
ଭୁବନେଶ୍ବର: “ଆସନ୍ତା 22 ତାରିଖରୁ ଲାଗୁ ହେବାକୁ ଯାଉଛି ନୂତନ GST ସ୍ଲାବ । ନୂତନ GST ଛାଡ ପରେ ପୁରା ଭାରତ ଖୁସି । ସବୁ ବର୍ଗର ଲୋକଙ୍କୁ ଏହା ଆଶ୍ବସ୍ତି ଦେବ । ଗାଁରୁ ସହର ପର୍ଯ୍ୟନ୍ତ ଦେଶର ଗରୀବ, ନିମ୍ନ ମଧ୍ୟବିତ୍ତ, ବର୍ଗଙ୍କ ଅର୍ଥନୀତିକୁ ବଳ ମିଳିବ। ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଏହା ଫାଇଦା ହେବ । “ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ।
22ରୁ ଲାଗୁ ହେବା ନୂତନ GST ସ୍ଲାବ:ସାଂସଦ ଅରୁଣ ସିଂହ କହିଛନ୍ତି,”ପୂର୍ବରୁ 5,10,18,24 ଭଳି ଭିନ୍ନ ଭିନ୍ନ ଥିଲା । ଏବେ ମାତ୍ର 5 ଓ 18 ପ୍ରତିଶତ GST ପ୍ରଦାନ କରିବାକୁ ପଡିବ । ବିଶେଷ କରି ଘରୋଇ ସଉଦା କ୍ଷେତ୍ରରେ ମାତ୍ର 5 ପ୍ରତିଶତ GST ଦେୟ ଦେବାକୁ ପଡ଼ିବ । ଟିଭି କିଣାକିଣିରେ ପୂର୍ବରୁ 24 ସ୍ଥାନରେ ଏବେ 18 ପ୍ରତିଶତ ଦେବାକୁ ପଡିବ । ସିଲେଇ ମେସିନରେ 12 ପ୍ରତିଶତ ସ୍ଥାନରେ 5 ପ୍ରତିଶତ l କୃଷି ଉପକରଣ ଯଥା ଟ୍ରାକ୍ଟର କିଣା କିଣିରେ ମାତ୍ର 5 ପ୍ରତିଶତ GST ଦେବାକୁ ପଡିବ । ସ୍ବାସ୍ଥ୍ୟ ବୀମା କ୍ଷେତ୍ରରେ 0 ପ୍ରତିଶତ ଟିକସ । ଏବଂ ପେନ,ପେନ୍ସିଲ ଆଦି ସାମଗ୍ରୀରେ ଟିକସ ଦେବାକୁ ପଡିବ ନାହିଁ। 48 ହଜାର କୋଟି ଟଙ୍କାର ଟିକସ ଛାଡ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବଦେଶୀ ସାମଗ୍ରୀ ବ୍ୟବହାରକୁ ଗୁରୁତ୍ବ ଦିଆଯାଉଛି । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମା ନିର୍ଭର ହୋଇଛି । ଏବଂ ବିଦେଶକୁ ରପ୍ତାନୀ ମଧ୍ୟ ବଢିଛି ।
କ୍ଷୁଦ୍ର,ମଧ୍ୟମ ଶିଳ୍ପକୁ ମିଳିବ ଭଲ ଫାଇଦା:ସେ ଆହୁରି କହିଛନ୍ତି,”ଗାଁରୁ ସହର ପର୍ଯ୍ୟନ୍ତ ଦେଶର ଗରୀବ, ନିମ୍ନ ମଧ୍ୟବିତ, ବର୍ଗଙ୍କ ଅର୍ଥନୀତିକୁ ବଳ ମିଳିବ । ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଯୁବକ, ମହିଳାମାନେ ଆର୍ଥିକ ସଶକ୍ତ ହେବେ । କ୍ଷୁଦ୍ର, ମଧ୍ୟମ ଶିଳ୍ପକୁ ଭଲ ଫାଇଦା ମିଳିବ । କୃଷକଙ୍କ ଅର୍ଥନୀତି ଆହୁରି ସୁଦୃଢ ହେବ । ହସ୍ତତନ୍ତ୍ର ଶିଳ୍ପ ସୁଦୃଢ ହେବ । ସ୍ୱାସ୍ଥ୍ୟ ବୀମାରେ ଟିକସକୁ ଶୂନ୍ୟ କରାଯାଇଥିବାରୁ ସାଧାରଣ ବର୍ଗବିଶେଷ ସର୍ବାଧିକ ଉପକ୍ରୁତ ହେବେ । ଆତ୍ମନିର୍ଭରଶୀଳ ଓ ସ୍ୱଦେଶୀକୁ ଗୁରୁତ୍ୱ ଦିଆଯାଇଥିବା ଏହି ଜିଏସଟି ସଂସ୍କାର ଦ୍ୱାରା ଓଡ଼ିଶା ଭଳି ରାଜ୍ୟର ଇକୋସିଷ୍ଟମ ସୁଦୃଢ ହେବା ସହିତ ତ୍ୱରାନ୍ୱିତ ହେବ ।”ସ୍ୱଦେଶୀ ସାମଗ୍ରୀକୁ ପ୍ରାଧାନ୍ୟ ଦେଉଛନ୍ତି ସରକାର:ସେ ଆହୁରି ମଧ୍ୟ କହିଛନ୍ତି,”ଗତ କଂଗ୍ରେସ ଶାସନ କାଳରେ 28 ପ୍ରକାରର ଟିକସ ବୋଝ ଦେଶବାସୀଙ୍କ ଉପରେ ଲଦି ଦିଆଯାଇଥିଲା । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୭ ମସିହାରେ ପ୍ରଥମ ଜିଏସଟି ସଂସ୍କାରରେ ୨୮ ପରିବର୍ତ୍ତେ ୪ଟି ସ୍ଲାବ ଟିକସ ବ୍ୟବସ୍ଥା ଆଣିଥିଲେ । ବର୍ତ୍ତମାନ ପୁଣି ଥରେ ସଂସ୍କାର ଅଣାଯାଇ ମାତ୍ର ୨ଟି ସ୍ଲାବ ଟିକସ ବ୍ୟବସ୍ଥା ଲାଗୁ କରାଯାଇଛି । 2024-25 ଆର୍ଥିକ ବର୍ଷରେ ଜିଏସଟି ଜରିଆରେ ୨୨ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଭାରତ ସରକାରଙ୍କ ଖାତାକୁ ଆସିଥିଲା । ଏହି ସଂସ୍କାର ଦ୍ୱାରା ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ 48 ହଜାର କୋଟି ଟଙ୍କାର ରାଜସ୍ୱ ହରାଇବ ଭାରତ ସରକାର । ମୋଦି ସରକାର ଭୋକାଲ ଫର୍ ଲୋକାଲକୁ ଆଧାର କରି ସ୍ୱଦେଶୀ ସାମଗ୍ରୀ ବ୍ୟବହାରକୁ ଅଗ୍ରାଧିକାର ଦେଉଛନ୍ତି । ନୂତନ ଜିଏସଟି ସଂସ୍କାର ଓ ଜିଏସଟି ହାରରେ ସରଳୀକରଣ ଫଳରେ ସାଧାରଣ ଲୋକଙ୍କ ସମେତ ଦେଶର ଅର୍ଥନୀତି ଉପରେ ଅନେକ ଭଲ ପ୍ରଭାବ ପଡିବ l “