ମନରେଗାକୁ ପୁନଃଲାଗୁ ପାଇଁ କଂଗ୍ରେସର ଦାବି

ଭଞ୍ଜନଗର ୦୬/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ମନରେଗା ଯୋଜନାକୁ କେନ୍ଦ୍ର ସରକାର ବିକୃତ କରି ଦେଇଛନ୍ତି। ଭିବି ଜି ରାମଜୀ ଯୋଜନା କରି ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେଇ ଗାନ୍ଧୀଙ୍କୁ ଅସମ୍ମାନିତ କରିଛନ୍ତି। ତେଣୁ ଏହି ଯୋଜନାକୁ ମୂଳ ରୂପକୁ ଫେରାଇ ଆଣିବା ପାଇଁ ଗଞ୍ଜାମ (ପଶ୍ଚିମ) ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଭଞ୍ଜନଗର ବ୍ଲକ ଛକରେ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପରେ ଦଳର ନେତା ମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଭଞ୍ଜନଗର ଉପ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

ୟୁପିଏ ସରକାର ୨୦୦୫ ମସିହାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ନିଶ୍ଚିତ ଆଇନ ପ୍ରଣୟନ ରିଥିଲେ। ଏହା ଜନ ଅଧିକାର-ଆଧାରିତ ଆଇନ ଥିଲା। ଏହା ପ୍ରତି ବର୍ଷ ୫/୬ କୋଟି ଗ୍ରାମୀଣ ପରିବାରକୁ ମଜୁରୀ ଭିଭିକ ରୋଜଗାର ଯୋଗାଇ ଦେଇ ଦୀର୍ଘସ୍ଥାୟୀ କରି ଆସିଥିଲା । ଦାଦନ ଶ୍ରମିକ କମାଇବାରେ ଏହି ଆଇନ୍ ବେଶ୍ ସହାୟକ ହୋଇଥିଲା । କିନ୍ତୁ ଭିବିଜୀ ରାମଜୀ ଯୋଜନା ମନରେଗାଠାରୁ ସଂପୂର୍ଣ ଭାବେ ଭିନ୍ନ। ଏହା କରିବା କାମର ଆଇନଗତ ନିଶ୍ଚିତତାକୁ ଧ୍ଯାନ ଦିଏ ନାହିଁ । ଏହି ଆଇନ୍ କେନ୍ଦ୍ର ସରକାରଙ୍କ ହାତରେ ନିଷ୍ପତ୍ତିକୁ କେନ୍ଦ୍ରୀଭୂତ କରେ। ଗ୍ରାମସଭା ଓ ପଞ୍ଚାୟତକୁ ଦୁର୍ବଳ କରେ। କେନ୍ଦ୍ରର ମଜୁରୀ ଅଂଶଦାନକୁ ପ୍ରାୟ ୯୦% ରୁ ୬୦% କମାଇ ରାଜ୍ୟ ଓ ଶ୍ରମିକଙ୍କ ଉପରେ ଆର୍ଥକଭାର ଲଦି ଦେବ। କୃଷି ଋତୁରେ ମଧ୍ଯ ସୀମିତ ବଜେଟ ଯୋଗୁଁ କାମଧନ୍ଦା ନମିଳିବାର ଆଶଙ୍କା ସୃଷ୍ଟି ହେବ। ମଜୁରୀ ସୁରକ୍ଷାର ଶିଳତା ଯୋଗୁଁ ରୋଜଗାର କମିବା ଥୟ ହେବ। ଭିବିଜୀ ରାମଜୀ କାର୍ଯ୍ୟକ୍ରମରୁ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ନାମ କଟାଯିବା ଦ୍ବାରା ଶ୍ରମର ମର୍ଯ୍ୟାଦା ପ୍ରତି ଅପମାନ ହୋଇଛି । ଗ୍ରାମୀଣ ଜୀବିକା ଉପରେ ଉପରେ ଏହି ଆକ୍ରମଣର ଗମ୍ଭୀରତାକୁ ଧ୍ୟାନରେ ରଖି କଂଗ୍ରେସ ମନରେଗା ବଞ୍ଚାଅ ସଂଗ୍ରାମ ନାମକ ଦେଶବ୍ୟାପୀ ଜନ ଆନ୍ଦୋଳନ ଆରମ୍ଭ କରିଛି ବୋଲି ନେତାମାନେ କହିଥିଲେ । ଏଥିସହିତ ଧାନମଣ୍ଡିରେ ଚାଷୀମାନଙ୍କ ଧାନ କିଣିବାରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି କଂଗ୍ରେସ ଦଳ ତାର ମଧ୍ୟ ପ୍ରତିବାଦ କରିବା ସହିତ ପ୍ରଶାସନ ତାହା ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦଳ ପକ୍ଷରୁ କୁହାଯାଇଛି।ଉପଜିଲ୍ଲାପାଳ ଉମାଶଙ୍କର ବେହାରାଙ୍କୁ ଦାବିପତ୍ର ପ୍ରଦାନ ବେଳେ ଗଞ୍ଜାମ (ପଶ୍ଚିମ) ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଜେନା ଙ୍କ ସମେତ କୁଲୁ ଭୁୟାଁ, ଦେବକାନ୍ତ ଶର୍ମା, ହରେକୃଷ୍ଣ ରଥ ପ୍ରମୁଖ ଉପସ୍ଥିତ ଥିଲେ।