ଭଞ୍ଜନଗରକୁ ପୌର ପରିଷଦ ପାଇଁ ନଗର ଉନ୍ନୟନ ବିଭାଗର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ

ଭଞ୍ଜନଗର ୨୨/୧୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବହୁ ପ୍ରତିକ୍ଷାର ଅନ୍ତ ଘଟିବା ପରେ ଆଜି ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷତ ପୂର୍ଣ୍ଣାଙ୍ଗ ଭାବେ ମୁନିସିପାଲିଟିରେ ପରିଣତ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ସ୍ବାୟତ୍ତ ଶାସନ ଦିବସ ଅବସରରେ ଘୋ‌ଷଣା କରିଥିବା ବେଳେ ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ପୌରପାଳିକ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ଭଞ୍ଜନଗର ଏନ୍ଏସିକୁ ପୌରପାଳିକା ମାନ୍ୟତା ନେଇ ଘୋଷଣା କରିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଛି । ନୂଆଁ ସରକାର ଆସିବା ପରେ ବିଭିନ୍ନ ତଥ୍ୟ ସଂଗ୍ରହ ସହ ସୀମା ନିର୍ଦ୍ଧାରଣ,ଜନସଂଖ୍ୟା,ଏନ୍‌ଏସି ସୀମାକୁ ଲାଗି ରହିଥିବା ପଞ୍ଚାୟତର ମିଶ୍ରଣ ହେବାକୁ ଥିବା ଗ୍ରାମ ସଂର୍ପକରେ ସରକାରଙ୍କୁ ରିପୋର୍ଟ ପ୍ରଦାନ ହୋଇଥିଲା। ଏହାପରେ ଭଞ୍ଜନଗର ସମେତ ଆଉ କିଛି ମୁନିସିପାଲିଟି ଘୋଷଣା କରିଥିବା ବେଳେ ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ ନଗରପାଳ ଗୋପବନ୍ଧୁ ମହାପାତ୍ରଙ୍କ ପ୍ରୟାଶକୁ ପ୍ରଶାଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। ଗତବର୍ଷ ଭଞ୍ଜନଗର ଏନ୍ଏସିକୁ ମୁନିସିପାଲିଟିରେ ପରିଣତ କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ମଧ୍ୟ କାର୍ଯ୍ୟ ହାତକୁ ନିଆଯାଇଥିଲା। । ଏଥିସହ ଆପର୍ତ୍ତି ଅଭିଯୋଗ ପାଇଁ ସମୟ ଧାର୍ଯ୍ୟ କରାଯାଇ ଅବଧି ଶେଷ ହେବା ପରେ ଆଜି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହି ବିଜ୍ଞପ୍ତିରେ ଭଞ୍ଜନଗର ସହର ସମେତ ବାଉଁଶଲୁଣ୍ଡି ପଞ୍ଚାୟତର ବାଉଁଶଲୁଣ୍ଡି, ଡୁବୁଡୁବା, ଗାମୁଣ୍ତି, ବଡକୋଦଣ୍ଡା ପଞ୍ଚାୟତର ସାନପଥରା,ଲାଲସିଂ ପଞ୍ଚାୟତର ଲାଲସିଂ, ଧନଞ୍ଜୟନଗର, ରାଜକୁଣ୍ଡ, ଛେଦାଭୂମୀ, ରସଲ‌କୋଣ୍ଡା ଜଳଭଣ୍ଡାର, ଡିହପଢାଳ ପଞ୍ଚାୟତର ଜାମପଲ୍ଲୀ ଓ ଜିଲୁଣ୍ଡି ପଞ୍ଚାୟତର ଅଗଝୋଳ ଗ୍ରାମକୁ ଏଥିରେ ସାମିଲ କରାଯାଇଛି। ଏଥିସହ ବୁଦୁଲି, ଗୋଲାପଡା-କୁଲାଡ, ମୁଦୁଲିପଲ୍ଲୀ-କଇଣ୍ଡି ଓ ସାନକୋଦଣ୍ଡା ଅଞ୍ଚଳବର୍ତ୍ତୀକୁ ସୀମା ଭାବେ ନିର୍ଦ୍ଧାରଣ କରାଯାଇଛି। ୧୯୫୭ ମସିହାରେ ଗଠନ ‌ହୋଇଥିବା ଭଞ୍ଜନଗର ଏନ୍‌ଏସିକୁ ମୁନସିପାଲିଟି ଭାବେ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାରୁ ଅଞ୍ଚଳର ପରିମଳ ଠାରୁ ଆଲୋକିକରଣ, ରାସ୍ତାଘାଟ ସହ ମୌଳିକ ସୁବିଧା ପ୍ରଦାନ,ସହରବାସୀଙ୍କୁ ଅଧିକ ସୁବିଧା ସୁଯୋଗ ପ୍ରଦାନ କରାଯାଇ ପାରିବ ବୋଲି ଜନସାଧାରଣ ଆଶାବାଦୀ ଅଛନ୍ତି।