
ସମ୍ବଲପୁର: ଧାର୍ଯ୍ୟ ହେଲା ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ ପର୍ବ ନୂଆଁଖାଇ ଲଗ୍ନ । ଆସନ୍ତା 28 ତାରିଖ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଗୁରୁବାର ଦିନ ପୂର୍ବାହ୍ନ 10. 33 ରୁ 10.55 ମଧ୍ୟରେ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ହେବ ।ଏହା ପରେ ପରମ୍ପରା ଅନୁସାରେ ଘରେ ଘରେ ନୂଆଁଖାଇ ପାଳନ ହେବ l ଏଥିପାଇଁ ଆଜି ପରମ୍ପରା ମୁତାବକ ସମ୍ବଲପୁର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିର ଠାରେ ପଣ୍ଡିତ ମାନେ ନୂଆଁଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ କରିଛନ୍ତି l ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ଅର୍ଥାତ ନାନ୍ଦୋତ୍ସବ ଅବସରରେ ଏଠାରେ ନୂଆଁଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ କରା ଯାଇଥାଏ l
ଆଜି ଅପରାହ୍ନ ସାଢେ 4 ଟା ସମୟରେ ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିର ଠାରେ, ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଣ୍ଡିତ ମାନେ ଏକାଠି ହୋଇ ଥିଲେ l ଏହା ପରେ ପ୍ରଥମେ ବିଷ୍ଣୁ ସହସ୍ର ନାମ ପାଠ କରାଯାଇଥିଲା l ପରେ ମା’ ସମଲେଶ୍ୱରୀଙ୍କ ଜାତକ, ରାଶି, ନକ୍ଷତ୍ର ଅନୁସାରେ ଚଳିତ ବର୍ଷ ର ନୂଆଁଖାଇ ପାଇଁ ଏହିଶୁଭଲଗ୍ନ ଧାର୍ଯ୍ୟ କରାଯାଇଥିଲା l