ଭଞ୍ଜନଗର: ବେଆଇନ ଚାନ୍ଦା ଉପରେ ପୋଲିସର ରହିବ ନଜର, ଭସାଣି ରେ ବାଣ ବ୍ୟବହାର ନ କରିବା ଲାଗି ସତର୍କତା

ଭଞ୍ଜନଗର,୨୬/୦୮:( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଦିନକ ପରେ ଗଣେଶ ପୂଜା। ଏହାପରେ ପାର୍ବଣ ଋତୁ ଆରମ୍ଭ ହୋଇଯିବା ଏଥିପାଇଁ ଗଞ୍ଜାମ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ବିଭାଗ ପକ୍ଷରୁ ସ୍ବତନ୍ତ୍ର ରୂପରେଖ ପ୍ରସ୍ତୁତ ହୋଇଛି। ଏହାସହ ବିଭିନ୍ନ ଥାନାରେ ପୂଜା କମିଟି ସଦସ୍ୟଙ୍କୁ ଭିନ୍ନ ଡାକି ଆଲୋଚନା କରାଯାଇଛି। ଏଥିପାଇଁ ଗଞ୍ଜାମ ପୁଲିସ ଜିଲ୍ଲା ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି ହୋଇଛି। ପାର୍ବଣଋତୁରେ କୌଣସି ବ୍ୟକ୍ତିବିଶେଷ ଓ ଅନୁଷ୍ଠାନରୁ ବେଆଇନ ଭାବେ ଚାନ୍ଦା ଆଦାୟ କରାଯାଇପାରିବନି। ଯଦି କେହି ବେଆଇନ ଭାବେ ଜବରଦସ୍ତ ଚାନ୍ଦା ମାଗନ୍ତି ତେବେ ତୁରନ୍ତ ନିକଟସ୍ଥ ଥାନା କିମ୍ବା ଟୋଲ ଫ୍ରି ନମ୍ବର ୧୧୨ ସହ ଯୋଗାଯୋଗ କରିବାକୁ ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ର ସୂଚନା ଦେଇଛନ୍ତି । ସେହିପରି ବାଣ ନଫୁଟାଇବା, ଡିଜେ ବଜାଇ ଶବ୍ଦ ପ୍ରଦୂଷଣ ନକରିବା ଏବଂ ଜୁଆଆଡ଼ା ଉପରେ ନଜର ରଖିବାକୁ ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ଅପ୍ରୀତିକର ସ୍ଥିତି ମୁକାବିଲା ପାଇଁ ସଜାଗ ରହିବାକୁ ଏସପି ପରାମର୍ଶ ଦେଇଛନ୍ତି।
ସେହିପରି ଗଣେଶ ପୂଜା ପାଇଁ ଭଞ୍ଜନଗର ସହର ଏବଂ ଉପକଣ୍ଠ ଗ୍ରାମାଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି। ଭିଡ଼ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଭଞ୍ଜନଗର ଥାନା ପୁଲିସ ପକ୍ଷରୁ ବିଭିନ୍ନ ପୂଜା କମିଟି ସହ ଆଲୋଚନା ହୋଇଛି। ପୂଜାମଣ୍ଡପରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ଶବ୍ଦ ପ୍ରଦୂଷଣକୁ ରୋକିବା, ଶାନ୍ତିଶୃଙ୍ଖଳା ବଜାୟ, ଡିଜେର ବ୍ୟବହାର ନକରିବା ଓ ବିସର୍ଜନ ବାଣ ବ୍ୟବହାର ନକରିବା ସହ ଭସାଣି ନିମନ୍ତେ ଆଗୁଆ ଅନୁମତି ନେବାକୁ ପରାମର୍ଶ ଦିଆଯାଇଛି। ରାତି ୧୦ଟା ମଧ୍ୟରେ ଭସାଣି କାର୍ଯ୍ୟକ୍ରମ ସାରିବାକୁ ଚଳିତଥର ନିଷ୍ପତ୍ତ ନିଆଯାଇଛି। ଅପରାଧିକ କାର୍ଯ୍ୟକଳାପକୁ ଏଡ଼ାଇବା ନିମନ୍ତେ ରିବାକୁ ପୁଲିସକୁ ସହଯୋଗ କରିବା ଭଞ୍ଜନଗର ଥାନା ଆଇଆଇସି ଜୀବନାନନ୍ଦ ଜେନା ନିବେଦନ କରିଛନ୍ତି।