
କେନ୍ଦ୍ରାପଡ଼ା ୧୮/୮: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଏକମାଣିଆ ଠାରେ ନଦୀରେ ୬୦ରୁ ଉର୍ଦ୍ଧ୍ବ ମଇଁଷି ମୃତ୍ୟୁ ଘଟଣା। ଆଶ୍ଚର୍ଯ୍ୟଜନକ ଭାବେ ନାଳରେ ଗୋଟେ ପରେ ଗୋଟେ ମଇଁଷି ବୁଡ଼ିଗଲେ। କେମିତି ଏତେ ସଂଖ୍ୟାରେ ମଇଁଷିଙ୍କ ମୃତ୍ୟୁ ଘଟିଲା। ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିଛି ଜିଲ୍ଲା ପ୍ରଶାସନ ଏବଂ ପୁଲିସ। ମଇଁଷି ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, ରବିବାର ସକାଳ ପ୍ରାୟ ୮ଟାରେ ଏକମାଣିଆ ସେତୁ ନିକଟରୁ କିଛି ଦୂରରେ ବନ୍ଧା ହେଉଥିବା ଏକମାଣିଆ ଗ୍ରାମର ଗଣେଶ ଦାସଙ୍କର ୩୦ଟି, ଜଗନ୍ନାଥ ଦାସଙ୍କର ୩୦ଟି ଓ ନଳପାହି ଗ୍ରାମର ପରମାନନ୍ଦ ବିଶ୍ୱାଳଙ୍କର ୧୨ଟି ମଇଁଷି ଚରିବା ନିମନ୍ତେ ଯାଇଥଲେ । ମଇଁଷି ବ୍ରାହ୍ମଣୀ ନଦୀରୁ ଦକ୍ଷିଣଡିହା ଆଡ଼କୁ ଯାଇଥିବା ଶାଖା ଗଳିଆ ନାଳ ମଧ୍ୟକୁ ଗୋଟିଏ ପରେ ଗୋଟିଏ ଯାଇଥିଲେ କିନ୍ତୁ ନାଳିରେ ପଶିଥିବା ମଇଁଷିଗୁଡ଼ିକ ପାଣିରେ ହଠାତ୍ ବୁଡ଼ି ଯାଇଥିଲେ । ଏହା ଦେଖି ମଇଁଷି ଜଗୁଆଳ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ଡ଼ଙ୍ଗା ନେଇ ନାଳିରେ ଖୋଜାଖୋଜି କରି ପ୍ରାୟ ୬୦ ଅଧିକ ମଇଁଷିର ମୃତଦେହ ଉଦ୍ଧାର କରିଥିଲେ ।

ତେବେ ଆଜି ସକାଳେ ମଇଁଷି ମୃତ୍ୟୁର କାରଣ ଜାଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଆଳି ତହସିଲଦାର ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ର,ରାଜନଗର ବନବିଭାଗର ରେଞ୍ଜ ଅଫିସର ଚିତ୍ତରଞ୍ଜନ ବେହୁରା, ଫରେଷ୍ଟର ବିଜୟ କୁମାର ପାତ୍ର, ଆଳି ବ୍ଳକ ପ୍ରାଣୀ ଚିକିତ୍ସାଧିକାରୀ ବଦ୍ରି ନାରାୟଣ ଚାନ୍ଦ,ବଡ଼ପଡା ପ୍ରାଣୀ ଚିକିତ୍ସକ ସ୍ୱରାଜ ସାମନ୍ତରାୟ, ଏଲଆଇ ସର୍ବେଶ୍ୱର ନାଥ, ସତ୍ୟବ୍ରତ ଦାସ,ଆଟେଣ୍ଡାଣ୍ଟ ବିଶ୍ଵରଂଜନ ପରିଡା ଆଳି ଥାନା ଏସଆଇ ମାନସ ସାହୁ, ମହୁ ରାଜସ୍ୱ ନିରୀକ୍ଷକ ଚିରସ୍ମିତା ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।