
ନୀଳଗିରି : ଭୂତ ଭୟରେ ଘର ଛାଡ଼ିଲେ ପରିବାର । ମନ୍ଦିରରେ ଆଶ୍ରୟ ନେଇଛନ୍ତି ପିଲା ଠୁ ବୟସ୍କ । ଜଣଙ୍କ ପରେ ଜଣଙ୍କୁ ଲାଗୁଛି କାଳିସୀ । ପରିବାର ଲୋକଙ୍କ ହେଉଛି ସ୍ବପ୍ନାଦେଶ । ଠାକୁରାଣୀଙ୍କ ସ୍ବପ୍ନାଦେଶ ହେଉଥିବା କହିଛନ୍ତି ପରିବାର । ଠାକୁରାଣୀ କହୁଛନ୍ତି ଘର ଛାଡ଼, ଠାକୁରସ୍ଥା ନରେ ଯାଇ ରୁହ, ବଞ୍ଚିଯିବ । ଏମିତି କିଛି ସ୍ବପ୍ନାଦେଶ ପାଇବା ପରେ ଘରେ ରହିବାକୁ ଅସୁରକ୍ଷିତ ମଣୁଛନ୍ତି ପରିବାର । କାହିଁକି ନା ଘରେ ରହିଲେ ଅସ୍ବାଭାବିକ ଆଚରଣ କରୁଛନ୍ତି ପରିବାରର ସମସ୍ତ ସଦସ୍ୟ । କିନ୍ତୁ ମନ୍ଦିରରେ ରହିଲେ ସବୁ ଠିକ୍ । ଅପାଣିୟା ଭୂତ ଭୟରେ ଜୀବନ ବଞ୍ଚାଇବା ପାଇଁ ପରିବାରର ୧୦ ଜଣ ସଦସ୍ୟ ମନ୍ଦିରରେ ନେଇଛନ୍ତି ଆଶ୍ରୟ ।ଘର ଭିତରେ କାହାର ପ୍ରକୋପ ରହିଥିବାରୁ ଶାନ୍ତିରେ ରହିପାରୁ ନାହାନ୍ତି ପରିବାର ବର୍ଗ । ଆଉ ଜୀବନ ବିକଳରେ ଧାଇଁ ଆସିଛନ୍ତି ଗାଁ ପାଖ ମନ୍ଦିରକୁ । ଏକଥା ଆମେ କହୁନୁ ଆଜ୍ଞା । ଏଭଳି କିଛି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ବଉଳ ଗାଡ଼ିଆ ଅଞ୍ଚଳର ପାତ୍ର ସାହିର ଏକ ପରିବାରରେ । ଏହି ପରିବାରର ୧୦ ଜଣ ସଦସ୍ୟ ଅପାଣିୟା ଭୂତ ଭୟରେ ୨ରୁ୩ ଦିନ ହେବ ଘର ଛାଡ଼ି ଦେଇଛନ୍ତି । ଭୟରେ ଘର ଛାଡ଼ି ଆସି ନୀଳଗିରି ରାଧାକିଶୋର ମନ୍ଦିରରେ ଆଶ୍ରୟ ନେଇଛନ୍ତି ।ଗତ ୧ ମାସ ହେବ ଘରେ ବିଭିନ୍ନ ସମୟରେ ଅଶାନ୍ତି ଝଗଡା ମାରପିଟ ଲାଗି ରହୁଥିବା ବେଳେ ମାସେ ଭିତରେ ଘରର ତିନିଜଣ ସଦସ୍ୟ ମୃତ୍ୟୁବରଣ କରିଛନ୍ତି । ଏସବୁ ଘଟଣା ପରିବାର ଲୋକଙ୍କୁ ଆଶ୍ଚଯ୍ୟ କରିଥିଲା । ଏଥିରେ ପରିବାର ସଦସ୍ୟ ଭୟଭୀତ ହୋଇ ବାଲେଶ୍ୱର ଅଞ୍ଚଳର ଏକ ଗୁଣିଆକୁ ଡାକି ପଚରାଉଚରା କରିଥିଲେ । ଗୁଣିଆ ଜଣଙ୍କ ୩୦ ହଜାର ଟଙ୍କା ନେଇ ପୂଜା କରିଥିଲେ ହେଲେ ଫଳ ଓଲଟା ହେଲା, ଯାହା ଫଳରେ ମନ୍ଦିରରେ ଆଶ୍ରୟ ନେଇଛନ୍ତି ପରିବାର ଲୋକ ।ଭୂତ ପ୍ରକୋପରେ ଘର ଲୋକଙ୍କ ଦେହ ଅସୁସ୍ଥ ରହିଥିବା ମଧ୍ୟ ପରିବାର ଲୋକେ କହିଛନ୍ତି । ତେବେ ପରିବାର ନିଜର ସୁରକ୍ଷା ପାଇଁ ମନ୍ଦିର ବେଢ଼ାରେ ଆଶ୍ରୟ ନେଇଛନ୍ତି ସତ । କିନ୍ତୁ ପିଲା ଛୁଆ ଧରି କେତେ ଦିନ ବା ଏମିତି ମନ୍ଦିର ବେଢ଼ାରେ ରହିବେ, ଆଉ ଖାଇବେ କଣ ? ତେବେ ଏହି ଘଟଣା ଅନ୍ଧ ବିଶ୍ବାସ ନା ଆଉ କିଛି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।