
ରୁଷିଆ ନ୍ୟୁକ୍ଲିୟର ସାଇଟ୍ ଉପରେ ଆକ୍ରମଣ । ରୁଷିଆର ପଶ୍ଚିମ କୁର୍ସ୍କ ଅଞ୍ଚଳରେ ଥିବା ଏକ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ଡ୍ରୋନ ଆକ୍ରମଣ । ଡ୍ରୋନ ଆକ୍ରମଣ ପାଇଁ ୟୁକ୍ରେନକୁ ଦାୟୀ କରିଛି ରୁଷ । ଏଥିରେ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ପାୱାର ପ୍ଲାଣ୍ଟର ଟ୍ରାନ୍ସଫରମର କ୍ଷତିଗ୍ରସ୍ତ ହୋଇଛି । ତେବେ ବିକିରଣ ସ୍ତର ସାଧାରଣ ଥିବା ଏବଂ ଏଥିରେ କେହି ମୃତାହତ ହୋଇନଥିବା ରୁଷିଆର ଅଧିକାରୀମାନେ ଦାବି କରିଛନ୍ତି ।ପାୱାର ପ୍ଲାଣ୍ଟର କାର୍ଯ୍ୟ ସ୍ବାଭାବିକ ରହିଛି । ରୁଷ ଅଧିକାରୀମାନେ ଦାବି କିରିଛନ୍ତି ଯେ, ୟୁକ୍ରେନ ଡ୍ରୋନକୁ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ବାରା ଖସାଇ ଦିଆଯାଇଥିଲା । କିନ୍ତୁ ଏହା ଖସି ପଡ଼ିବା ସମୟରେ ବିସ୍ଫୋରଣ ହୋଇଥିଲା । ଏଥିସହ ଏଥିରେ ଟ୍ରାନ୍ସଫରମର କ୍ଷତିଗ୍ରସ୍ତ ହୋଇଛି । ତେବେ ୟୁକ୍ରେନ ଏହି ଆକ୍ରମଣ ସମ୍ପର୍କରେ କୌଣସି ଆନୁଷ୍ଠାନିକ ମନ୍ତବ୍ୟ ଦେଇନାହିଁ ।ଜାତିସଂଘର ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା (IAEA) ରୁଷିଆ ଏବଂ ୟୁକ୍ରେନକୁ ନ୍ୟୁକ୍ଲିୟର ସାଇଟ ନିକଟରେ ଅତ୍ୟଧିକ ସଂଯମତା ଅବଲମ୍ବନ କରିବାକୁ ବାରମ୍ବାର ଅନୁରୋଧ କରିଛି । ତେବେ ରୁଷ -ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ପରସ୍ପର ଉପରେ ବଡ଼ ହମଲା କରୁଛନ୍ତି ଦୁଇ ଦେଶ । ଏହି ଘଟଣା ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ସଂଘର୍ଷକୁ ଆହୁରି ଜଟିଳ କରିଛି ।