
ବେଲଗୁଣ୍ଠା -୨୦/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ହ୍ୟୁମାନ ଟ୍ରାଫେକିଙ୍ଗ ବା ମାନବ ଚାଲାଣ ଭଳି ଏକ ଗୁରୁତର ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ଜନୈକ ଦମ୍ପତ୍ତିଙ୍କୁ ବେଲଗୁଣ୍ଠା ପୋଲିସ ଧରିବାରେ ସଫଳ ହୋଇଥିବା ବେଳେ ହୁମାନ ଟ୍ରାଫିକିଙ୍ଗର ଶିକାର ହୋଇଥିବା ସ୍ଥାନୀୟ ଅଞ୍ଚଳର ଏକ କଲେଜରେ ପଢ଼ୁଥିବା ଜନୈକ ନାବାଳିକାକୁ ପୋଲିସ ଉଦ୍ଧାର କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରାପ୍ତ ସୁଚନା ଅନୁଯାୟୀ , ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପୋଲିସ ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟସ୍ଥ ନବରତ୍ନପୁର ଗ୍ରାମର ଜନୈକ ନାବାଳିକା ବେଲଗୁଣ୍ଠା ବାଙ୍କ ବଜାର ସ୍ଥିତ ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ବେଲଗୁଣ୍ଠା ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ବିଭାଗରେ ପଢୁଥିଲେ । ସେହି କଲେଜ୍ ରେ ଆସିକା ଥାନା ଅନ୍ତର୍ଗତ ଅସୁରେଇପଲ୍ଲି ଗ୍ରାମର ଗେରେଜ୍ କରିଥିବା କାହ୍ନୁ ଚରଣ ରାଉତଙ୍କ ପତ୍ନୀ ପ୍ରଭାସିନୀ ରାଉତ ଓରଫ ପ୍ରଭାସିନୀ ନାୟକ ନାମକ ଜଣେ ବିବାହିତା ଯୁବତୀ ମଧ୍ୟ ନାମ ଲେଖାଇଥିଲେ । ଗୋଟିଏ କଲେଜରେ ପଢିବା ଯୋଗୁଁ ଦୁହେଁ ପରସ୍ପରର ବାନ୍ଧବୀ ପାଲଟିଥିଲେ ଏବଂ ବନ୍ଧୁତା ନିବିଡ ହେବା ସହିତ ନାବାଳିକା ଜଣକ ପ୍ରଭାସିନୀକୁ ନିଜ ଘରକୁ ମଧ୍ୟ ବେଳେ ବେଳେ ନେଉଥିଲେ ।ଏହା ମଧ୍ୟରେ ପ୍ରଭାସିନୀଙ୍କ ସ୍ୱାମୀ କାହ୍ନୁଙ୍କ ସହିତ ନାବାଳିକାଙ୍କ କଥାବାର୍ତ୍ତା ମଧ୍ୟ ହେଉଥିଲା । ଏହାରି ମଧ୍ୟରେ କାହ୍ନୁର ଅଜାଣତରେ ତା ସ୍ତ୍ରୀ ପ୍ରଭାସିନୀଙ୍କ ଗ୍ୟାରେଜ୍ ରେ କାମ କରୁଥିବା ଜଣେ ଯୁବକ ପପୁ ସହିତ ସମ୍ପର୍କ ବୃଦ୍ଧି କରିଥିଲା ।ଏହା କାହ୍ନୁ ଜାଣିବା ପରେ ପ୍ରଭାସିନୀ ଓ କାହ୍ନୁ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହାରି ସୁଯୋଗରେ କାହ୍ନୁ ପିଡ଼ିତା ନାବାଳିକାକୁ ତାଙ୍କୁ ଭଲ ପାଉଛନ୍ତି ବୋଲି କହି ବିବାହ ପ୍ରସ୍ତାବ ମଧ୍ୟ ଦେଇଥିଲେ ।ଏଥି ସହିତ କାହ୍ନୁ ପ୍ରଭାସିନୀଙ୍କୁ ଛାଡ଼ପତ୍ର ଦେଲା ପରେ ପପୁ ସହିତ ପ୍ରଭାସିନୀ ବିବାହ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏଥିରେ ନାବାଳିକା ଜଣକ କାହ୍ନୁର ପ୍ରସ୍ତାବରେ ରାଜି ହୋଇଗଲେ । ପରେ ଗତ ୧୪ ତାରିଖ ଦିନ ପ୍ରଭାସିନୀ ଓ କାହ୍ନୁ ନାବାଳିକାକୁ ନିଜ ଘରକୁ ଡାକିଥିଲେ । ସେ ଘରେ କଲେଜ ଯାଉଛି କହି, ବସ ରେ ପଳେଇ ଯାଇଥିଲେ ।ସେଠାରେ କାହ୍ନୁ ଓ ପ୍ରଭାସିନୀ ପ୍ରଥମେ ବ୍ରହ୍ମପୁର ପରେ ଆସିକା ଯାଇ ସେଠାରୁ ବସ୍ ରେ ରାଉରକେଲା କାହ୍ନୁର ଭଉଣୀ ଘରକୁ ଯାଇଥିଲେ । କିନ୍ତୁ ପିଡ଼ିତା ନାବାଳିକା କାହ୍ନୁର ଭଉଣୀ ଠାରୁ ଜାଣିବାକୁ ପାଇଥିଲା ଯେ କାହ୍ନୁ ପୁର୍ବରୁ ବିବାହିତ ଓ ୫ ବର୍ଷର ପୁଅଟିଏ ଅଛି ଏବଂ ପ୍ରଥମ ସ୍ତ୍ରୀ କୁ ଛାଡି କାହ୍ନୁ ଏବେ ପ୍ରଭାସିନୀ ସହିତ ରହୁଛି । ସେହିଭଳି ପ୍ରଭାସିନୀ ମଧ୍ୟ ପ୍ରଥମ ସ୍ୱାମୀକୁ ଛାଡ଼ି କାହ୍ନୁ ସହିତ ରହୁଥିବା ନାବାଳିକା ଜାଣିପାରିଥିଲା । ନାବାଳିକା ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବା ପରେ ପରିବାର ଲୋକେ ନବାଳିକାକୁ ଏଣେ ତେଣେ ଖୋଜିବା ଆରମ୍ଭ କରି ଦେଇଥିଲେ । ଟ୍ୟୁସନ ଓ କଲେଜରେ କାଳେ ରହିଯାଇଥିବ ଭାବି ଏହାର ଅନୁସନ୍ଧାନ ମଧ୍ୟ କରିଥିଲେ । ତେବେ ସେମାନେ ନବାଲିକାଙ୍କ କୌଣସି ଖୋଜ ଖବର ପାଇ ପାରି ନ ଥିଲେ । ଅନ୍ୟପଟେ ନିଶ୍ଚିତ ଏକ ବଡ଼ ଠକାମୀର ଶିକାର ହୋଇ ସାରିଥିବା ଜାଣିବା ପରେ ପିଡ଼ିତା ନାବାଳିକା ସମସ୍ତ ବିଷୟ ନିଜ ପରିବାରବର୍ଗଙ୍କୁ ଫୋନ୍ କରି ଜଣାଇ ଥିଲା । ପରିବାର ଲୋକେ ଘଟଣା ସମ୍ପର୍କରେ ସବୁ କିଛି ଅବଗତ ହେବା ପରେ ତୁରନ୍ତ ବେଲଗୁଣ୍ଠା ଥାନାକୁ ଆସି ଅଭିଯୋଗ କରିଥିଲେ ।ବେଲଗୁଣ୍ଠା ପୋଲିସ ୪୦୭/୨୫ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ପରିବାର ଲୋକଙ୍କ ସହିତ ରାଉରକେଲା ଗସ୍ତ କରି ସେକ୍ଟର ୧୬ ସାମ୍ନା ଏକ ବସ୍ତି ଅଞ୍ଚଳରୁ ନାବାଳିକାକୁ ଉଦ୍ଧାର କରିଥିଲେ । କାହ୍ନୁ ଓ ପ୍ରଭାସିନୀ ମାନବ ଚାଲାଣରେ ସଂପୃକ୍ତ ଏବଂ ନାବାଳିକାକୁ ଚାଲାଣ କରି ଦେହ ବ୍ୟବସାୟରେ ସଂପୃକ୍ତ କରାଇବା ପାଇଁ ଯୋଜନା କରୁଥିବା ପୋଲିସ୍ ଅନୁସନ୍ଧାନ ବେଳେ ଜାଣିପାରିଥିଲା । ପରେ ହ୍ୟୁମାନ ଟ୍ରାଫେକିଙ୍ଗର ଶିକାର ହୋଇଥିବା ପିଡ଼ିତା ନାବାଳିକାର ବୟାନ ଅନୁସାରେ,ବେଲଗୁଣ୍ଠା ପୋଲିସ କାହ୍ନୁ ରାଉତ (୩୫)ଓ ପ୍ରଭାସିନୀ ରାଉତ ଓରଫ ନାୟକ(୨୫)କୁ ଭାରତୀୟ ନ୍ୟାୟ ସଂହିତାର ଧାରା ୧୩୭(୨)/୧୪୩(୪)/୩(୫) ବଳରେ ଗିରଫ କରି ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଘଟଣାର ତଦନ୍ତ ଭାର ସବଇନ୍ସପେକ୍ଟର ଅଭୟ କୁମାର ପ୍ରଧାନ ନେଇଥିବା ବେଳେ ଏହି ହ୍ୟୁମାନ ଟ୍ରାଫିକିଙ୍ଗ ସମ୍ପୃକ୍ତ ଦମ୍ପତ୍ତି ସହ ଅନ୍ୟ କେଉଁ ମାନେ ସାମିଲ ଅଛନ୍ତି ନା ନାହିଁ ଏହାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ଚାଲିଥିବା ନେଇ ଥାନାଧିକାରିଣୀ ରେବତୀ ଶବର ସୂଚନା ଦେଇଛନ୍ତି ।