ବୁଗୁଡ଼ା ଏନଏସି ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ

ବୁଗୁଡ଼ା ୩୧/୦୮/୨୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୫୩ତମ ଅଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ଜାକଜମକରେ ପାଳିତ ହୋଇଯାଇଛି । ଏହି ଦିବସର ପ୍ରାତଃକାଳରେ ରାମଧୁନ୍ ପ୍ରଚାର ଏବଂ ସାଢେ ଆଠଟାରେ ଏନ୍ଏସି କାର୍ଯ୍ୟାଳୟ ପରିସରରେ ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏହାପରେ ଅଧ୍ଯକ୍ଷ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ କାଉନସିଲରଙ୍କ ଗହଣରେ ଯାଇ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ , ମେଡିକାଲରେ ରୋଗୀଙ୍କୁ ଫଳ ଏବଂ ବଳଦେବ ମନ୍ଦିର ପ୍ରାଙ୍ଗଣରେ ଗରିବ ଓ ଅସହାୟ ବ୍ଯକ୍ତିଙ୍କୁ ବସ୍ତ୍ର ବଣ୍ଟନ କରିଥିଲେ । ଏଥି ସହ ଏନଏସି କାର୍ଯାଳୟ ପରିସରରେ ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉତ୍ସବରେ ମୁଖ୍ଯ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ସ୍ବତନ୍ତ୍ର ସମ୍ମାନିତ ଅତିଥି ଭାବେ ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ ଯୋଗ ଦେଇଥିଲେ। ଉଭୟ ମନ୍ତ୍ରୀ ଓ ସାଂସଦ ବୁଗୁଡ଼ା ସହରକୁ ସରସ ସୁନ୍ଦର କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏ ଅବସରରେ ଶକ୍ତିନଗର ଅଙ୍ଗନଓ୍ବାଡି କେନ୍ଦ୍ର ଏବଂ ବିରଞ୍ଚି ନାରାୟଣ ମାର୍କେଟ୍ କମ୍ପ୍ଲେକ୍ସ ପ୍ରଥମ ମହଲା ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନର ଫଳକ ଉନ୍ମୋଚନ କରାଯାଇଥିଲା। ଏଥି ସହ ୧୦୩ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣର କାର୍ଯ୍ଯାଦେଶ ବଣ୍ଟନ ସାଙ୍ଗକୁ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ ଏବଂ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ ଓ ଅଞ୍ଚଳର ବ୍ଯକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମ ଏନ୍ଏସି ର କିଛି କାଉନସିଲର ବୃନ୍ଦ ଉପସ୍ଥିତ ଥିବାବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଅନ୍ୟ ସମସ୍ତ କର୍ମଚାରୀମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ।ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।