
କଳାହାଣ୍ଡି: କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ବିଶ୍ବପ୍ରସିଦ୍ଧ ଛତର ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଛି ସମଗ୍ର ଜିଲ୍ଲା । ଜନସମୁଦ୍ର ପାଲଟିଛି ରାଜରାସ୍ତା । ମହାଷ୍ଟମୀର ମଧ୍ୟରାତ୍ରୀରେ ମାଆ ଗର୍ଭଗୃହରୁ ବାହାରି ସହରର ପଶ୍ଚିମ ଉପକଣ୍ଠରେ ଥିବା ୩ କିମି ଦୂର ଜେନାଖୋଲରେ ସ୍ବତନ୍ତ୍ର ଗୁପ୍ତ ପୂଜା ସାରି ଫେରିବା ବାଟକୁ ଛତର ଯାତ୍ରା କୁହାଯାଏ । ଭୋର ୫ଟାରେ ମାଆଙ୍କ ପୂଜାର୍ଚ୍ଚନା ପରେ ମାଣିକେଶ୍ବରୀ ମନ୍ଦିର ଅଭିମୁଖେ ବାହାରିଛି ଛତର ଯାତ୍ରା । ପାହାନ୍ତିଆରୁ ବାଟରେ ମାଆଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଶହ ଶହ ପଶୁପକ୍ଷୀଙ୍କ ବଳି ପକାଇଲେ ମାନସିକଧାରୀ । ରକ୍ତ ରଞ୍ଜିତ ହୋଇଛି ପୀଠ । ବିଭିନ୍ନ ପାରମ୍ପାରିକ ବାଦ୍ୟର ତାଳେ ତାଳେ ମାଆଙ୍କୁ ପାଛୋଟି ନେଉଛନ୍ତି ଶ୍ରଦ୍ଧାଳୁ । ବିଶ୍ବାସ ରହିଛି, ମାଆ ମାଣିକେଶ୍ବରୀ ଶ୍ରଦ୍ଧାଳୁଙ୍କ ମାନସିକ ପୁରଣ କରନ୍ତି ।କେବଳ କଳାହାଣ୍ଡି ନୁହଁ ବହୁ ଦୂର ଦୁରାନ୍ତରୁ ମାଆଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଛତର ଯାତ୍ରାକୁ ନେଇ କଳାହାଣ୍ଡି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଲକ୍ଷାଧିକ ଜନସମାଗମକୁ ଦୃଷ୍ଟିରେ ରଖି ୧୩ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୫ଟି ଛକରେ ଟ୍ରାଫିକ ନିୟନ୍ତ୍ରଣ କରାଯାଇଛି। ୩୫ଟି ସିସିଟିଭି କ୍ୟାମେରା ଟାଉନଥାନା କଂଟ୍ରୋଲ ରୁମରୁ କଂଟ୍ରୋଲ କରାଯାଇଛି । ସେହିଭଳି ୨୨ଟି ଘଣ୍ଟଦଳ ୨୨ ଲୋକେସନରେ ପୋଲିସ ନିୟନ୍ତ୍ରଣରେ ରହିଛନ୍ତି ।