ଅନଲାଇନ୍ ଗେମ୍ ଆପରେ ଟଙ୍କା ଲଗାଇ ଠକାମିର ଶିକାର ହେଲେ ଗାଁ ଲୋକେ

ଜଗତସିଂହପୁର: ଅନଲାଇନ ଗେମ ଖେଳି ଉଠାଉଥିଲେ ଟଙ୍କା । ଗାଁର ଯୁବପିଢ଼ୀଙ୍କ ଠାରୁ ମହିଳା ଥିଲେ ସାମିଲ । ହଠାତ ବନ୍ଦ ହୋଇଗଲା ଅନଲାଇନ୍ ଗେମ୍ ଆପ୍ । ଲୋକଙ୍କୁ ଚୁନା ଲଗାଇ ଛୁ ମାରିଲା ସଂସ୍ଥା । ଘରେ ବସି ଟଙ୍କା ରୋଜଗାର କରିବା ଲୋଭରେ ପଡି ଜଗତସିଂହପୁର ଜିଲା ନହରଣା ଅଞ୍ଚଳର ଶତାଧିକ ମହିଳା ଓ ଯୁବକ ଅନଲାଇନ ଠକଙ୍କ ହାବୁଡ଼ରେ ପଡିଛନ୍ତି । ଅଞ୍ଚଳରେ ପ୍ରାୟ ଆଠ ମାସ ହେବ ଚାଲିଥିବା ଏହି ଅନଲାଇନ୍ ଗେମ୍ ଆପ୍ ଗତ ୨୦ ତାରିଖ ଦିନ ହଠାତ ବନ୍ଦ ହୋଇଯିବା ପରେ ଏଥିରେ ଟଙ୍କା ଲଗାଇଥିବା ସ୍ଥାନୀୟ ଲୋକଙ୍କର ଲକ୍ଷ ଲକ୍ଷ ଟଙ୍କା ବୁଡି ଯାଇଛି । କିଏ ନିଜ ଉପାର୍ଜିତ ଅର୍ଥ ତ ଆଉ କିଏ ଧାର କରଜ କରି ଟଙ୍କା ଲଗାଇଥିଲେ । ଏପରିକି ଅନେକ ମହିଳା ପାଇଥିବା ସୁଭଦ୍ରା ଟଙ୍କାକୁ ଏହି ଆପରେ ବିନିଯୋଗ କରି ଠକେଇର ଶିକାର ହୋଇଛନ୍ତି । କେନ୍ଦ୍ର ସରକାର ଅନଲାଇନ୍ ଗେମ୍ ଆପ୍ ରେ ଚାଲିଥିବା ଟଙ୍କା ଲଗାଣ ଖେଳକୁ ବ୍ୟାନ କରିବା ମାତ୍ରେ ଲୋକଙ୍କୁ ଚୁନା ଲଗାଇ ଛୁ ମାରିଛନ୍ତି ଅନେକ ଅନଲାଇନ ଆପ ସଂସ୍ଥା ।ଜଗତସିଂହପୁର ଜିଲ୍ଲାର ବାଲିକୁଦା ଅଞ୍ଚଳରେ ୨୦୨୪ ନଭେମ୍ବର ମାସରେ ଏକ ଅନଲାଇନ୍ ଗେମ୍ ଆପ୍ ଆରମ୍ଭ ହୋଇଥିଲା । ଏଥିରେ ଅନେକ ଗୁଡିଏ ଲୋଭନୀୟ ଅଫର ଦିଆଯାଇଥିଲା । ୫,୫୦୦ ଟଙ୍କା ନିବେଶ କରି ପ୍ରତ୍ୟକ ଦିନ ୨୦୦ଟଙ୍କା ଆୟ , ୧୬,୫୦୦ ଟଙ୍କା ନିବେଶ କରି ପ୍ରତ୍ୟକ ଦିନ କିଛି କମ୍ପାନୀର ବିଜ୍ଞାପନକୁ ଫାଇଲ ଷ୍ଟାର ରେଟିଙ୍ଗ ଦେଇ ୬୧୫ ଟଙ୍କା ଆୟ ଭଳି ଅଫର ଦିଆଯାଇଥିଲା । ଏହି ସଂସ୍ଥାରେ କିଛି ଯୁବକ ଓ ଗ୍ରାମୀଣ ମହିଳା ନିବେଶ କରିବା ପରେ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ନିଜ ଅଧୀନରେ ୧୨ ଜଣଙ୍କୁ ଏହି ଆପରେ ସାମିଲ କରାଇଲେ ମାସିକ ୧୦ ହଜାର ଟଙ୍କା ଓ ୨୦ ଜଣଙ୍କୁ ସାମିଲ କରାଇଲେ ୧୫ ହଜାର ଟଙ୍କା ଦରମା ଦେବା ପାଇଁ ମଧ୍ୟ ଲୋଭ ଦେଖାଯାଇଥିଲା । ଏହିପରି ଅନେକ ଲୋଭନୀୟ ଅଫର ଦେଖାଇଥିଲା ଏହି ଅନଲାଇନ୍ ସସ୍ଥା । ଏପରିକି ଲୋକଙ୍କୁ ଆକର୍ଷିତ କରିବା ପାଇଁ କିଛି ଲୋକଙ୍କୁ କୁଲର ଓ ଫ୍ରିଜ୍ ଆଦି ଆକର୍ଷଣୀୟ ଉପହାର ମଧ୍ୟ ଦେଇଥିଲା ।ଲୋଭରେ ପଡି କିଛି ଲୋକେ ଧାର କରଜ କରି ଟଙ୍କା ଆଣି ଏଥିରେ ଲଗାଇ ଥିବା ସହିତ ମୂଲ ମଜୁରୀ ଲାଗୁଥିବା ଶ୍ରମିକ ଓ କିଛି ମହିଳା ମଧ୍ୟ ଅଧିକ ଲାଭ ପାଇବା ଆଶାରେ ସୁଭଦ୍ରା ଟଙ୍କାକୁ ଏଥିରେ ବିନିଯୋଗ କରିଥିବା କହିଛନ୍ତି । କିନ୍ତୁ ଗତ ୨୦ ତାରିଖ ସନ୍ଧ୍ୟାରେ ହଠାତ ଆପ୍ ବନ୍ଦ ହୋଇଯିବା ପରେ ବିନୋଯୋଗକାରୀଙ୍କ ମୁଣ୍ଡରେ ଚଡକ ପଡି ଯାଇଛି । ଏହି ଅଞ୍ଚଳରୁ ପ୍ରାୟ ୨୦୦୦ରୁ ଉର୍ଦ୍ଧ ଲୋକ ଠକେଇର ଶିକାର ହେବା ପରେ ନିରାଶ ହୋଇ ବସିଛନ୍ତି । ସେମାନଙ୍କ ଟଙ୍କା ଫେରି ପାଇବା ପାଇଁ କିଛି ଲୋକ ସ୍ଥାନୀୟ ଅନନ୍ତପୁର ଫାଣ୍ଡିରେ ସଂସ୍ଥା ବିରୁଦ୍ଧରେ ଏତଲା ଦେଇଛନ୍ତି ।ଅନଲାଇନ୍ ଗେମ୍ ଆପ୍ ରେ ଟଙ୍କା ଲଗାଇ ଆର୍ଥିକ ଠକେଇର ଶୋଷଣ ହେଉଛନ୍ତି ଲୋକେ । ଏପରିକି ଅନଲାଇନ୍ ଗେମ୍ ପାଇଁ ଅନେକଙ୍କର ଜୀବନ ଯିବା ଘଟଣା ଉପରେ ମଧ୍ୟ ନଜିର ରହିଛି । ଏସବୁକୁ ଦୃଷ୍ଟିରେ ରଖି ସରକାର ଅନଲାଇନ୍ ଗେମ୍ ଆପ୍ କୁ ବ୍ୟାନ କରିବା ଘଟଣା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିଲେ ମଧ୍ୟ ଏଭଳି ଠକେଇର ଶିକାର ହୋଇଥିବା କ୍ଷତିଗସ୍ତମାନେ କିପରି ସେମାନଙ୍କର ଟଙ୍କା ଫେରି ପାଇବେ ସେଥିପ୍ରତି ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇ ପଡିଛି ।