
ଭଞ୍ଜନଗର ୨୯/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗତ ଦୁଇବର୍ଷ ହେଲା ଅନିୟମିତ ବର୍ଷା ଓ ସ୍ବଳ୍ପ ବୃଷ୍ଟିପାତ କାରଣରୁ ଗଞ୍ଜାମ ଜିଲ୍ଲାର ପ୍ରମୁଖ ଜଳଭଣ୍ଡାର ଗୁଡ଼ିକରେ ଜଳସ୍ତର ନ ବଢ଼ିବା ଚିନ୍ତାର କାରଣ ପାଲଟିଥିଲା।ଏହାସହ ଚାଷ କାମ ବି ବାଧାପ୍ରାପ୍ତ ହେଉଥିଲା | କିନ୍ତୁ ଗତ ଏକମାସ ମଧ୍ୟରେ ସମୟ ବ୍ୟବଧାନରେ ଲଘୁଚାପଜନିତ ବର୍ଷା କାରଣରୁ ଜଳଭଣ୍ଡାର ଗୁଡ଼ିକର ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ଭଞ୍ଜନଗର ଜଳସମ୍ପଦ ବିଭାଜନ ଅଧୀନରେ ଥିବା ୪ଟି ଜଳଭଣ୍ଡାରର କଥାକୁ ବିଚାରରେ ନେଲେ, ବାଘୁଆ ଜଳଭଣ୍ଡାରକୁ ବାଦ୍ ଦେଲେ ଅନ୍ୟ ତିନିଟି ଜଳଭଣ୍ଡାରର ଜଳସ୍ତର ମାସକ ଭିତରେ ଦୁଇଗୁଣା ବୃଦ୍ଧି ପାଇଛି। ବିଶେଷକରି ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧିରେ ସହାୟକ ହୋଇପାରିଛି। ଶୁକ୍ରବାର ସକାଳ ସୁଦ୍ଧା ଭଞ୍ଜନଗର ଜଳଭଣ୍ଡାରରେ ୭୪.୫୩ ପ୍ରତିଶତ ପାଣି ରହିଥିବା ବେଳେ ସୋରଡ଼ା ଜଳଭଣ୍ଡାରର ୯୦.୫୮ ପ୍ରତିଶତ ଓ ଡହ ଜଳଭଣ୍ଡାରରେ ୮୭.୯୩ ପ୍ରତିଶତ ପାଣି ଅଛି କିନ୍ତୁ ବାଘୁଆ ଜଳଭଣ୍ଡାରରେ ବର୍ତ୍ତମାନ ୧୨.୦୪ ପ୍ରତିଶତ ପାଣି ରହିଥିବା ସୁଚନା ମିଳିଛି।
ଚାଷ ଓ ପାନୀୟଜଳ ଯୋଗାଣ ସହ ଭୂତଳ ଜଳସ୍ତରକୁ ନିୟନ୍ତ୍ରଣ କରିବାରେ ଜଳଭଣ୍ଡାର ଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଗତ ଦୁଇବର୍ଷ ହେଲା ଆବଶ୍ୟକ ବର୍ଷା ଅଭାବରୁ ଜଳଭଣ୍ଡାର ଗୁଡ଼ିକ ଶୁଖିବା ଅବସ୍ଥାରେ ପହଞ୍ଚିଥିଲା। ଏପରିକି ଦୀର୍ଘବର୍ଷ ଧରି ଭଞ୍ଜନଗର ଜଳଭଣ୍ଡାର ପାଣିରେ ବୁଡ଼ି ରହିଥିବା ମନ୍ଦିର ବି ଦୃଶ୍ୟମାନ ହେଉଥିଲା। ଚଳିତମାସ ପହିଲା ପର୍ଯ୍ୟନ୍ତ ଜଳଭଣ୍ଡାର ଗୁଡ଼ିକରେ ଏଭଳି ସ୍ଥିତି ଲାଗି ରହିଥିଲା। ତେବେ ଏହା ପରେ ବର୍ଷାର ପରିମାଣ ବଢ଼ିବାରୁ ଅଳ୍ପ ଦିନ ମଧ୍ୟରେ ପାଣିର ପରିମାଣ ମଧ୍ୟ ବଢ଼ିଛି। ଭଞ୍ଜନଗର ଜଳଭଣ୍ଡାରର ଜଳଧାରଣ କ୍ଷମତା ୫୭୬୬.୦୦ ହେକ୍ଟୋ ମିଟର ରହିଥିବା ବେଳେ ଚଳିତମାସ ପହିଲାରେ ୨୩୧୫.୨୧
ହେକ୍ଟୋମିଟର ଅର୍ଥାତ୍ ୪୦.୧୫ ପ୍ରତିଶତ ପାଣି ରହିଥିଲା। ବର୍ତ୍ତମାନ ତାହା ବଢ଼ି ୪୨୯୭.୧୬ ହେକ୍ଟୋମିଟରରେ ପହଞ୍ଚିଛି। ସେହିଭଳି ସୋରଡ଼ାର ଜଳଧାରଣ କ୍ଷମତା ୪୯୭୫.୦୦ ହେକ୍ଟୋମିଟର ରହିଥିବା ବେଳେ ଚଳିତମାସ ପହିଲାରେ ୨୨୧୬.୦୨ ହେକ୍ଟୋମିଟର ଅର୍ଥାତ୍ ୪୪.୫୪ ପ୍ରତିଶତ ଥିଲା ଏବେ ଏଠାରେ ୪୫୦୬.୫୭ ହେକ୍ଟୋମିଟର ପାଣି ଗଚ୍ଛିତ ରହିଛି। ସେହିପରି ଡହ ଜଳଭଣ୍ଡାରର ଜଳଧାରଣ କ୍ଷମତା ୨୧୯୫.୦୦ ହେକ୍ଟୋମିଟର ରହିଥିବା ବେଳେ ମାସ ପହିଲାରେ ୮୨୩.୦୦ ହେକ୍ଟୋମିଟର ଅର୍ଥାତ୍ ୩୭.୪୯ ପ୍ରତିଶତ ପାଣି ଥିଲା ଏବେ ଏଠାରେ ୧୯୩୦ ହେକ୍ଟୋମିଟର ପାଣି ରହିଥିବା ସୂଚନା ମିଳିଛି। ତେବେ ବାଘୁଆ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ନଥିବା ଜଣାପଡ଼ିଛି। ଏହାର ଜଳଧାରଣ କ୍ଷମତା ୩୧୦୦ ହେକ୍ଟୋମିଟର ରହିଥିବା ବେଳେ ବର୍ତ୍ତମାନ ୩୭୩.୨୨ ହେକ୍ଟୋମିଟର ଅର୍ଥାତ ୧୨.୦୪ ପ୍ରତିଶତ ପାଣି ରହିଥିବା ଜଳ ସଂପଦ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ମୌସୁମୀ ଆଗମନ ପରେ ଜୁନ୍ ୧ ତାରିଖ ଠାରୁ ଆଜି ସକାଳ ସୁଦ୍ଧା ଭଞ୍ଜନଗରରେ ସର୍ବାଧିକ ୧୦୬୧ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ସୋରିଷମୂଳିରେ ୬୬୩ ମିମି, ମାଧବରିଡ଼ାରେ ୫୯୧ ମିମି, ଖଣ୍ଡରାବଳିରେ ୩୭୨ ମିମି, ଜାନିବିଲିରେ ୬୧୩ ମିମି, ସୋରଡ଼ାରେ ୫୯୨ ମିମି, ଆସିକାରେ ୭୦୭ ମିମି, ଡହ ଡ୍ୟାମ୍ରେ ୭୨୪ ମିମି ଓ ବାଘୁଆରେ ୩୯୪ ମିମି ରେକର୍ଡ କରାଯାଇଛି।ଆଗାମୀ ଦିନରେ ଆହୁରି ବର୍ଷାର ସମ୍ଭାବନା ରହିଛି। ନଦୀନାଳରେ ମଧ୍ୟ ଜଳସ୍ରୋତ ବଢ଼ିଥିବାରୁ ଜଳଭଣ୍ଡାର ଉପରେ ମଧ୍ୟ ତାର ପ୍ରଭାବ ରହିବା ସହ ଚାଷ ପାଇଁ ସମସ୍ୟା ରହିବନି ବୋଲି ଆଶା କରାଯାଉଛି।