ଏଚଆଇଭି-ଏଡ଼ସ ସମ୍ପର୍କରେ ଭଞ୍ଜନଗର କେଏସୟୁବି ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ଶିବିର

ଭଞ୍ଜନଗର ୨୫/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଭଂଜନଗର ପରିସରରେ ଭାରପ୍ରାପ୍ତ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାଶ ଅଧ୍ୟକ୍ଷତାରେ, ଯୁବ ରେଡ଼କ୍ରସ ୟୁନିଟର ନେତୃତ୍ୱ ରେ ଏବଂ ମେଡିକାଲ ପରାମର୍ଶଦାତାଙ୍କ ସହଯୋଗରେ ଏଚଆଇଭି-ଏଡ଼ସ, ଯୌନ ରୋଗ ଓ ଯକ୍ଷ୍ମା ରୋଗ ସମ୍ପର୍କରେ ଅନୁଷ୍ଠାନରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ବିଭାସ ଦାସ, ଭଂଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆଇସିଟିସିର ପରାମର୍ଶଦାତା ମଞ୍ଜୁଳା ପ୍ରଧାନ ଏବଂ DSRC ପରାମର୍ଶଦାତା ର ଶ୍ୟାମ ସୁନ୍ଦର ପୃଷ୍ଟି ଓ ଯକ୍ଷ୍ମା ନିରାକରଣ ପାଇଁ ବେଦବ୍ରତ ପରିଡ଼ା ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ଏଡ଼ସର କାରଣ ଓ ନିରାକରଣ ଓ ଯକ୍ଷ୍ମା ରୋଗ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଏହି ଅବସରରେ ଯୁବ ରେଡ଼କ୍ରସ କାଉନସେଲର ବିଦେଶୀ କୁମାର ରାଉତ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ ଯେ, ବର୍ତ୍ତମାନ ଯୁବବର୍ଗ ଏଚଆଇଭି ପ୍ରତି ଅଧିକ ବିପଦ ସଙ୍କୁଳ ଗୋଷ୍ଠୀ ଭାବେ ପରିଗଣିତ ହେଉଛନ୍ତି। ୨୦୩୦ ସୁଦ୍ଧା ଏଚଆଇଭି ର ମୁଳୋତ୍ପାଟନ କରି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାକୁ ହେଲେ ଆଗାମୀ ଦିନ ଗୁଡିକ ଯୁବବର୍ଗଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।ଅନ୍ୟ ମାନଙ୍କ ମଧ୍ୟରେ ଇତିହାସ ବିଭାଗ ମୂଖ୍ୟ ଡ. ରବୀନ୍ଦ୍ର କୁମାର ମିଶ୍ର, ଧନ୍ଦା କୈନ୍ଦ୍ରିକ ଅଧ୍ୟାପକ ଆର୍ ହରେଶ୍ ଓ ଅଧ୍ୟାପକ ସିମଞ୍ଚାଲ ବେହେରା ତଥା ସମସ୍ତ ରେଡ କ୍ରସ୍ ସ୍ବେଛାସେବୀ ଓ ସେବିନୀ ଯୋଗଦେଇଥିଲେ। ପରିଶେଷରେ ସମସ୍ତଙ୍କ ମଧ୍ୟରେ ଏଡ଼ସ ସମ୍ବନ୍ଧୀୟ ସାଧାରଣ ଜ୍ଞାନ ପ୍ରତିଯୋଗୀତା କରି ସମସ୍ତଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।