ହଜାରିବାଗ ଜଙ୍ଗଲରେ ଏନକାଉଣ୍ଟର, ନିହତ ହେଲେ ୧ କୋଟି ଟଙ୍କାର ପୁରସ୍କାର ଥିବା ଦୁଇ ନକ୍ସଲ

ରାଞ୍ଚି: ଝାଡ଼ଖଣ୍ଡ ପୋଲିସକୁ ବଡ଼ ସଫଳତା, କୁଖ୍ୟାତ ମାଓନେତା ସହଦେବ ନିପାତ । ହଜାରିବାଗ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଲେ ତିନି କୁଖ୍ୟାତ ମାଓବାଦୀ । ଆଜି ପାଣ୍ଟିତ୍ରୀ ଜଙ୍ଗଲରେ ହଜାରିବାଗ ପୋଲିସ ଏବଂ କୋବ୍ରା ବାଟାଲିୟନର ମିଳିତ ମାଓ ଦମନ ଅଭିଯାନ ଚାଲିଥିବା ବେଳେ ମାଓବାଦୀଙ୍କ ସହ ଗୁଳି ବିନୀମୟ ହୋଇଥିଲା ଯେଉଁଥିରେ କୁଖ୍ୟାତ ମାଓନେତା ସହଦେବ ସୋରେନ ଏବଂ ତାର ଦୁଇ ସହଯୋଗୀ ନିହତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ମୃତ ସହଦେବ ମୁଣ୍ଡରେ ୧ କୋଟି ଟଙ୍କା ପୁରସ୍କାର ରହିଥିଲା ।ମାଓନେତା ସହଦେବ ନିପାତ:ପୋଲିସ ସୂଚନା ଅନୁସାରେ, ଆଜି (ସୋମବାର) ସକାଳ ପ୍ରାୟ ୬ଟା ସମୟରେ ହଜାରିବାଗ ଜିଲ୍ଲାର ଗୋରହର ପୋଲିସ ଥାନା ଅନ୍ତର୍ଗତ ପାଣ୍ଟିତ୍ରୀ ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ମାଓନେତା ତଥା କେନ୍ଦ୍ରୀୟ କମିଟି ସଦସ୍ୟ ସହଦେବ ସୋରେନ ନିପାତ ହୋଇଛି । ପୋଲିସ ତାଙ୍କ ମୁଣ୍ଡରେ ୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିଥିଲା । ଏହାସହ ତା’ର ଦୁଇ ସହଯୋଗୀଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଜଣେ ହେଲା ସ୍ପେଶାଲ୍ ଏରିଆ କମିଟି ସଦସ୍ୟ ରଘୁନାଥ ହେମ୍ବ୍ରମ, ଯାହା ଉପରେ ୨୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା ଏବଂ ଅନ୍ୟ ଜଣେ ହେଲା ବୀର ସେନ ଗଞ୍ଜୁ, ଯାହା ମୁଣ୍ଡରେ ୧୦ ଲକ୍ଷ ପୁରସ୍କାର ରହିଥିଲା । ମୃତ ସହଦେବ ସୋରେନ ଅନେକ ବଡ଼ ଘଟଣାରେ ଜଡିତ ଥିଲା ଏବଂ ପୋଲିସ ତାଙ୍କୁ ବହୁତ ଦିନ ଧରି ଖୋଜୁଥିଲା ।ଏହାସହ ଘଟଣାସ୍ଥଳରୁ ତିନୋଟି AK-47 ମଧ୍ୟ ଉଦ୍ଧାର କରିଛନ୍ତି ସୁରକ୍ଷା ବାହିନୀ । ସେପଟେ ଏହି ଏନକାଉଣ୍ଟରରେ ଅନ୍ୟ କିଛି ମାଓବାଦୀ ମଧ୍ୟ ଆହତ ହୋଇଥିବା ସନ୍ଦେହ କରାଯାଉଛି ।ନକ୍ସଲ ଆକ୍ରମଣରେ ଦୁଇ ଯବାନ ଆହତ:ଏହି ଏନକାଉଣ୍ଟରରେ ଦୁଇ ଜଣ ସିଆରପିଏଫ ଯବାନ ମଧ୍ୟ ଆହତ ହୋଇଛନ୍ତି, ସେମାନଙ୍କ ଚିକିତ୍ସା ପାଇଁ ହଜାରିବାଗର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଦୁଇ ଯବାନ ହେଲେ ଅଜୟ ଭୌତିକ ଏବଂ ସୁବ୍ରୋତୋ ବିଶ୍ୱାସ । ଅଜୟଙ୍କ ଘର ଆସାମରେ ହୋଇଥିବା ବେଳେ ସୁବ୍ରୋତୋ ବିଶ୍ୱାସଙ୍କ ଘର ପଶ୍ଚିମବଙ୍ଗରେ ବୋଲି ସୂଚନା ସୂଚନା ଦେଇଛନ୍ତି ହଜାରିବାଗ ଏସପି ।”