
ଭଞ୍ଜନଗର ୨୬/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଏକଦା ସନ୍ଧ୍ୟା ହେବା ମାତ୍ରେ ଗାଁରେ ଥିବା ଭାଗବତ ଟୁଙ୍ଗିରେ ଲୋକଙ୍କ ଭିଡ଼ ଜମୁଥିଲା। ଟୁଙ୍ଗିରେ ନିୟମିତ ଭାଗବତ ପାଠ ହେଉଥିବା ବେଳେ ଆଗ୍ରହର ସହ ଲୋକେ ଶୁଣୁଥିଲେ। ଭାଗବତର ପ୍ରତିଟି ପଦରେ ଜୀବନ ଦର୍ଶନର ମାର୍ଗ ଭରି ରହିଛି। ଭାଗବତ ଟୁଙ୍ଗି ଗାଁର ସାହିତ୍ୟ, ସଙ୍ଗଠନ, ସଂସ୍କୃତି ଓ ଧର୍ମୀୟ ଭାବନାର ମିଳିନସ୍ଥଳ ବୋଲି କୁହାଯାଉଥିଲା। ହେଲେ ପାଶ୍ଚାତ୍ୟ ସଭ୍ୟତା ଆଗରେ ଭାଗବତ ଟୁଙ୍ଗି ଅସ୍ତିତ୍ବ ହରାଇବାକୁ ବସିଛି। ତତ୍କାଳୀନ ସରକାର ଭାଗବତ ଟୁଙ୍ଗିର ପ୍ରଚାର ପ୍ରସାର ପାଇଁ ଆର୍ଥିକ ସହାୟତା ଦେଇଥିଲେ ମଧ୍ୟ ଯୁବଗୋଷ୍ଠୀଙ୍କ ଉପରେ ସେଭଳି କୌଣସି ପ୍ରଭାବ ପଡ଼ି ନଥିବା ଦେଖିବାକୁ ମିଳିଛି।
ସୂଚନା ମୁତାବକ, ପୂର୍ବରୁ ଗାଁ ଗାଁରେ ଭାଗବତ ଟୁଙ୍ଗି ଗଢ଼ିଉଠିଥିଲା। ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ଭାଗବତ ଟୁଙ୍ଗି ସମସ୍ତଙ୍କ ପାଇଁ ଉପାସନାର ଘର ପାଲଟିଥିଲା । କେବଳ ଯେ ଏଠାରେ ଭାଗବତ ଚର୍ଚ୍ଚା ହେଉଥିଲା ତାହା ନୁହେଁ ବରଂ ଗାଁର ମୁରବି ଶ୍ରେଣୀ ଲୋକମାନେ ଟୁଙ୍ଗିରେ ବୈଠକ କରି ନ୍ୟାୟ ନିଶାପ କରୁଥିଲେ। ସେହିପରି ସାମୂହିକ କାର୍ଯ୍ୟ ଆୟୋଜନ ପାଇଁ ବୈଠକ, ପାରିବାରିକ ଶିକ୍ଷା ପ୍ରଦାନ, ସାମାଜିକ ସଂସ୍କାର ଇତ୍ୟାଦି ବିଷୟରେ ଆଲୋଚନା କରୁଥିଲେ। ଏହା ଦ୍ବାରା ଗାଁରେ ଏକ ସକରାତ୍ମକ ଆଧ୍ୟାମିକ ଭାବନା ଲୋକଙ୍କ ମଧ୍ୟରେ ଜାଗ୍ରତ ହେଉଥିଲା । ଯେଉଁଥିପାଇଁ ଅସାମାଜିକ କାର୍ଯ୍ୟ କରିବାକୁ ଲୋକେ ପସନ୍ଦ କରୁନଥିଲେ । ଲୋକଙ୍କ ମଧ୍ୟରେ ଭାଗବତ ପଠନ ଯୋଗୁଁ ଏକତା, ଭାତୃଭାବ ସୃଷ୍ଟି ହେଉଥିଲା । ଗାଁର ଗୁରୁତ୍ବପୂର୍ଣ ବିଷୟ ଆଲୋଚନା ହୋଇ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୁଡ଼ିକ ପାରିତ ହେଉଥିଲା। ସେତେବେଳେ ଗାଁ ମାନଙ୍କରେ କାଁ ଭାଁ ମଦୁଆ ଦେଖା ଯାଉଥିଲା । ଭାଗବତ ପାଠ ସମୟରେ ମଦୁଆମାନେ ମଦ ପିଇଥିଲେ ମଧ୍ୟ ଭାଗବତ ଟୁଙ୍ଗୀ ପାଖ ମାଡୁ ନଥିଲେ । ସମୟ ବଦଳି ଯାଇଛି। ଏବେ ଗାଁ ମାନଙ୍କରେ ଥିବା ଭାଗବତ ଟୁଙ୍ଗି ସହିତ ଆଧ୍ୟାତ୍ମିକ ପରିବେଶ ଆଉ ଦେଖିବାକୁ ମିଳୁନାହିଁ । ଆଧୁନିକତା ପାଇଁ ଲୋକମାନେ ଟେଲିଭିଜନ, ଇଣ୍ଟରନେଟ୍, ମୋବାଇଲ୍ର ଅତ୍ୟଧିକ ବ୍ୟବହାର କରୁଛନ୍ତି । ଗାଁ ଗୁଡ଼ିକରେ ଭାଗବତ ଟୁଙ୍ଗି ବଦଳରେ କ୍ଲବ୍ ଘର ସବୁ ଛିଡ଼ା ହୋଇଛି। ଯୁବଗୋଷ୍ଠୀ ସେହି କ୍ଲବ୍ ଘରେ ପୂଜା ପାର୍ବଣ ନାଁରେ ମଉଜ କରୁଥିବା ଦେଖାଯାଉଛି। ଭଞ୍ଜନଗର ଉପଖଣ୍ଡରେ ଭାଗବତ ଟୁଙ୍ଗୀ ପ୍ରାୟ ଗାଁ ମାନଙ୍କରେ ବିଲୁପ୍ତ ପ୍ରାୟ ଅବସ୍ଥାକୁ ଚାଲି ଯାଇଥିବା ବେଳେ ଦେଶୀ ମଦଭାଟି ଗୁଡ଼ିକ ଏବେ ରାଜ କରୁଛି । ପ୍ରତ୍ୟେକ ଗାଁ ଭିତରେ, ଗାଁ ମୁଣ୍ଡରେ ଏକ ପାନ ଦୋକାନ ନାମକୁ ମାତ୍ର ରହିଥିବା ବେଳେ ସେଠାରେ ଦେଶୀ ଭାଟିର ମଦ ସହ ଭଳିକି ଭଳି ବିଦେଶୀ ମଦ ବିକ୍ରି ଚାଲିଛି । ଗୋଟିଏ ଗୋଟିଏ ଗାଁରେ ଏକାଧିକ ମଦ ଦୋକାନ ଦେଖିବାକୁ ମିଳୁଛି। ନିଶା ଯୋଗୁଁ ଲୋକଙ୍କ ପାଖରେ ମାନବିକତା ଗୁଣ କମି ଯାଉଛି । ଯାହାଦ୍ବାରା ଚୋରି, ହତ୍ୟା, ଅପହରଣ, ଦୁଷ୍କର୍ମ ଭଳି ଅସାମାଜିକ କାର୍ଯ୍ୟ ବଢ଼ି ଚାଲିଛି ।
ଅନ୍ୟପକ୍ଷରେ ପୂର୍ବ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ପୂର୍ବ ସରକାର ସମୟରେ ଉଦ୍ୟମ ଆରମ୍ଭ କରାଯାଇଥିଲା। ଗାଁରେ ଥିବା ପୁରୁଣା ଭାଗବତ ଟୁଙ୍ଗି ଗୁଡ଼ିକର ଚିହ୍ନଟ କରି ସେଗୁଡ଼ିକୁ ବଞ୍ଚାଇ ରଖିବାକୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ପୂର୍ବ ଭଳି ଗାଁରେ ସେହି ଏକତା ଓ ଆଧ୍ୟାତ୍ମିକ ପରିବେଶ ଫେରାଇ ଆଣିବା ପାଇଁ ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଗାଁ ରେ ଥିବା ଭାଗବତ ଟୁଙ୍ଗି ଗୁଡିକୁ ଅନୁଦାନ ଦିଆଯାଇଥିଲା।ହେଲେ ବିଜଦ ସରକାର ଭାଗବତ ଟୁଙ୍ଗୀର ପୁନଃରୁଦ୍ଧାର ପାଇଁ ଚେଷ୍ଟାକରି ଆସିଥିଲେ ମଧ୍ୟ ମଦକୁ ବନ୍ଦ ନକରିବାରୁ ଏହାର ଫଳପ୍ରଦ ହୋଇପାରି ନଥିଲା । କାଳିଆ, ପିଏମ କିଷାନ ଯୋଜନା ମଦୁଆଙ୍କୁ ସୁହାଇଲା ଭଲି ହୋଇଯାଇଥିଲା । ଏହି ଟଙ୍କା ପାଇଲା ଦିନ ବ୍ୟାଙ୍କ ଓ ଏଟିଏମ ଗୁଡ଼ିକରେ ପ୍ରବଳ ଭିଡ ଦେଖିବାକୁ ମିଳି ଥିବା ବେଳେ ସଂଧ୍ୟାରେ ମଦଭାଟି ଗୁଡ଼ିକରେ ଅଧିକାଂଶ ଟଙ୍କା ଉଡି ଯାଉଥିଲା । ବର୍ତମାନ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସୁଭଦ୍ରା ଯୋଜନା ଯେତିକି ଆବଶ୍ୟକ ନୁହେଁ, ଏମାନଙ୍କ ଉନ୍ନତି ପାଇଁ ମଦ ବନ୍ଦ ହେବା ଜରୁରୀ ବୋଲି ସଚେତନ ମହିଳା ପ୍ରକାଶ କରିଛନ୍ତି । ସୁଭଦ୍ରା ଯୋଜନା ଅପେକ୍ଷା ମଦଭାଟି ବନ୍ଦ ହେଲେ ମହିଳାମାନେ ସୁରକ୍ଷିତ ରହିପାରିବେ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି ।