
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରାଯାଇଛି। ସିଭିଲ ଲାଇନ୍ସରେ ଥିବା ତାଙ୍କ ସରକାରୀ ବାସଭବନରେ ଏକ ଜନଶୁଣାଣି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଥିଲା। ବର୍ତ୍ତମାନ ଅଭିଯୁକ୍ତକୁ ହେପାଜତକୁ ନିଆଯାଇଛି ।
ଜନଶୁଣାଣି ବେଳେ ଆକ୍ରମଣଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରତି ବୁଧବାର ସିଭିଲ ଲାଇନ୍ସ ସ୍ଥିତ ବାସଭବନରେ ‘ଜନଶୁଣାଣି’ କାର୍ଯ୍ୟକ୍ରମ ଆୟୋଜନ କରନ୍ତି, ଯେଉଁଠାରେ ସେ ସିଧାସଳଖ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟାର ସମାଧାନ କରନ୍ତି । ଆଜିର ଜନଶୁଣାଣି କାର୍ଯ୍ୟକ୍ରମରେ ମଧ୍ୟ ପ୍ରବଳ ଭିଡ଼ ଥିଲା । ସକାଳ ପ୍ରାୟ ସାଢ଼େ 8ଟା ସମୟରେ ମୁଖ୍ୟମନ୍ତ୍ରୀ ଜଣକ ପରେ ଜଣେ ଲୋକଙ୍କ ଅଭିଯୋଗ ଶୁଣାଣି କରୁଥିଲେ । ଏତିକି ବେଳେ ହଠାତ ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଥିଲେ । ସେ କିଛି କାଗଜ ଫିଙ୍ଗି ରେଖା ଗୁପ୍ତାଙ୍କୁ ଚାପୁଡ଼ା ମାରିବାକୁ ଚେଷ୍ଟା କରିଥିଲେ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବ୍ୟକ୍ତି ଜଣଙ୍କ ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ କିଛି କାଗଜ ଫିଙ୍ଗି ତାଙ୍କୁ ମାଡ଼ ମାରିବାକୁ ଚେଷ୍ଟା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ତୁରନ୍ତ ବ୍ୟକ୍ତିଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା ।

ଯୁବକ ଅଟକ:ସୁରକ୍ଷା କର୍ମୀମାନେ ତୁରନ୍ତ ଆକ୍ରମଣକାରୀ ଯୁବକଙ୍କୁ ଧରିଛନ୍ତି । ତାଙ୍କ ବୟସ ପାଖାପାଖି ୩୫ ବର୍ଷ ହେବ । ଯୁବକଙ୍କୁ ପଚରାଉଚରା ବେଳେ ସେ କହିଛନ୍ତି ଯେ, ତାଙ୍କର ଏକ ବ୍ୟକ୍ତିଗତ ସମସ୍ୟା ସମାଧାନ ହେଉନଥିଲା । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଉପରେ ରାଗିଥିଲେ । ପୋଲିସ ତୁରନ୍ତ ତାଙ୍କୁ ହେପାଜତକୁ ନେଇଛି ଏବଂ ଅଧିକ ପଚରାଉଚରା ଚଲାଇଛି । ଆକ୍ରମଣ ପରେ, ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ତାଙ୍କ ବ୍ୟକ୍ତିଗତ ଚାମ୍ବରକୁ ନିଆଯାଇଥିଲା । ଏକ ସରକାରୀ ବିବୃତ୍ତିରେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ତାଙ୍କର କୌଣସି ଆଘାତ ଲାଗିନାହିଁ । ଏକ ଡାକ୍ତରୀ ଟିମ୍ ତାଙ୍କୁ ପରୀକ୍ଷା କରି କିଛି ସମୟ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ।
ତଦନ୍ତ ପାଇଁ ଏକ ସ୍ପେସାଲ ଟିମ୍ ଗଠନ:ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ ପାଇଁ ଏକ ସ୍ପେସାଲ ଟିମ୍ ଦଳ ମଧ୍ୟ ଗଠନ କରିଛି । ପୋଲିସ କମିଶନର କହିଛନ୍ତି ଯେ, ସୁରକ୍ଷା ତ୍ରୁଟିର କାରଣଗୁଡ଼ିକର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ଏବଂ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନିଜେ ଏକ ବିବୃତ୍ତି ଜାରି କରି ଲୋକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି, ଆକ୍ରମଣକାରୀମାନଙ୍କୁ ସେମାନଙ୍କର ଉଦ୍ଦେଶ୍ୟ ପୂରଣ କରିବାକୁ ଦିଆଯିବ ନାହିଁ । ଜନସାଧାରଣଙ୍କ ସେବା କରିବାର ମୋର ସଂକଳ୍ପ ଅଟଳ ରହିବ ।
ମୁଣ୍ଡରେ ଆଘାତ:ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ କହିଛନ୍ତି, “ଆଜି ସକାଳେ ଜନଶୁଣାଣି ସମୟରେ, ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ କଥା ହେଉଥିଲେ । ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସି କିଛି କାଗଜପତ୍ର ଦେବା ସହ ହଠାତ୍ ତାଙ୍କ ହାତକୁ ଟାଣିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ, ଠେଲାପେଲା ହୋଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକମାନେ ବ୍ୟକ୍ତିଙ୍କୁ ଧରି ପକାଇଥିଲେ । ବ୍ୟକ୍ତିଙ୍କ ବିଷୟରେ ପୋଲିସ ତଦନ୍ତ କରୁଛି । ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା ଭଲ ଅଛି । ଡାକ୍ତରମାନେ ତାଙ୍କୁ ପରୀକ୍ଷା କରିଛନ୍ତି ।