ଉତ୍ତର ଘୁମୁସର ବନଖଣ୍ଡରେ ଶାଗୁଆନ୍ କାଠ ଜବତ, କଟାଳି ଗିରଫ

ଭଞ୍ଜନଗର ୧୫/୦୯ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜରେ ବିଗତ କିଛି ମାସ ହେବ କାଠ ମାଫିଆ ଏବଂ ବନ୍ୟପ୍ରାଣୀ ଶିକାରୀମାନେ ବେନିୟମ କାର୍ଯ୍ୟରେ ମାତିଥିବା ଅଭିଯୋଗ ହେଉଛି। ଫଳରେ ମୂଲ୍ୟବାନ ଜଙ୍ଗଲ ଏବଂ ବନ୍ୟପ୍ରାଣୀ ଉପରେ ବିପଦ ଦେଖାଦେଇଛି। ଏହିଭଳି ପରିସ୍ଥିତିରେ ସୋମବାର ଉକ୍ତ ରେଞ୍ଜର କଦଳୀଗଡର ଏକ କାଜୁ ଜଙ୍ଗଲ ଭିତରେ ଶାଗୁଆନ କାଠ ଗଣ୍ଡି କଟା ଚାଲିଥିଲା। ଏନେଇ ଡିଏଫଓ ହିମାଂଶୁ ଶେଖର ମହାନ୍ତି କୌଣସି ସୂତ୍ରରୁ ଖବର ପାଇ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ଯୋଜନା କରିଥିଲେ। ପରେ ବିଭିନ୍ନ ରେଞ୍ଜରୁ ବଛା ବଛା କର୍ମଚାରୀଙ୍କୁ ନେଇ ଡିଏଫଓ ନିଜେ ଚଢାଉ କରିଥିଲେ । ପରେ ଘଟଣା ସ୍ଥଳରୁ ୧୬ ସିଫ୍ଟ କାଠ ଗଣ୍ଡି ଜବତ ହୋଇଛି। ଏହି ମାମଲାରେ ୩ ଜଣ କାଠ କଟାଳିଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ନିକଟସ୍ଥ ବାଘୁଆର ଶତ୍ରୁରା ନାୟକ, ସୂର୍ଯ୍ୟ ନାୟକ ଓ ଶଙ୍କର ନାୟକ । ଏଥିସହ ସେମାନଙ୍କଠାରୁ ଗୋଟିଏ ବାଇକ୍ ଓ ୩ ଟି ବଡ ଶାଗୁଆନ କାଠ ଗଣ୍ଡି ଜବତ କରାଯାଇଛି। ମୁଖ୍ୟ ଆସାମୀଙ୍କୁ ବନ ବିଭାଗ କର୍ମଚାରୀ ଠାବ କରି ପାରିନାହାନ୍ତି।