
ଭଞ୍ଜନଗର ୨୬/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବିବାହ ଭୋଜି ବା ଅନ୍ୟ ସାମାଜିକ କାର୍ଯ୍ୟକ୍ରମରେ ଶାକାହାରୀଙ୍କ ପାଇଁ ଛତୁର ଏକ ବ୍ୟଞ୍ଜନ ନିହାତି ଭାବରେ ରହିଥିବା ଦେଖାଯାଏ। ଫଳରେ ବର୍ଷସାରା ଛତୁର ଚାହିଦା ରହିଛି। ଗ୍ରାହକଙ୍କ ଚାହିଦାକୁ ଦେଖି ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ବିଭିନ୍ନ ଅଞ୍ଚଳରେ ବ୍ୟବସାୟ ପାଇଁ ଛତୁଚାଷ କରାଯାଉଛି। ଭଞ୍ଜନଗର ଅଞ୍ଚଳରେ ଉତ୍ପାଦିତ ଛତୁ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରୁ ନଥିବାରୁ ଛତିଶଗଡ଼ରୁ ବଟନ୍ ଛତୁ ଆସୁଛି। ଫଳରେ ସ୍ଥାନୀୟ ଅଞ୍ଚଳର ପାଳଛତୁ,ଧିଙ୍ଗିରି ଛତୁ ଓ ବଟନ୍ ଛତୁ ବର୍ଷସାରା ନିରାମିଷ ବଜାରକୁ କବ୍ଜା କରି ରଖିଛି। ଏହା ବ୍ୟତୀତ ଚଳିତ ବର୍ଷ ବର୍ଷା ହେବା ପରେ ଗତ କିଛି ଦିନ ହେଲା ଭଞ୍ଜନଗର ବଜାରରେ କିଛି ଜଙ୍ଗଳୀ ଛତୁ ବିକ୍ରି ହେଉଛି। ବିଭିନ୍ନ ଗ୍ରାମାଞ୍ଚଳରୁ ଆସିଥିବା ‘ମୟୁର ଡିମ୍ବ ଛତୁ’ ଓ ‘ବାଲି ଛତୁ’ ଭଞ୍ଜନଗରରେ ଛାଇ ହୋଇଛି। ମୟୁର ଡିମ୍ବ ଛତୁ କିଲୋ ୧୫୦ ରୁ ୨୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବାଲି ଛତୁ କିଲୋ ୨୦୦ରେ ବିକ୍ରି ହୋଉଛି।
ଗତ କିଛି ଦିନର ଲଗାଣ ବର୍ଷା ପରେ ମୟୁର ଡିମ୍ବ ଛତୁ ଭଞ୍ଜନଗର ବଜାରକୁ ଆସିଛି। ଏହା ଦେଖିବାକୁ ଧଳା ଓ ମୟୂରର ଅଣ୍ଡା ଭଳି। ଅନ୍ୟ ଛତୁ ଠାରୁ ସାମାନ୍ୟ ବଡ଼ ଥିବାରୁ ଆଦିବାସୀମାନେ ଏଭଳି ନାମକରଣ କରିଛନ୍ତି। ଏହି ଋତୁକାଳୀନ ଛତୁ ପାଖାପାଖି ମାସେ ଯାଏଁ ମିଳିବ।ଏବେ ଭଲ ବର୍ଷା ହେବାରୁ ଏହି ଛତୁ ଏବେ ବଜାରରେ ଉପଲବ୍ଧ। ଖାଇବାକୁ ବେଶ୍ ରୁଚିକର, ସାମାନ୍ୟ ଲାଳୁଆ ଓ ଆମିଷ ବାସ୍ନାଯୁକ୍ତ। ବିଶେଷକରି କନ୍ଧମାଳ ଜିଲ୍ଲାର ଚକାପାଦ, ଦାରିଙ୍ଗିବାଡ଼ି ଓ ରାଇକିଆ ଇଲାକାରୁ ଋତୁକାଳୀନ ମୟୂରଡିମ୍ବ ଛତୁ ଭଞ୍ଜନଗର ବଜାରକୁ ଆସେ। ଭଞ୍ଜନଗର ବ୍ଳକ୍ର ଉପାନ୍ତ ଆଦିବାସୀ ଇଲାକା ତଥା ମୁଜାଗଡ଼, ଦଦରାଲୁଣ୍ଡା, ଡୁମାକୁମ୍ପା, ଦୋମୁହାଁଣୀ ଭଳି ଆଦିବାସୀ ବହୁଳ ପଞ୍ଚାୟତରେ ମଧ୍ୟ ଏହି ଛତୁ ଫୁଟେ । ସ୍ଥାନୀୟ ବଜାରରେ ଏହାର ଦର କିଲୋ ପ୍ରତି ୧୫୦ ରୁ ୨୦୦ ଶହ ଟଙ୍କା ରହିଛି। ଏହି ଛତୁ ପୁରା ଫୁଟିଗଲେ ଦର କିଛିଟା କମିଯାଏ। ଆଦିବାସୀ ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରୁଥିବାରୁ ସେମାନେ ଏହାକୁ ଜଙ୍ଗଲରୁ ସଂଗ୍ରହ କରିଥାନ୍ତି।ପରେ ବଜାରରେ ବିକ୍ରି କରିବାକୁ ଆସିଥାନ୍ତି। ସେମାନଙ୍କ ଘର ପାଖରୁ ବେପାରୀମାନେ ଯାଇ କିଣି ଆଣି ବଜାରରେ ଚଢ଼ାଦରରେ ବିକିଥାନ୍ତି।ବର୍ଷା ଦିନେ ଏହି ଛତୁର ଚାହିଦା ଅଧିକ ରହୁଥିବାରୁ ବେପାରୀ ଙ୍କ ନିକଟରେ ଗ୍ରାହାକଙ୍କ ଭିଡ ରହୁଥିବା ଦେଖିବାକୁ ମିଳିଛି।