
ବେଲଗୁଣ୍ଠା ୧୩/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲାର ମନ୍ଦିର ମାଳିନୀ ସହର ବେଲଗୁଣ୍ଠାର ଅଧିଷ୍ଠାତ୍ରୀ ଦେବୀ ମା ବ୍ରାହ୍ମଣ ଦେବୀଙ୍କ ମନ୍ଦିରରୁ ଗୁରୁବାର ଦିନ ମଧ୍ୟ ରାତ୍ରିରେ କୌଣସି ଦୁର୍ବୁତ୍ତ ମାଙ୍କ ମନ୍ଦିରର ମୁଖ୍ୟ ଫାଟକ ତାଲା ଭାଙ୍ଗି ମାଙ୍କ କିଛି ଆଭୂଷଣ ସହ ମାଙ୍କ ଦାନ ହୁଣ୍ଡି ଭାଙ୍ଗି ଆନୁମାନିକ ପ୍ରାୟ କୋଡିଏ ହଜାର ଟଙ୍କା ଚୋରି କରି ନେଇଥିବା ସ୍ଥାନୀୟ ପୋଲିସ ଥାନାରେ ଅଭିଯୋଗ ହୋଇଥିବା ବେଳେ ଛତ୍ରପୁରରୁ ଆସି ଡ଼ଗ ସ୍କ୍ୱାର୍ଡ଼ ଓ ସାଇଣ୍ଟିକଫିକ ଟିମ ପହଞ୍ଚି ତଦନ୍ତ କରି ଫେରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦେବୀ ପୀଠ ଭାବେ ସୁଖ୍ୟାତି ଅର୍ଜନ କରିଥିବା ବେଲଗୁଣ୍ଠା ସହର ଠାରୁ ୨ କିମି ଦୂର ତଥା ୧୩ ନମ୍ବର ୱାର୍ଡ ଅନ୍ତର୍ଗତ ବାଉଁଶ ଖମ୍ବ ଆଚ୍ଛାଦିତ ଏକ ସିଦ୍ଧି ସ୍ଥଳରେ ପ୍ରତିଷ୍ଠିତ ମା ବ୍ରାହ୍ମଣ ଦେବୀଙ୍କ ମନ୍ଦିର ରହିଥିବା ବେଳେ ସାରା ସହର ସହିତ ଆଖପାଖ ଅଞ୍ଚଳରେ ମାଙ୍କ ପ୍ରତି ଭକ୍ତି ଭାବ ସହିତ ପ୍ରତ୍ୟକ୍ଷ ଦେବତା ଭାବେ ଲୋକଙ୍କ ଅଗାଢ଼ ବିଶ୍ୱାସ ରହିଛି । ତେବେ ଇତିହାସରେ ପ୍ରଥମ ଥର ପାଇଁ ଏହି ଦେବୀ ମନ୍ଦିରରୁ ଚୋରି ହୋଇଥିବା ଜଣାପଡିଛି । ଗୁରୁବାର ଦିନ ମଧ୍ୟ ରାତିରେ ସମ୍ଭବତଃ କିଛି ଦୁର୍ବୁତ୍ତ ମାଙ୍କ ମନ୍ଦିରର ମୁଖ୍ୟ ଫାଟକ ତାଲା ଓ ମନ୍ଦିର ଭିତର ଫାଟକ ଚାବି ସହିତ ଷ୍ଟିଲ ଗେଟ ତାଲା ଭାଙ୍ଗି ମାଙ୍କ ମୁଖ ମଣ୍ଡଳରେ ଲାଗିଥିବା ସୁନା ଓ ରୁପା ଅଳଙ୍କାର କାଢ଼ି ନେଇଥିଲେ ମଧ୍ୟ କୌଣସି କାରଣରୁ ନିଜ ସହ ନେଇ ନ ପାରି ମାଙ୍କ ପିଢ଼ ପାଖରେ ରଖି ଦେଇଛନ୍ତି । ଏହା ମାଙ୍କ ଅଲୌକିକତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଦୁର୍ବୁତ୍ତ ମାନେ ମାଙ୍କ ପୀଠରେ ଥିବା ଦାନ ହୁଣ୍ଡି ଭାଙ୍ଗି ଆନୁମାନିକ ପ୍ରାୟ ୨୦ହଜାର ଟଙ୍କା ଚୋରି କରି ନେଇଥିବା ବେଳେ ମାଙ୍କ ଗୋଦାମ ଘର ତାଲା ଭାଙ୍ଗି ସେଠାରୁ ପ୍ରାୟ ଛୋଟ ବଡ଼ ୧୦ଟି ରସ ହଣ୍ଡା ଓ ୭ଟି ଷ୍ଟିଲ ବେସିନ ଚୋରି କରି ଚମ୍ପଟ ମାରିଥିବା ପୋଲିସ ଥାନାରେ ଶ୍ରୀଶ୍ରୀ ମା ବ୍ରାହ୍ମଣ ଦେବୀଙ୍କ ସେବା କମିଟି ସମ୍ପାଦକ ଏ.ଶ୍ରୀନିବାସ ପାତ୍ର ଅଭିଯୋଗ କରିଥିବା ଜଣାପଡ଼ିଛି । ପ୍ରାୟ ୨ ଗ୍ରାମର ସୁନା ଅଳଙ୍କାର ଗାୟବ ଥିବା ନେଇ ପୋଲିସ ଥାନାରେ ଅଭିଯୋଗ ହୋଇଥିଲ ମଧ୍ୟ ଡ଼ଗ ସ୍କ୍ୱାର୍ଡ଼ ଆସିବା ପରେ ମାଙ୍କ ପୂଜାରୀ ମାନସ ରଞ୍ଜନ ପତି ପୋଲିସ ଉପସ୍ଥିତିରେ ଦେଖିବା ବେଳେ ଉଭାନ ଥିବା ୨ଗ୍ରାମର ସୁନା ଅଳଙ୍କାର ମାଙ୍କ ଲୁଗାରେ ଲାଗି ହୋଇ ରହିଥିବା ଦେଖିବାକୁ ମିଳିଥିଲା । ସନ୍ଧାନୀ କୁକୁର ମାଙ୍କ ମନ୍ଦିରରୁ ବାହାରି ବାଲି ବନ୍ଧ ପୋଖରୀ ପର୍ଯ୍ୟନ୍ତ ଯାଇ ପୁଣି ମନ୍ଦିରକୁ ଫେରିଥିଲା । ସନ୍ଧାନୀ କୁକୁରର ଲିଡ଼ ଅନୁଯାୟୀ ପ୍ରମାଣ ନଷ୍ଟ କରିବା ପାଇଁ ଦୁର୍ବୁତ୍ତ ମାନେ ପୋଖରୀରେ ସ୍ନାନ କରି ସେଠାରୁ ଚମ୍ପଟ ମାରିଥିବା ଅନୁମାନ କରାଯାଉଛି । ମନ୍ଦିରରୁ ଚୋରି ହେବା ଘଟଣା ସମ୍ପର୍କରେ ପ୍ରଥମେ ପୂଜାରୀ ମାନସ ରଞ୍ଜନ ପତି ସକାଳ ୭ଘଣ୍ଟ ସମୟରେ ଜାଣିବା ପରେ ମନ୍ଦିର ପରିଚାଳନା କମିଟିକୁ ଜଣାଇ ଥିଲେ । ମନ୍ଦିର ପରିଚାଳନା କମିଟି ତରଫରୁ ଅଭିଯୋଗ ପାଇବା ପରେ ଥାନା ଅଧିକାରୀ ରେବତୀ ଶବର ଓ ସବ ଇନ୍ସପେକ୍ଟର ବିଶ୍ୱ ରଞ୍ଜନ ନାୟକଙ୍କ ସମେତ ପୋଲିସ ଟିମ ପହଞ୍ଚି ଛାନ ଭିନ ଆରମ୍ଭ କରିଥିଲେ । ପରେ ଖବର ପାଇ ଭଞ୍ଜନଗର ଏସଡ଼ିପିଓ ଡ଼ା. ଦୀପକ କୁମାର ମିଶ୍ର ଘଟଣା ସ୍ଥଳ ମା ବ୍ରାହ୍ମଣ ଦେବୀଙ୍କ ପୀଠରେ ପହଞ୍ଚି ତଦନ୍ତ ସମ୍ପର୍କରେ ସମୀକ୍ଷା କରିଥିଲେ । ମନ୍ଦିର ପରିସରରେ ଥିବା ମା ବ୍ରାହ୍ମଣ ଦେବୀ ପୂଜା ଭଣ୍ଡାରର ମଧ୍ୟ ତାଲା ଭାଙ୍ଗି ଦୁର୍ବୁତ୍ତ ମାନେ ଦୋକାନ ଡ୍ରରୁ ପ୍ରାୟ ୬୮୦୦ ଟଙ୍କା ଓ କିଛି ଥଣ୍ଡା ପାନୀୟ ଚୋରି କରି ନେଇଥିବା ଦୋକାନ ମାଲିକ ଟୁନା ବିଶ୍ୱାଳ କହିଛନ୍ତି । ଭାଙ୍ଗିଥିବା ମନ୍ଦିରର ସମସ୍ତ ତାଲା ଓ ପୂଜା ଭଣ୍ଡାରର ତାଲା ମଧ୍ୟ ଦୁର୍ବୁତ୍ତ ମାନେ ନିଜ ସହ ନେଇ ଯାଇଥିବ ଜଣାପଡ଼ିଛି । ମନ୍ଦିର ପରିସରରେ କୌଣସି ସିସିଟିଭି ନ ଥିବା ବେଳେ ଡ଼ଗ ସ୍କ୍ୱାର୍ଡ଼ର ଲିଡ଼ ଓ ସାଇଣ୍ଟିଫିକ ଟିମର ସୁରାକ ଓ ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି ପୋଲିସ ତଦନ୍ତ ଆଗେଇବ ବୋଲି କୁହାଯାଉଛି । ଅପରାହ୍ନ ପ୍ରାୟ ୩ଟା ବେଳେ ଛତ୍ରପୁରରୁ ଆସିଥିବା ସାଇଣ୍ଟିଫିକ ଅଫିସର ପ୍ରଭାତୀ ପଟ୍ଟନାୟକଙ୍କ ନେତୃତ୍ବାଧୀନ ୩ ଜଣିଆ ସାଇଣ୍ଟିଫିକ ଟିମ ମାଙ୍କ ମନ୍ଦିରରେ ପହଞ୍ଚି ମନ୍ଦିର ହୁଣ୍ଡି , ଫାଟକ ଓ ଅନ୍ୟାନ୍ୟ ସ୍ଥାନରୁ ଫିଙ୍ଗର ପ୍ରିଣ୍ଟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ତଥ୍ୟ ନେଇ ତଦନ୍ତ କରି ଫେରିଛନ୍ତି ।