
ମସ୍କୋର ଏକ ସପିଂ ସେଣ୍ଟରରେ ଏକ ବିରାଟ ବିସ୍ଫୋରଣ ଘଟିଛି । ଏଥିରେ ଅତି କମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବେଳେ ୩ ଜଣ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ରିଲିଫ୍ ଏବଂ ଉଦ୍ଧାର ଦଳ ସହିତ ସୁରକ୍ଷା ଏଜେନ୍ସିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିଛନ୍ତି।କୁହାଯାଉଛି ଯେ ରବିବାର ଦିନ ମସ୍କୋର କେନ୍ଦ୍ରୀୟ ସ୍ଥାନରେ ଥିବା ଏକ ପ୍ରମୁଖ ଖୁଚୁରା ବିଲ୍ଡିଂରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଜରୁରୀକାଳୀନ ସେବା ଏହି ସୂଚନା ଦେଇଛି । ଲୁବ୍ୟାଙ୍କା ସ୍କୋୟାରରେ ଅବସ୍ଥିତ ସେଣ୍ଟ୍ରାଲ୍ ଚିଲ୍ଡ୍ରେନ୍ସ ଷ୍ଟୋର୍ ସପିଂ ମଲର ତୃତୀୟ ମହଲାରେ ବିସ୍ଫୋରଣ ଘଟିଥିଲା । ସେହି ସମୟରେ ସପିଂ ସେଣ୍ଟରରେ ଅନେକ ଲୋକ ଉପସ୍ଥିତ ଥିଲେ। ଏକ ରିପୋର୍ଟ ଅନୁଯାୟୀ, ଜରୁରୀକାଳୀନ ସେବା କହିଛି ଯେ ବିସ୍ଫୋରଣ ଏକ ଗ୍ୟାସ୍ ସିଲିଣ୍ଡର ଯୋଗୁଁ ହୋଇଥିଲା ।ଏଥିସହ ଜାଣିରଖନ୍ତୁ ଯେ, ମସ୍କୋର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଦୁଇଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସହରର ମେୟର ସେରଗେଇ ସୋବୟାନିନ୍ କହିଛନ୍ତି ଯେ ଏହି ଘଟଣା ସମ୍ଭବତଃ ଉପକରଣରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଘଟିଛି । ଏଥିସହ ବିସ୍ଫୋରଣ ପରେ କୋଠାକୁ ସମ୍ପୂର୍ଣ୍ଣ ଖାଲି କରାଯାଇଥିଲା । ଏହାପରେ ରୁଷର ତଦନ୍ତ କମିଟି ଘଟଣାର ତଦନ୍ତ ଆରମ୍ଭ କରିଛି ।