
ପୁରୀ : ରାମଚଣ୍ଡୀ ମୁହାଣରେ ଅଗ୍ନିଯୋଦ୍ଧାଙ୍କ ଦୁଃସାହସିକ କୌଶଳ ପ୍ରଦର୍ଶନ । କେତେବେଳେ ଟୁ ଲାଇନ୍ ବୋଟ କ୍ରସିଂ ତ ଆଉ କେତେବେଳେ ସ୍କୁବା ଡ଼୍ରାଇଭରଙ୍କ ସନ୍ତ୍ରରଣ । କେତେବେଳେ ୧୨୦ ସୁଇମରଙ୍କ ପ୍ରଦର୍ଶନୀ ମଞ୍ଚ ଆଡ଼କୁ ସନ୍ତରଣ ତ ପୁଣି ବୋଟ ମିସ ଫାୟାର । ଏଭଳି କିଛି ଚିତ୍ତାକର୍ଷକ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ଓଡିଶା ରାଜ୍ୟ ଜଳ ଦକ୍ଷତା ଏବଂ ଜୀବନ ରକ୍ଷୀ ପ୍ରତିଷ୍ଠାନ ଉଦ୍ଘାଟନ ଉତ୍ସବରେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠାନକୁ ଉଦ୍ଘାଟନ କରିଛନ୍ତି ।
ଓଡିଶା ରାଜ୍ୟ ଜଳ ଦକ୍ଷତା ଏବଂ ଜୀବନ ରକ୍ଷୀ ପ୍ରତିଷ୍ଠାନ ବା ଓସ୍ୱାଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଉଦ୍ଘାଟିତ ହୋଇଛି । ଉଦ୍ଘାଟନ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା,ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ,ପୁରୀ ବିଧାୟକ ସୁନିଲ ମହାନ୍ତି ,ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର,ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।ଏହି ପ୍ରତିଷ୍ଠାନ ଦ୍ୱାରା ଉଦ୍ଧାର କାର୍ଯ୍ୟ ଉପରେ ଆଗ୍ନିକଙ୍କୁ ଉପଯୁକ୍ତ ତାଲିମ ମିଳିପାରିବ l ଓଡ଼ିଶାରେ ୩ ଟି ତାଲିମ ପ୍ରତିଷ୍ଠାନ ମଧ୍ୟରୁ କୋଣାର୍କ ରାମଚଣ୍ଡୀ ଏକ ବିଶେଷ ଗୁରୁତ୍ୱ ବହନ କରୁଛି l ଏଠାରେ ଅତ୍ୟାଧୁନିକ ଜ୍ଞାନ କୌଶଳ ଵ୍ୟବହାର କରାଯିବା ଫଳରେ ନୂତନ ପିଲାମାନେ ଉପଯୁକ୍ତ ତାଲିମ ନେଇପାରିବେ l ରାମଚଣ୍ଡୀ ମୁହାଣ ସବୁଠୁ ବିପଦ ଜନକ ହୋଇଥିବାରୁ ଏଠି ତାଲିମପ୍ରାପ୍ତ ଯୁବକ ଓଡିଶା ବିପର୍ଯୟ ସମୟରେ ଗୁରୁତ୍ୱପୂର୍ଣ ଭୂମିକା ନିଭେଇବେ ବୋଲି ଆଶା କରାଯାଉଛି ।
ପ୍ରତିଷ୍ଠାନରେ ୧୫୦ ଆଗ୍ନିକ ତାଲିମ ନେବାର ବ୍ୟବସ୍ଥା ରହିଛି । ଆଜି ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ ପରେ ଅବିସ୍ମରଣୀୟ ଡେମୋର ଫ୍ଲାଗ ଅଫ୍ କରିଥିଲେ । ଓଡିଶା ରାଜ୍ୟ ଜଳ ଦକ୍ଷତା ଏବଂ ଜୀବନ ରକ୍ଷୀ ପ୍ରତିଷ୍ଠାନ ବା ଓସ୍ୱାଲି ପାଇଁ ପର୍ଯ୍ୟଟନ ବିଭାଗ ଓ ଅଗ୍ନିଶମ ବିଭାଗ ମଧ୍ୟରେ ମିଳିତ ରାଜିନାମା ହୋଇଛି । ଦୁଇ ଲାଇନ୍ ରେ ରେସକ୍ୟୁ ବୋଟ ସୁନିୟୋଜିତ ସମନ୍ଵୟରେ ଆଗକୁ ବଢିଥିଲେ । ଏହି ଡେମୋ ବା ଫର ମେସନ୍ ମାଧ୍ୟମରେ ଓସ୍ୱାଲି ଟିମର ଶୃଙ୍ଖଳା ,ସମନ୍ଵୟକୁ ପ୍ରଦର୍ଶିତ କରିଥିଲା । ଏହାପରେ ୧୨୦ ଜଣ ସ୍ଵିମର ପ୍ଲଟିଂ ଷ୍ଟେଜ୍ ପ୍ରତି ସମାନ୍ତରାଳ ଗତିରେ ସନ୍ତରଣ କରୁ ଆସିବା ବେଶ୍ ମନୋଜ୍ଞ ଥିଲା । ବୋଟରେ ମିସ ଫାୟାର ବା ଜରୁରୀ ପରିସ୍ଥିତି ଉପୁଜିବା ସମୟରେ ଓସ୍ୱାଲିର ଫାୟାର ଫାଇଟିଂ ଟିମ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାର ଡେମୋ ସେମାନଙ୍କ ଶକ୍ତି ,ସାହସକୁ ପ୍ରମାଣିତ କରିଥିଲା ।
ଏହା ରାଜ୍ୟରେ ପ୍ରଥମ ଓ ଏକ ଜାତୀୟ ସ୍ତରୀୟ ପ୍ରତିଷ୍ଠାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏ ମାଟି ହେଉଛି ମା ରାମଚଣ୍ଡୀଙ୍କ ମାଟି । ନିକଟରେ ବଙ୍ଗୋପସାଗର ଓ ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କ । ଏଭଳି ଏକ ପବିତ୍ର ଓ ମନୋରମ ସ୍ଥାନରେ ଏହି ପ୍ରତିଷ୍ଠାନ ସ୍ଥାପନ ଯଥାର୍ଥ । ଓଡ଼ିଶା ଅଧିକ ପ୍ରାକୃତିକ ବିପର୍ଯ୍ୟୟ ସାମ୍ନା କରୁଛି । ଗତ ଦେଢ଼ ବର୍ଷ ଭିତରେ ଦୁଇଟି ବାତ୍ୟା ସାମ୍ନା କରି ସଫଳତାର ସହ ମୁକାବିଲା କରିଛୁ । ଆକସ୍ମିକ ବନ୍ୟା ଓ ଜଳବନ୍ଦୀ ସମସ୍ୟା ସମାଧାନ ପାଇଁ ଅତ୍ୟାଧୁନିକ ଉପକରଣ ସହ ଉନ୍ନତ ପ୍ରଶିକ୍ଷଣ ଆବଶ୍ୟକ । ସମୁଦ୍ର ଓ ବିଭିନ୍ନ ନଦୀରେ ବୁଡ଼ି ଲୋକଙ୍କ ଜୀବନ ଯିବା ମୋତେ ଦୁଃଖିତ କରିଛି । ଏବେ ଏହି ପ୍ରଶିକ୍ଷଣ କେନ୍ଦ୍ର ମାଧ୍ୟମରେ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ । ଭାରତବର୍ଷରେ ଏହି କେନ୍ଦ୍ର ବେଶ୍ ସହାୟକ ହେବ । ୧୨ କୋଟି ଖର୍ଚ୍ଚରେ ଏହି ପ୍ରଶିକ୍ଷଣ କେନ୍ଦ୍ର ହୋଇଛି । ଆହୁରି ୧୦ କୋଟି ମଞ୍ଜୁର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ଅଭିଭାଷଣରେ କହିଥିଲେ । ଓଡିଶା ରାଜ୍ୟ ଜଳ ଦକ୍ଷତା ଏବଂ ଜୀବନ ରକ୍ଷୀ ପ୍ରତିଷ୍ଠାନ ଉଦ୍ଘାଟନ ଅବସରରେ ମିଳିତ ରାଜିନାମା ସ୍ୱାକ୍ଷର ହେବା ସହ ପ୍ରତିଷ୍ଠାନ ପରିସରରେ ମଧ୍ୟ ଡେମୋ ପ୍ରଦର୍ଶିତ ହୋଇଥିଲା ।