର ବିଷୟ, କେହି ଏହାର ପ୍ରତିବାଦ କରି ନ ଥିଲେ କି ପୋଲିସ କୁ ମଧ୍ୟ ଖବର ଦେଇ ନଥିଲେ। ଶୁଣିବାକୁ ମିଳୁଛି ଉକ୍ତ ଛାତ୍ର ଜଣଙ୍କ ନବମ ଶ୍ରେଣୀରେ ଅଧ୍ୟୟନ କରନ୍ତି ଏବଂ କୌଣସି ଏକ କାରଣକୁ ନେଇ ନିକଟରେ ଥିବା ଏକ କମ୍ପ୍ୟୁଟର କୋଚିଙ୍ଗ ସେଣ୍ଟର୍ ରେ କମ୍ପ୍ୟୁଟର ଶିକ୍ଷା ନେଉଥିବା ଉକ୍ତ ଛାତ୍ରୀ ଜଣକ ନାବାଳକର ସାର୍ଟ ଚିରି ବାରମ୍ବାର ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା।ଏହାପରେ ଉକ୍ତ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନର ପରିଚାଳକଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ମାନେ ମଧ୍ୟ ଉକ୍ତ ଛାତ୍ରକୁ ଧମକ ଚମକ ଦେଇ ମାଡ଼ ମାରିଥିବା ଜଣାପଡିଛି। ସୋସିଆଲ ମିଡ଼ିଆରେ ଏହାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା। ଉକ୍ତ ଘଟଣାରେ ଲୋକଲଜ୍ଜ୍ୟା କାରଣରୁ ନାବାଳକ ଜଣକ ମାନସିକ ଭାରସାମ୍ୟ ହରାଇ ଯଦି କିଛି ଚରମ ପଦକ୍ଷେପ ଗ୍ରହଣ କରନ୍ତି ତାହେଲେ ଏଥିପାଇଁ କିଏ ଦାୟୀ ରହିବେ। ଏତେ ବଡ ଘଟଣା ପରେ ମଧ୍ୟ ଉକ୍ତ ଛାତ୍ରର ପରିବାର ଲୋକ, ସମାଜସେବୀ, ବିଭିନ୍ନ ସଙ୍ଗଠନ କିମ୍ବା ମାନବ ଅଧିକାର କମିଶନ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଯଦି ଅଜାଣତରେ ନାବାଳକଟି କିଛି ଭୁଲ କରିଥାଏ, ତାହେଲେ ତାକୁ ସୁଧାରିବା କଣ ସମସ୍ତଙ୍କର ଦାୟିତ୍ୱ ନୁହେଁ। ପୋଲିସ ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ ମଧ୍ୟ ଏସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇ ନଥିବାରୁ ସେମାନଙ୍କ ପକ୍ଷେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭବ ନୁହେଁ।

Leave a Reply

Your email address will not be published. Required fields are marked *