
ବେଲଗୁଣ୍ଠା/ ୧୩/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଜଗନ୍ନାଥ ପ୍ରସାଦ ରୋଡ଼ରେ ଥିବା ଏକ ମୋବାଇଲ ଦୋକାନରେ ଟେକ୍ନିସିଆନ ଭାବେ କାର୍ଯ୍ୟ କରୁଥିବା ସୁଦୂର କେରଳ ରାଜ୍ୟର ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହକୁ ସ୍ଥାନୀୟ ପୋଲିସ ମୋବାଇଲ ଦୋକାନୀ ମାଲିକଙ୍କ ଅନ୍ୟ ଏକ ମୋବାଇଲ ସୋ ରୁମ ଉପର ମହଲାରୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ପ୍ରାପ୍ତ ଖବର ଅନୁଯାୟୀ ବେଲଗୁଣ୍ଠା ଜଗନ୍ନାଥ ପ୍ରସାଦ ରୋଡ଼ ଛକରେ ଥିବା ଭୁବନେଶ୍ୱରୀ ମୋବାଇଲ ପଏଣ୍ଟ ରହିଛି । ଏଠାରେ ସୁଦୂର କେରଳ ରାଜ୍ୟର କିଛି ପିଲା କିଛି ମାସ ହେଲା କାର୍ଯ୍ୟ କରୁଥିବା ବେଳେ ଦୋକାନ ମାଲିକ ବିକ୍ରମ ଶତପଥିଙ୍କର ଜଗନ୍ନାଥ ପ୍ରସାଦ ରୋଡ଼ ବସ ଷ୍ଟାଣ୍ଡ ନିକଟରେ ଥିବା ଭିକି ମୋବାଇଲ ନାମକ ଅନ୍ୟ ଏକ ମୋବାଇଲ ସୋରୁମ ରହିଛି । ମୋବାଇଲ ସୋ ରୁମ ଉପର ମହଲାରେ କେରଳର ଯୁବକ ମାନେ ରହି ମୋବାଇଲ ଦୋକାନରେ ଟେକ୍ନିସିଆନ ଭାବେ କାର୍ଯ୍ୟ କରୁଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଦିନ ଭୁବନେଶ୍ୱରୀ ମୋବାଇଲରେ କାର୍ଯ୍ୟରତ ଯୁବକ ମାନଙ୍କ ମଧ୍ୟରୁ ଅହମ୍ମଦ ଏସ (ପ୍ରାୟ ୧୮) ନାମକ ଯୁବକ ଜଣକ କୁଆଡ଼େ ମୋବାଇଲ ଦୋକାନ ମାଲିକ ବିକ୍ରମ ଶତପଥି (୩୭)ଙ୍କୁ ଦିବା ୯:୪୦ ସମୟରେ ଫୋନ କରି କହିଥିଲେ ଯେ ତାର ଦେହ ଭଲ ନାହିଁ ଏଣୁ ସେ କାମକୁ ଯାଇ ପାରିବ ନାହିଁ । ସକାଳ ୯ ଘଣ୍ଟ ସମୟରେ ଅହମ୍ମଦ ଏସକୁ ଛାଡ଼ି ମୋବାଇଲ ଦୋକାନରେ କାମ କରୁଥିବା ଅନ୍ୟ ୫ଜଣ ପିଲାମାନେ କୁଆଡ଼େ କାମକୁ ଆସିଥିଲେ । ମଧ୍ୟାହ୍ନ ଭୋଜନ ପାଇଁ କାମ କରୁଥିବା ପିଲା ମାନେ ସେମାନେ ରହୁଥିବା ଭିକି ମୋବାଇଲ ଉପର ମହଲାକୁ ଯାଇଥିଲେ । ରୁମ ଖୋଲି ଦେଖିବା ବେଳକୁ ଅହମ୍ମଦ ଏସ କୁଆଡ଼େ ନିଜ ଗାମୁଛାରେ ସିଲିଙ୍ଗ ଫ୍ୟାନକୁ ବାନ୍ଧି ତଳକୁ ଝୁଲି ଆତ୍ମହତ୍ୟା କରିଥିବା ଦେଖି କେରଳର ପିଲା ମାନେ ଦୋକାନ ମାଲିକ ବିକ୍ରମକୁ ଦିବା ଗୋଟାଏ ବେଳେ ଖବର ଦେଇ ଜଣାଇଥିଲେ । ବିକ୍ରମ ପୋଲିସକୁ ଖବର ଦେବା ପରେ ପୋଲିସ ଆଇଆଇସି ରାଙ୍କକୁ ଉନ୍ନୀତ ଅଭୟ କୁମାର ପ୍ରଧାନ ଓ ଏଏସଆଇ ପ୍ରମୋଦ କୁମାର ଚଟି ସଦଲବଳେ ଭିକି ମୋବାଇଲରେ ପହଞ୍ଚି ଫ୍ୟାନ ହୁକରେ ଝୁଲି ପଡ଼ିଥବା ଅହମ୍ମଦ ଏସଙ୍କ ଝୁଲନ୍ତା ମୃତ ଦେହକୁ ତଳକୁ ଓଲ୍ଲାଇ ଥିଲେ । ପରେ ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର କବିରାଜ ପ୍ରଧାନ ପହଞ୍ଚିବା ପରେ ଶବର ପଞ୍ଚନାମା ହୋଇଥିଲା । ପରେ ପୋଲିସ ଶବକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛ । ସନ୍ଧ୍ୟା ହୋଇ ଯାଇଥିବା ଯୋଗୁଁ ଶନିବାର ଦିନ ଶବ ବ୍ୟବଛେଦ ହେବ ବୋଲି ଜଣାପଡ଼ିଛି । କେରଳର ପାଞ୍ଚ ଜଣ ପିଲା ଟେକ୍ନିସିଆନ ଭାବେ ବ୍ରିଟକୋ କମ୍ପାନୀ ତରଫରୁ ଟେକ୍ନିସିଆନ ଭାବେ ଭୁବନେଶ୍ୱରୀ ମୋବାଇଲରେ କାର୍ଯ୍ୟ କରୁଥିବା ମୋବାଇଲ ଦୋକାନ ମାଲିକ ବିକ୍ରମ ନିଜ ଏଫଆଇଆରରେ ଦର୍ଶାଇଛନ୍ତି । ମୃତ ଯୁବକ ଅହମ୍ମଦଙ୍କ ଝୁଲନ୍ତା ଶରୀର ଚଟାଣକୁ ସ୍ପର୍ଶ କରୁଥିବା ବେଳେ ନିକଟରେ ଥୁବା ପ୍ଲାଷ୍ଟିକ ବାଲଟି କୌଣସି ମତେ ଇତଃତସ୍ତ ନ ହୋଇ ଝୁଲନ୍ତା ଶବ ନିକଟରେ ରହିଛି । ମୃତ ଯୁବକ ଅହମ୍ମଦ ଏସଙ୍କ ଘର କେରଳର ଥିରୁଭନ୍ତପୁରମ ଜିଲ୍ଲା ଭଞ୍ଚିୟୁର ଭାଜହୋତୁକୋନାମ ନିକଟ ଏସ.ଏସ ମଞ୍ଜିଲ ଗ୍ରାମ ବୋଲି ଜଣାପଡ଼ିଛି । ତେବେ କେରଳର ଯୁବକ ମାନେ କେଉଁ ଆଧାରରେ ବେଲଗୁଣ୍ଠା ଭୁବନେଶ୍ୱରୀ ମୋବାଇଲ ଭକି ଏକ ଛୋଟ ଦୋକାନରେ କାମ କରୁଥିଲେ ଏବଂ ଏଥିପାଇଁ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ନିକଟରେ କିଛି ସୂଚନା କିମ୍ବା ସ୍ୱୀକୃତି ରହିଛି କି ବୋଲି ପ୍ରଶ୍ନ ଉଠୁଛି । ମୃତ ଯୁବକଙ୍କର କଣ ସମସ୍ୟା ରହିଥିଲା ଯେ ସେ ଆତ୍ମହତ୍ୟା କରିଥିବେ । ଏହା ପାରିବାରିକ ନା ସ୍ଥାନୀୟ କୌଣସି ସମସ୍ୟା । କେରଳରୁ ମୃତ ଯୁବକଙ୍କ ପରିବାର ଲୋକ ପହଞ୍ଚିବା ପରେ ଏଥିନେଇ ସ୍ପଷ୍ଟତା ମିଳିବ ବୋଲି ଆଶା କରାଯାଉଛି । ମୃତ ଯୁବକଙ୍କ ମୋବାଇଲକୁ ପୋଲିସ ଜବତ କରିଥିବା ବେଳେ ଏହାକୁ ତଦନ୍ତ କରିବା ପରେ ବହୁ ଗୁପ୍ତ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି । ଶନିବାର ଦିନ ମୃତକଙ୍କ ଶବ ବ୍ୟବଛେଦ ହୋଇଥିବା ବେଳେ ଏହାକୁ କେରଳରୁ ଆସିଥିବା ମୃତ ଯୁବକଙ୍କ ବାପା ,ଭାଇ ଓ ମାମୁଁଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।