
ଭଞ୍ଜନଗର ୧୧/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଶାଳୁଆପଲ୍ଲୀ ଛକରୁ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି।ଗିରଫ ଯୁବକ ଜଣକ ସହି ଗ୍ରାମର ଅଶୋକ ଭୁୟାଁ। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏହା ସହ ତା ନିକଟରୁ ଏକ ମାଉଜର ଓ ଦୁଇଟି ଗୁଳି ଜବତ କରାଯାଇଥିବା ଥାନଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି।
ସୂଚନାନୁସାରେ , ଗତ କାଲି ରାତିରେ ଭଞ୍ଜନଗର ଥାନା ଏସଆଇ ସମୀର କୁମାର ସେଠୀ ଙ୍କ ନେତୃତ୍ବରେ ଏକ ପୋଲିସ ଟିମ୍ ଭଞ୍ଜନଗର ବ୍ରହ୍ମପୁର ରାସ୍ତାରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ଶାଳୁଆପଲ୍ଲୀ ଛକରେ ଅଶୋକ ଭୁୟାଁ ନାମକ ଜଣେ ଯୁବକ ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲେ। ପୋଲିସ ତାକୁ ଅଟକ ରଖି ପଚରାଉଚରା କରିବା ସମୟରେ ତାଙ୍କଠୁ ଗୋଟିଏ ମାଉଜର ଓ ଦୁଇଟି ଜୀବନ୍ତ ଗୁଳି ଜବତ ହୋଇଛି। ଏନେଇ ଭଞ୍ଜନଗର ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।