ଶ୍ରୀମନ୍ଦିରରେ ଭିନ୍ନ ପରମ୍ପରା, ଷୋଡଶ ପୂଜା ବେଳେ ମହିଳାଙ୍କୁ ବିମଳା ଦର୍ଶନ ମନା

ପୁରୀ: ଶାରଦୀୟ ଦୁର୍ଗା ପୂଜାକୁ ନେଇ ସାରା ଦେଶ ଏବେ ଉତ୍ସବମୁଖର । ଜଗତ ଜନନୀ ମା’ ଦୁର୍ଗାଙ୍କୁ ଆରାଧନା ପାଇଁ ସବୁ ଆଡ଼େ ହୋଇଛି ବ୍ୟାପକ ଆୟୋଜନ । ମା’ ଦୁର୍ଗାଙ୍କ ଆଗମନକୁ ନେଇ ବିଭିନ୍ନ ପୂଜା ମଣ୍ଡପରେ ହୋଇଛି ବ୍ୟାପକ ପ୍ରସ୍ତୁତି । ସେହିପରି ଶକ୍ତି ପୀଠ ଗୁଡିକରେ ମଧ୍ୟ ଶାରଦୀୟ ଦୁର୍ଗାପୂଜାକୁ ନେଇ ବେଶ୍ ଚଳଚଞ୍ଚଳ ହୋଇଉଠିଛି । ମା’ଙ୍କ ଷୋଡ଼ଶ ପୂଜା ଅନୁଷ୍ଠିତ ହେଉଥିବା ବେଳେ ପ୍ରତିଦିନ ବିଭିନ୍ନ ବେଶରେ ମା’ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ଥିବା ମା’ ବିମଳା ଠାକୁରାଣୀଙ୍କ ପାଖରେ ମଧ୍ୟ ଷୋଡ଼ଶ ପୂଜା ଜାରି ରହିଛ

ମା’ ବିମଳାଙ୍କ ପୀଠରେ କିନ୍ତୁ ରହିଛି ଭିନ୍ନ ଏକ ପରମ୍ପରା । ଷୋଡ଼ଶ ପୂଜା ସମୟରେ ଦେବୀ ବିମଳାଙ୍କୁ ମହିଳା ଭକ୍ତମାନେ ଦର୍ଶନ କରିବା ଉପରେ ଲାଗିଥାଏ କଟକଣା । ଏହି ପୂଜା ସମୟରେ କୌଣସି ମହିଳାଙ୍କୁ ଦେବୀ ବିମଳାଙ୍କ ମନ୍ଦିରକୁ ପ୍ରବେଶ ଅନୁମତି ଦିଆଯାଏ ନାହିଁ । କେବଳ ସେତିକି ନୁହେଁ ଷୋଡ଼ଶ ପୂଜାର ସପ୍ତମୀ, ଅଷ୍ଟମୀ ଓ ମହାନବମୀରେ ନିଶାର୍ଦ୍ଧରେ ଆମିଷ ତଥା ମତ୍ସ୍ୟକୁ ନୈବେଦ୍ୟ ଭାବରେ ମା’ଙ୍କୁ ଅର୍ପଣ କରାଯାଏ । ବର୍ଷ ତମାମ ଅନ୍ୟ ଦିନ ଗୁଡ଼ିକରେ ଦେବୀ ବିମଳାଙ୍କୁ ଆମିଷ ଭୋଗ ହୋଇନଥାଏ କି ଶ୍ରୀମନ୍ଦିରକୁ ଆମିଷ ପ୍ରବେଶ ନଥାଏ । କେବେଠାରୁ ଏହି ପରମ୍ପରା ରହିଛି ତାହାର ନିର୍ଦ୍ଦିଷ୍ଟ ତଥ୍ୟ କାହା ପାଖରେ ନାହିଁ ।କାହିଁକି ମା’ ବିମଳାଙ୍କୁ ଦର୍ଶନ କରନ୍ତି ନାହିଁ ମହିଳା ଭକ୍ତ ?ଏନେଇ ଶ୍ରୀଜଗନ୍ନାଥ ସଂସ୍କୃତ ଗବେଷକ ନରେଶ ଚନ୍ଦ୍ର ଦାଶ କୁହନ୍ତି,”ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀଠାରୁ ମା’ ବିମଳାଙ୍କ ପୀଠରେ ଆରମ୍ଭ ହୋଇଥାଏ ଷୋଡ଼ଶ ଦିନାତ୍ମକ ପୂଜା । ଏହାକୁ ଷୋଳ ପୂଜା ବୋଲି ମଧ୍ୟ କୁହନ୍ତି । ଏହି ଷୋଳ ପୂଜା ପାରମ୍ପରିକ ବିଧିରେ ଦେବୀ ବିମଳାଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ଏହି ପୂଜା ସମୟରେ ମା’ଙ୍କର ତ୍ରିକାଳ ପୂଜା ହୁଏ, ଚଣ୍ଡୀ ପାଠ ହୁଏ ଏବଂ ବିଭିନ୍ନ ବେଶରେ ମା’ ବିଭୂଷିତ ହୋଇଥାନ୍ତି । ଏହି ସମୟରେ ସ୍ୱତନ୍ତ୍ର ପୂଜା ବିଧି ଅନୁଷ୍ଠିତ ହୋଇଥାଏ । ଅଷ୍ଟ ଚଣ୍ଡୀ ମଧ୍ୟରୁ ମା’ ବିମଳା ମଧ୍ୟ ଜଣେ ଚଣ୍ଡୀ । ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି ।’‘ଏଣୁ ଏହି ଅବସରରେ ବିଧି ଅନୁଯାୟୀ ସ୍ତ୍ରୀ ଲୋକମାନେ ମା’ଙ୍କ ଷୋଡ଼ଶ ଉପଚାର ପୂଜା ସମୟରେ ମନ୍ଦିରକୁ ପ୍ରବେଶ କରନ୍ତି ନାହିଁ । ଯେହେତୁ ମା’ ହେଉଛନ୍ତି ଚଣ୍ଡିକା । ତାଙ୍କର ଭୟଙ୍କର ରୂପ ଏହି ସମୟରେ ଥାଏ । ଏଣୁ ମହିଳାମାନେ ମା’ଙ୍କୁ ଦର୍ଶନ କଲେ କାଳେ ଭୟଭୀତ ହୋଇ ପଡିବେ । ତେଣୁ ସେମାନଙ୍କୁ ବାରଣ କରାଯାଏ । ମହିଳାଙ୍କ ମାସିକ ଧର୍ମ ରହିଛି । ଷୋଡ଼ଶ ପୂଜା ସମୟରେ ସମ୍ପୂର୍ଣ୍ଣ ଶୁଦ୍ଧପୂତ ଭାବେ ପୂଜା ନୀତି ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ସେମାନେ ଯଦି ଭିତରକୁ ପ୍ରବେଶ କରନ୍ତି କାଳେ ପୂଜା ଅସୁଧି ହୋଇଯିବ ସେଥି ପାଇଁ ମହିଳାଙ୍କୁ ଷୋଡ଼ଶ ପୂଜା ସମୟରେ ଦେବୀ ବିମଳାଙ୍କ ମନ୍ଦିର ଭିତରକୁ ଛଡା ଯାଏ ନାହିଁ । ତେବେ ଏହାର ଅର୍ଥ ନୁହେଁ ମହିଳାମାନଙ୍କୁ ଦେବୀ ବିମଳାଙ୍କ ଦର୍ଶନରୁ ବଞ୍ଚିତ କରାଯାଏ । ମହିଳାମାନେ ଦେବୀ ବିମଳାଙ୍କ ମନ୍ଦିର ଆଗରେ ଥିବା ସିଂହ ନିକଟରେ ଠିଆ ହୋଇ ମା’ଙ୍କୁ ଆରାଧନା କରିପାରିବେ ।’- ନରେଶ ଚନ୍ଦ୍ର ଦାଶ ।ଶ୍ରୀମନ୍ଦିରରେ ମା’ ବିମଳାଙ୍କ ପାଖରେ ଲାଗେ ମାଛ ଭୋଗ:ସେ ଆହୁରି ମଧ୍ୟ କହିଛନ୍ତି,”କେବଳ ସେତିକି ନୁହେଁ ଏହି ଷୋଡ଼ଶ ପୂଜା ସମୟରେ ମା’ଙ୍କ ସମ୍ମୁଖକୁ ସେବାୟତ ମାନେ ମଧ୍ୟ ଯାଇନଥାଆନ୍ତି । କାରଣ ଷୋଡ଼ଶ ପୂଜା ସମୟରେ ମା’ ବିମଳା ଉଗ୍ରମୁଖା ହୋଇ ରହିଥାନ୍ତି । ତେବେ ଷୋଡ଼ଶ ପୂଜା ନୀତିରେ ସପ୍ତମୀ, ଅଷ୍ଟମୀ ଓ ନବମୀରେ ବିଶେଷ ପୂଜା ନୀତି ଅନୁଷ୍ଠିତ ହୋଇଥାଏ । ଏହି ଷୋଳ ଦିନ ପୂଜାରେ ମା’ଙ୍କ ୧୧ ଗୋଟି ବେଶ୍ ହୁଏ । ସପ୍ତମୀ, ଅଷ୍ଟମୀ ଓ ନବମୀରେ ମା’ଙ୍କୁ ଶଙ୍ଖୁଡି ଭୋଗ ଅର୍ପଣ କରାଯାଏ । ମହାପ୍ରଭୁ ରାତ୍ରି ପହୁଡ଼ ନୀତି ପରେ ରାତିରେ ବଳି ନୀତି ଅନୁଷ୍ଠିତ ହୋଇଥାଏ । ମତ୍ସ୍ୟ ରୋଷେଇ କରାଯାଇ ମା’ଙ୍କୁ ଅର୍ପଣ କରାଯାଏ । ଯେହେତୁ ମା’ ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ଅନ୍ୟତମ ତେଣୁ ଏହି ବିଧି ଅନୁଷ୍ଠିତ ହୋଇଥାଏ । ଏହା ବହୁ ପ୍ରାଚୀନ କାଳରୁ ଅନୁଷ୍ଠିତ ହୋଇଆସୁଛି । ଶାସ୍ତ୍ରରେ କୁହାଯାଇଛି ମା’ ବିମଳା ହେଉଛନ୍ତି ଭୈରବୀ । ପ୍ରଭୁ ଜଗନ୍ନାଥ ହେଉଛନ୍ତି ଭୈରବ । ଏଣୁ ବିମଳାଙ୍କ ମନ୍ଦିର ହେଉଛି ତନ୍ତ୍ର ପୀଠ । ଏଣୁ ବାମାଚାର ପଦ୍ଧତିରେ ଏହି ନୀତି ବହୁ ପ୍ରାଚୀନ କାଳରୁ ଅନୁଷ୍ଠିତ ହୋଇ ଆସୁଛି । ମା’ ବିମଳା ଶ୍ରୀ ମନ୍ଦିରରେ ବିରାଜମାନ କରଛନ୍ତି । ଶାସ୍ତ୍ରରେ କୁହାଯାଇଛି ଯେଉଁ ୫୧ଟି ଶକ୍ତି ପୀଠ ରହିଛି, ସେଥି ମଧ୍ୟରୁ ମା’ବିମଳାଙ୍କ ଶକ୍ତି ପୀଠ ଅନ୍ୟତମ । ମା’ ସତୀଙ୍କ ପାଦ ଏଠାରେ ପଡ଼ିଥିବା କୁହାଯାଇଛି ।”ସେହିପରି ଶ୍ରୀମନ୍ଦିରର ଚୂନରା ସେବାୟତ ଶରତ ମହାନ୍ତି କହିଛନ୍ତି,”ଷୋଡ଼ଶ ପୂଜା ନୀତି ସମୟରେ ମା’ ଉଗ୍ରରୂପା ଧାରଣ କରିଥାନ୍ତି । ଭୈରବୀ ରୂପେ ପରିଚିତ ମା’ ବିମଳାଙ୍କ ଷୋଡ଼ଶ ପୂଜା ଗଜପତି ମହାରାଜାଙ୍କ ଦ୍ଵାରା ନିଯୁକ୍ତ ସ୍ବତନ୍ତ୍ର ଶ୍ରୋତିୟ ବ୍ରାହ୍ମଣଙ୍କ ଦ୍ବାରା ସ୍ବତନ୍ତ୍ର ପୂଜା ବିଧିରେ ଅନୁଷ୍ଠିତ ହୋଇଥାଏ । ଯେଉଁ ପୂଜାରେ କି ଦୁର୍ଗା ମାଧବଙ୍କୁ ଏକ ସଙ୍ଗରେ ପୂଜା କରାଯାଏ । ଏହି ଷୋଡ଼ଶ ପୂଜା ସମୟରେ ଦେବୀ ବିମଳାଙ୍କ ମନ୍ଦିରରେ ପ୍ରବେଶ ନେଇ ମହିଳାଙ୍କୁ ବାରଣ କରାଯାଏ । କାରଣ ଏହି ସମୟରେ ମା’ ସବୁବେଳେ ଉଗ୍ରରୂପା ଭାବରେ ପୂଜା ପାଇଥାଆନ୍ତି । ଏହି ସମୟରେ ଦୁର୍ଗା ସପ୍ତଶତୀ ଚଣ୍ଡୀପାଠ କରାଯାଇଥାଏ । ପୂଜା ହୋମ ଆଦି କରାଯାଏ ।’ଯେଉଁ ମହିଳାମାନେ ଗର୍ଭବତୀ ରହିଥାନ୍ତି, ସେମାନେ ମା’ଙ୍କ ସାମ୍ନାକୁ ଗଲେ ଗର୍ଭସ୍ଥ ପିଲା ଉପରେକୁ ପ୍ରଭାବ ପଡ଼ିବା ଆଶଙ୍କା ରହିଥାଏ । ଯେହେତୁ ମା’ ଷୋଡ଼ଶ ପୂଜା ସମୟରେ ଉଗ୍ରରୂପା ଥାଆନ୍ତି । ଏହାସହ ମହିଳାଙ୍କ ପ୍ରତ୍ୟେକ ମାସ ମାସିକ ଧର୍ମ ରହିଛି, ମା’ଙ୍କ ପୂଜା ବିଧି ଥିବା ବେଳେ ପ୍ରବେଶ କଲେ କାଳେ ପୂଜାରେ କିଛି ବିଘ୍ନ ହେବ, ଯାହାକି ସାରା ବିଶ୍ଵ ପାଇଁ ଅମଙ୍ଗଳ ହେବ ବୋଲି ଆଶଙ୍କା କରାଯାଇ ମହିଳାଙ୍କୁ ଷୋଡ଼ଶ ପୂଜା ବେଳେ ମନ୍ଦିରକୁ ପ୍ରବେଶ ନଥାଏ ।ଏପରି କି ମା’ଙ୍କ ସାମ୍ନାକୁ ଯିବାକୁ ସେବାୟତମାନେ ମଧ୍ୟ ଭୟ କରିଥାନ୍ତି । ଏହି ନିୟମ ବହୁ ପ୍ରାଚୀନ କାଳରୁ ରହି ଆସିଛି । ତେବେ ମହିଳାମାନେ ଚାହିଁଲେ ମା’ଙ୍କ ମନ୍ଦିର ବାହାରେ ଥିବା ସିଂହ ନିକଟରେ ଠିଆ ହୋଇ ଆରାଧନା କରିପାରିବେ ।”