ଭଞ୍ଜନଗର ରେ ଜିଲ୍ଲାପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି; ୧୨୦ ଟି ଅଭିଯୋଗ ଗ୍ରହଣ, ୯ଟିର ତ୍ବରିତ ସମାଧାନ

ଭଞ୍ଜନଗର,୨୯/୧୨- (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲାପାଳ ଓ ଏସପି ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଭି. କିର୍ତ୍ତି ଭାସନ ଓ ଏସ.ପି ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ପାତ୍ର ଏହି ଅଭିଯୋଗ ଶୁଣାଣୀ ଶିବିରରେ ଯୋଗଦେଇ ମୋଟ ୧୨୦ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ୧୧୧ ଟି ବ୍ୟକ୍ତିଗତ ଅଭିଯୋଗ ଥିବା ବେଳେ ୯ଟି ସାମୂହିକ ଅଭିଯୋଗ ରହିଥିଲା। ସେହିପରି ୯ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ ହୋଇଥିଲା। ରେଡକ୍ରସ ପାଣ୍ଠିରୁ ୯ ଜଣଙ୍କୁ ସହାୟତା ରାଶି ବାବଦରେ ୭୨୫୦୦ ଟଙ୍କା ପ୍ରଦାନ କରାଯାଇଥିଲା। ଜନଶୁଣାଣିରେ ମୁଖ୍ୟତଃ ମଧୁବାବୁ ପେନସନ, ପିଏମ ଆବାସ ଓ ଅନ୍ତୋର୍ଦୟ ଗୃହ ଯୋଜନାରେ ଗୃହ ବଣ୍ଟନ,ରାସନ କାର୍ଡ, ଜମିଜମା ସଂପର୍କିତ ସମେତ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦରଖାସ୍ତ ହସ୍ତଗତ ହୋଇଥିଲା। ଶିବିରରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମା ଶଙ୍କର ବେହେରା, ଅତିରିକ୍ତ ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ରଞ୍ଜନ କୁମାର ଦେ, ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା, ଭଞ୍ଜନଗର ମେଡିକାଲ ଅଧିକ୍ଷକ ଡ଼.ସିତାଶୁଂ ଶେଖର ଶତପଥି, ଭଞ୍ଜନଗର ବିଡିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ଭଞ୍ଜନଗର ମ୍ୟୁନିସିପାଲଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲି କୃଷ୍ଣ ପଣ୍ଡା ଓ ଅନ୍ୟ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର କର୍ମଚାରୀ ଙ୍କ ସମେତ ବ୍ଲକ କର୍ମଚାରୀ ଉପସ୍ଥିତ ରହି ଜନଶୁଣାଣୀ ପରିଚାଳନାରେ ସହଯୋଗ କରିଥିଲେ।